Unknown

 

 

 

 

 

 

 

 

 

 

ସାଗରୀକାର ସ୍ୱପ୍ନଭଙ୍ଗ

ଶ୍ରୀ ବିଭୁଦତ୍ତ ମିଶ୍ର

 

 

 

 

 

 

 

ଜୀବନକି ଖାଲି ନିରାଶାର ବାଲି

ମରୁ ମରୀଚିକା ସେନେହ ପ୍ରୀତି

ତେବେ କି ଆଶାରେ, କହ ଏ ସଂସାରେ

ପରଲାଗି ନର ମରୁଛି ନିତି ?

 

–ଉତ୍କଳମଣି ।

★★★

 

 

 

 

 

 

 

 

 

 

 

 

 

ଉପହାର

 

 

 

 

 

 

 

 

 

 

 

 

 

ମୋ ବୋଉର ପବିତ୍ର ସ୍ମୃତିରେ.....

 

ଓଡ଼ିଆ କଥା-ସାହିତ୍ୟ-ଶିଳ୍ପୀ

ମହାପାତ୍ର ନୀଳମଣି ସାହୁ

 

ସୁହୃଦ୍‌ବରେଷୁ;

 

ଆଜିକୁ ତିନିବର୍ଷ ତଳେ ପୁରୀ ଛାଡ଼ି ପାରଳାଖେମୁଣ୍ଡିକୁ ଆସିଥିଲି; ଜୀବନ ପାଇଁ ନୁହେଁ, ଜୀବିକା ପାଇଁ । ସେଇଠି ଆପଣଙ୍କ ସହ ପ୍ରଥମ ପରିଚୟ । ସେତେବେଳେ ଆପଣ ଗଳ୍ପ ଜଗତରୁ ଉପନ୍ୟାସ ରାଇଜକୁ ଯିବାକୁ ବାଟ ଖୋଜୁଛନ୍ତି । ଆପଣଙ୍କ ପ୍ରଥମ ଉପନ୍ୟାସ ‘ଧରା ଓ ଧାରା’ର ପାଣ୍ଡୁଲିପି ଦେଇଗଲେ । ରାତି ଅନିଦ୍ରା ହୋଇ, ମୁଁ ଏକା ନିଃଶ୍ୱାସକେ ସେ ବହି ନ ସାରିବା ଯାଏଁ ତର ସହିଲା ନାହିଁ ।

 

ଆପଣ ଉପଦେଶ ଦେଲେ ଉପନ୍ୟାସ ଲେଖିବାକୁ । କିନ୍ତୁ ସେତେବେଳକୁ ତ ‘ଉର୍ବଶୀର ଚିଠି’ ଚାରିମାସ ଗର୍ଭରେ । ଆପଣଙ୍କ କଥା ଶୁଣୁଛି କିଏ ? ଶୁଣିଲେ ବି ରଖିପାରିଥାନ୍ତି କେଉଁଠି ?

 

ସେଦିନ ଆଉ ଆଜି ଭିତରେ ତଫାତ୍‌ ଅନେକ । ‘ଧରା ଓ ଧାରା’ କେବଠୁଁ ଓଡ଼ିଶାର ପାଠକ ପାଠିକାମାନଙ୍କ ହାତକୁ ଚାଲିଗଲାଣି । ‘ଉର୍ବଶୀର ଚିଠି’ ପ୍ରକାଶ ପାଇବାର ଆସି ଦୁଇବର୍ଷ ହୋଇଗଲା । ୟା’ରି ଭିତରେ କେତେ ଝଡ଼ ତୋଫାନର ଛୋଟ ବଡ଼ ଦିନଗୁଡ଼ିକ ଅତୀତର ଅନ୍ଧକାର ଭିତରେ ଲୁଚିଗଲାଣି । ‘ଉର୍ବଶୀର ଚିଠି’ର ପ୍ରଥମ ସଂସ୍କରଣ ବି ଆସି ସରିବା ଉପରେ ହେଲାଣି ।

 

ପୁଣି ଆଜି ‘ସାଗରୀକାର ସ୍ୱପ୍ନଭଙ୍ଗ’ ଆଲୋକକୁ ଆସୁଛି । ଜାଣେନି–ୟା’ ଭାଗ୍ୟରେ କ’ଣ ଅଛି ? ଉପନ୍ୟାସର ଧରାବନ୍ଧା, ଆଇନଗତ ନିୟମକାନୁନ୍‌ ମାନି, ଆଉ ଗଜମାପରେ ହିସାବ କଷି ମୁଁ ଏହା ଲେଖି ନାହିଁ । (ଲେଖି ବି ପାରି ନ ଥାନ୍ତି) ସାହିତ୍ୟ ଦରବାରରେ ୟା’କୁ ପେଶ୍‌କରିବା ପୂର୍ବରୁ କେତେ ଅଜ୍ଞାତ ଆଶଙ୍କା ମୋତେ ଥରାଇ ଦେଇ ଯାଉଛି । ମୁଁ ଅପେକ୍ଷା କରୁଛି–ଶଙ୍କିତ ଚିତ୍ତରେ ।

 

ଜୀବନର ସମସ୍ତ ସ୍ୱପ୍ନ ଯା’ର ଭାଙ୍ଗି ଚୁର୍‌ମାର ହୋଇଯାଇଛି, ତାଠୁଁ ବେଶୀ କିଛି ଆଶା କରିବା କେବଳ ବୃଥା ନୁହେଁ; ଅନ୍ୟାୟ ମଧ୍ୟ । ସେଇଥିଲାଗି ମୋ ନିଜର କୌଣସି ବହିରେ କିଛି ଲେଖିବା, ମୁଁ କେବେ ଆବଶ୍ୟକ ବା ଉଚିତ ମନେକରିନାହିଁ । କିନ୍ତୁ ଆଜି ସେ ନିୟମରେ ବ୍ୟତିକ୍ରମ କରିବାକୁ ଅଗତ୍ୟା ବାଧ୍ୟ ହେଲି ।

 

କଟକରୁ ପୁରୀ, ପୁରୀରୁ ପାରଳା, ପାରଳାରୁ ଜୟପୁର;–ଚାକିରି ଜୀବନରେ ଏଇ ଅସ୍ଥିର ଘୂର୍ଣ୍ଣନ ଭିତରେ, ଅନ୍ତରର ସ୍ୱଭାବ ସୁଲଭ ଆବେଗ ଓ ସରସତା ନେଇ ଶିଳ୍ପ-ସାଧନା କରିବା ପାଇଁ ମୋତେ ସମୟ ଖୁବ୍‌ କମ୍‍ ମିଳିଛି । ବ୍ୟକ୍ତିଗତ ଜୀବନର ନାନା ଜଟିଳ ଜଞ୍ଜାଳର ଜାଲରୁ ନିଜକୁ ମୁକ୍ତ କରି ସ୍ୱାଧୀନ ମନ ନେଇ ସାଧନା କରିବା ସମ୍ଭବପର ହୋଇପାରିନି । ତା’ ସଙ୍ଗକୁ ଅର୍ଥ ଆଉ ଅନର୍ଥର ବେଦନା ତ ପୁଣି ଅଛି !

 

ସାଗରିକା ନିଜେ ସ୍ୱପ୍ନ ନୁହେଁ;–ସତ । ଅଥଳ ଜୀବନ ସାଗର ସମ୍ଭୂତା ଏଇ ସାଗରିକା; ନୀହାର ପାଇଁ ହାତରେ ଅମୃତ ନେଇ ଉଠିଥିଲା; ନା ବିଷ ନେଇ ଆସିଥିଲା ତା’ର ବିଚାର ଏବେ ବି ବାକି ରହିଛି ।

 

ତେବେ ଏଇ ସାଗରୀକା ଜୀବନ ସାଗରର ବେଳାଭୂମିରେ ଠିଆହୋଇ ଦିନେ ନିଜେ ସ୍ୱପ୍ନ ଦେଖିଥିଲା–ଆଉ ସୌନ୍ଦର୍ଯ୍ୟ ଓ ଯୌବନର ଅସରନ୍ତି ସମ୍ଭାର ନେଇ, ନୀହାର ମନରେ ବି ସ୍ୱପ୍ନ ସୃଷ୍ଟି କରିଥିଲା । ବାସ୍ତବଦୁନିଆର ବହୁଘଟଣା ପ୍ରପୀଡ଼ିତ, ଜଣେ ବ୍ୟକ୍ତିକୁ; ସେ ମୁହୂର୍ତ୍ତକ ପାଇଁ, ଧରାର-ଧୂଷରତା ମଧ୍ୟରୁ ସ୍ୱପ୍ନର ସବୁଜ ପରିବେଶକୁ ଟାଣିନେଇଥିଲା । ତାହାହିଁ ତା’ ଜୀବନର ଚରମ ଗୌରବ; ଯୌବନ ଆଉ ସୌନ୍ଦର୍ଯ୍ୟର ଅନବଦ୍ୟ ସଫଳତା । ସେଇଥିଲାଗି ସେଇ ମୁହୂର୍ତ୍ତର ସ୍ମୃତି ଭିତରେ ହିଁ ସାଗରୀକା ବଞ୍ଚି ରହିଛି–ତାକୁ ଭୁଲିଯିବା ସମ୍ଭବପର ହେଲା ନାହିଁ, କି ହୋଇ ନାହିଁ-

 

ତଥାପି ନୀହାର ମନରେ ଦିନେ ଅଚାନକ ଯେଉଁ ସ୍ୱପ୍ନ ସୃଷ୍ଟି ହୋଇଥିଲା, ତା’ ପୁଣି ଆପେ ଆପେ ଭାଙ୍ଗିଯାଇଛି । (ସ୍ୱପ୍ନ ଆଉ ସବୁଦିନ ରହିଥାନ୍ତା ନା କ’ଣ ?) ତା’ର ଏକ ଅସ୍ପଷ୍ଟ ପ୍ରଭାବ, ଏଥିରେ ହୁଏତ ଥାଇପାରେ ।

 

‘ଉର୍ବଶୀର ଚିଠି’ ପ୍ରକାଶ ପାଇଲା ପରେ ଉର୍ବଶୀ କିଏ ବୋଲି ପ୍ରଶ୍ନ ସବୁଠାରୁ ଶୁଣିଛି । ବହୁ ଅଜଣା ଅଶୁଣା ଅପରିଚିତ ବି ପତ୍ର ମାଧ୍ୟମରେ ଏଇ ପ୍ରଶ୍ନ ପଚାରିଛନ୍ତି । ମୋର ପ୍ରିୟ ପାଠକମାନଙ୍କର କୌତୂହଳ ହିଁ ମୋର ଗୌରବ । କିନ୍ତୁ ଉତ୍ତର କିଛି ଦେବା ମୋ ପକ୍ଷରେ ସମ୍ଭବପର ହୋଇପାରିନି ।

 

ସାଗରୀକାର ପରିଚୟ ଯଦି ସେମିତି ଆଜି କେହି ଖୋଜିବସନ୍ତି ତା’ହେଲେ ମୁଁ କ’ଣ ବା ଉତ୍ତର ଦେବି ?

 

ସାଗରୀକା ଜୀବନସାଗରରେ ବିନ୍ଦୁ ଭଳି କାହିଁ କୁଆଡ଼େ ମିଶିଗଲାଣି । କିନ୍ତୁ ଏଇଟା ସତ ଯେ ତା’ର ହସ କାନ୍ଦର ଜୀବନ ଭିତରେ ସ୍ୱପ୍ନ ଦିନେ ଆସିଥିଲା । ଆଉ ଅନ୍ୟର ମନରେ ସ୍ୱପ୍ନ ସୃଷ୍ଟି କରିବା ପାଇଁ ତା’ ପାଖରେ ବି ଯଥେଷ୍ଟ ଶକ୍ତି ଥିଲା । ସେ ସାଗରୀକା ଆଜି ନାହିଁ–ତା’ର ସେ ସ୍ୱପ୍ନ ବି ନାହିଁ; ଅଛି ଖାଲି ସ୍ମୃତି ।

 

ଅତୀତର ସେଇ ଅନେକ ଅଶ୍ରୁ ଆଉ ଆନନ୍ଦର ସ୍ମୃତିରୁ ଏଇ ଉପନ୍ୟାସର ସୃଷ୍ଟି । ଆଉ ଏଇ ସୃଷ୍ଟି ମୂଳରେ, ତିନିବର୍ଷ ତଳର ଆପରଙ୍କର କେଇପଦ କଥା ଅଛି ବୋଲି ଯଦି ମୁଁ କହେ; ତା’ହେଲେ ମୋତେ ଯେ ଆପଣ କେଭେଁ ଭୁଲ୍‍-ବୁଝିବେ ନାହିଁ, ଏ ବିଷୟରେ ମୁଁ ନିଶ୍ଚିତ ରହିବି ତ-?

 

ଆପଣଙ୍କର

ବିଭୁଦତ୍ତ ମିଶ୍ର

★★★

 

ସପନ ଭାଜିଗଲା । କର୍‍ ଲେଉଟାଇଲା ସାଗରୀକା । ଆହା କେଡ଼େ ସୁନ୍ଦର ସୁନାର-ସପନ ତା’ର ଚୂନା ହୋଇଗଲା । ଶାଢ଼ି ହୁଗୁଳା ହୋଇଯାଇଛି । ଦେହ ଫୁଙ୍ଗୁଳା । ଘର ଭିତରେ କେହି ନାହାନ୍ତି, ତଥାପି ତାକୁ କେମିତି ଲାଜ ଲାଜ ଲାଗିଲା । ସେ ଧଡ଼ପଡ଼ ହୋଇ ଉଠି ବସି ଲୁଗା ସଜାଡ଼ିଲା । ଆରେ ଏ କ’ଣ–ଆଖିରୁ ତା’ର ଲୁହ ବହି ଆସୁଛି । ଧାର ଧାର ଲୁହ । ଓଃ ସେ ତେବେ କାନ୍ଦୁଥିଲା । ସପନରେ କାନ୍ଦୁଥିଲା । କାହିଁକି କାନ୍ଦୁଥିଲା ? କାହାଲାଗି କାନ୍ଦୁଥିଲା ? କିଏ ସେ ସପନପୁରୀର ଦେବତା । ଯିଏ ଆସି ସଦା ହାସ୍ୟମୟା ସାଗରୀକା ଆଖିରେ ପ୍ରଶାନ୍ତ ମହାସାଗରର ଅଶ୍ରୁରାଶି ଭରି ଦେଇଗଲା । ଏଡ଼େ ନିଷ୍ଠୁର, କିଏ ସେ ?

 

ବାହାରେ ଦ୍ୱିପ୍ରହରର ଖରା ମଉଳି ଆସୁଛି । ସୁନା ରଙ୍ଗର ସୂର୍ଯ୍ୟ କିରଣ ଝରକା ବାଟ ଦେଇ ପଡ଼ୁଛି, ସାଗରୀକାର ଖୋଲା ଦେହ ଉପରେ । ଗୋରା ତକ୍‌ତକ୍‌ ଦେହ ଉପରେ ମଉଳା ଦ୍ୱିପ୍ରହରର ଉଦାସିଆ ଖରା ଘୂରି ବୁଲୁଛି । କ’ଣ ଖୋଜୁଛି ସେ ଦେହରୁ । ସାଗରୀକା ତା’ ଦେହକୁ ଚାହିଁଲା । ନିଜର ରୂପରେ ଦିନେ ସେ ମୁଗ୍ଧ ହେଉଥିଲା । ତା’ର ସୌନ୍ଦର୍ଯ୍ୟରେ ବିହ୍ୱଳ ହୋଇ ସେ ଘଣ୍ଟା ଘଣ୍ଟା ଧରି ଭାବମଗ୍ନ ହୋଇ ବସେ । ସେଇ ଦେହ, ତା’ର କେତେ ପ୍ରିୟ, କେତେ ଆପଣାର । କେତେ ସ୍ମୃତି ଆଉ ସୁରଭିର ସ୍ପର୍ଶ ତା’ର ଦେହରେ । ସେ ମୁଗ୍ଧ ହେଲା । ତଥାପି ଅମାନିଆଁ ଆଖିରୁ ଲୁହର ଝରଣା ଛୁଟିଛି । ସେ ତା’ ଲୁଗା କାନିରେ ଆଖି ପୋଛିଲା । ଆଲଣାରୁ ବ୍ଲାଉଜଟି ଆଣି ପିନ୍ଧିଲା । ଭାବିଲା–ଟିକିଏ ବାହାରକୁ ଯିବ । ଘେରାଏ ବୁଲି ଆସିବ । ସବୁ ଦୁଃଖ, ଅଶ୍ରୁ ଆଉ ବ୍ୟଥା ପାସୋର ହୋଇଯିବ ।

 

କିନ୍ତୁ ଆଜିକୁ ତ ଅନେକ ଦିନ ହେଲା ତାରି ଜୀବନରେ ବ୍ୟଥା ନଥିଲା; ଆଖିରେ ଅଶ୍ରୁ ନଥିଲା, ମନରେ ଦୁଃଖ ନଥିଲା । କିନ୍ତୁ ହଠାତ୍‌ କ’ଣ ଏପରି ଘଟିଗଲା । କାହିଁକି ଅନେକ ଦିନ ପରେ ତା’ର ଜୀବନରେ ପୁଣି ଏମିତି ପରିବର୍ତ୍ତନ । ସେ କିଛି ଭାବିପାରୁ ନଥିଲା । କେବଳ ଧାର ଧାର ଲୁହ ତା’ ଆଖିରୁ ବୋହି ଆସୁଥିଲା । ଚିକ୍‌କଣ ଚଟୁଳ ଗାଲ ଉପରେ ମୁକ୍ତାଧାର ପରି ଅଶ୍ରୁ ଝରି ଆସୁଥିଲା । ତାକୁ ଆଜି ଭଲ ଲାଗୁଥିଲା କାନ୍ଦିବାକୁ, ଲୁହ ଢାଳିବାକୁ । ଅନେକ ଦିନର ରୁଦ୍ଧ ବେଦନା ଆଜି ପଥ ପାଇଲା, ଆତ୍ମପ୍ରକାଶ କରିବାକୁ । ଆଜି ସେ କାନ୍ଦିବ । ମନଭରି, ହୃଦୟ ଫଟାଇ କାନ୍ଦିବ । ଏତେ ଦିନ ଧରି ହସ ଆଉ ଆନନ୍ଦର କୃତ୍ରିମ ପରଦା ଅନ୍ତରାଳରେ; ସେ ଲୁହକୁ ଲୁଚାଇ ରଖିଥିଲା । ଆଜି ଆପେ ଆପେ ତାରି ଅଜାଣତରେ ଲୁହ ଝରିଛି । ଝରିଯାଉ । କ’ଣ ପରା କହନ୍ତି, ଲୁହ ଝରିଗଲେ ହୃଦୟର ବ୍ୟଥା କମିଯାଏ; ଜୀବନର ଦୁର୍ବିସହ ଭାରା ଉଶ୍ୱାସ ହୋଇଯାଏ-। ଆଜି ସେ ଉଶ୍ୱାସ ହେବାକୁ ଚାହେଁ । ସେ ଆଉ ସମ୍ଭାଳି ପାରିବନି । ସେ ଆଉ ନିଜକୁ ସଂଯତ କରି ରଖିପାରିବନି । ଆଉ ହସି ପାରିବନି । କାନ୍ଦିବ, ଖାଲି କାନ୍ଦିବ । ଯୁଗ ଯୁଗ ଧରି, ଅଜ୍ଞାତ ପ୍ରିୟର ଅନନୁଭୂତ ସ୍ପର୍ଶରେ ଶିହରି ଉଠି ସେ କାନ୍ଦିବ । ତା’ ଆଖିରେ ଲୁହ ଅନେକ । ଦେହରେ ବେଦନାର ସ୍ପର୍ଶ ପ୍ରଚୁର । ସେ କାନ୍ଦିବନି ତ ଆଉ କାନ୍ଦିବ କିଏ ସେ ?

 

ଏଇ କଥା ତାକୁ ଥରେ କହିଥିଲା ନୀହାର । ସେଦିନ ଠିକ୍‍ ଏମିତି ଗୋଟିଏ ଉଦାସିଆ ଦ୍ୱିପ୍ରହର । ଡିସେମ୍ବର ମାସର ଖରା ବୁଣି ହୋଇ ପଡ଼ିଥିଲା ଅଗଣାରେ । ଖା ପିଆ ସାରି ସାଗରୀକା ଘରର ଭିତର ପଟ ବାରଣ୍ଡାରେ ବସି କ’ଣ ଭାବୁଥିଲା । ସେପରି ନିଛାଟିଆ ଦ୍ୱିପ୍ରହରରେ ତା’ ମନରେ କେତେ ନା କେତେ ଭାବନା ଆସି ବସା ବାନ୍ଧେ । ସେ କୁମାରୀ ଜୀବନର ସୁନାର-ସୌଧ ତୋଳି ଚାଲେ । କଲେଜ-ଛୁଟି । ପ୍ରି-ଟେଷ୍ଟ ପରୀକ୍ଷା ସରିଯାଇଛି । ମୁଣ୍ଡ ଉପରେ କିଛି ବୋଝ ନାହିଁ.... । ହାଲ୍‍କା ମନ ଓ ଉଶ୍ୱାସିଆ ଛାତିରେ କେତେ ସ୍ୱପ୍ନର ତରଙ୍ଗ ମଥା ପିଟି ଖେଳୁଥିଲା । ବାପା ଘରେ ନାହାନ୍ତି । ଖାଇ ପିଇ ସାରି କେତେବେଳୁ କୁଆଡ଼େ ଗଲେଣି । ବୋଉ ପଡ଼ିଶା ଘରକୁ ଯାଇ କ’ଣ ଗପ ଜମେଇଛି । ଘରେ ସାଗରୀକା ଏକୁଟିଆ । ବାହାରେ ଡିସେମ୍ବର ଦ୍ୱିପ୍ରହରର ଖରା ଟାଇଁ ଟାଇଁ ମାରୁଛି । ସମୁଦ୍ରକୂଳିଆ ଥଣ୍ଡା ପବନ ବୋହି ଆସି, ସାଗରୀକାର ଦେହରେ ବାଜୁଥିଲା । ସେଦିନ ଠିକ୍‌ ଥିଲା ଆଜିପରି ଗୋଟିଏ ଦ୍ୱିପ୍ରହର ।

 

ଚମକି ପଡ଼ିଲା ସେ । ଅତୀତର କଥା ମନେପଡ଼ିଲେ ସେ ଏମିତି ଚମକି ପଡ଼େ । ସେଦିନ ନୀହାର ଆସିଥିଲା । ତା’ର ଭାବନାରେ ବାଧା ପଡ଼ିଲା । ସେ ପ୍ରକୃତିସ୍ଥ ହୋଇ ଦେଖିଲାବେଳକୁ ଆଉଜା ହୋଇଥିବା ଦାଣ୍ଡ କବାଟକୁ ଠେଲିଦେଇ ଭିତରକୁ ପଶି ଆସୁଛି ନୀହାର-। ସେଇ ଗମ୍ଭୀର ମୁହଁ–ଆଖି ପତାର ଅନ୍ତରାଳରେ ଅନନ୍ତ ଯୁଗର କାରୁଣ୍ୟ ଭରି ରହିଛି । ସେଠି ଯେମତି ବିରହୀ କବିର ଅନେକ କବିତା ଅପ୍ରକାଶିତ ଭାବରେ ଆତ୍ମଗୋପନ କରିଛନ୍ତି । ନୀହାର ଆସିଲା । ସମ୍ଭ୍ରମରେ ଠିଆ ହୋଇପଡ଼ିଲା ସେ । ଏତେ ଗମ୍ଭୀର କେବେ ଦିଶେନି ନୀହାର-। ସେ ହସି ହସି ଆସେ; ଥଟ୍ଟା କରି ତାକୁ ଚିଡ଼େଇ ଚିଡ଼େଇ କେତେ କଥା କହେ । କିନ୍ତୁ ଆଜି–ଏ ଅବେଳରେ । ଉଦୁଉଦିଆ ଦ୍ୱିପ୍ରହରର ଖରାଟାରେ କାହିଁକି ଆସିଲା ନୀହାର । କାହିଁକି ଏଡ଼େ ଗମ୍ଭୀର ଆଜି । କ’ଣ ହେଲା ?

 

ସାଗରୀକାର ଛାତି ଥରିଉଠିଲା । ଯେ ଯାହାକୁ ଭଲପାଏ ତାକୁ ସେତିକି ଭୟ କରେ । ସାଗରୀକା ନମସ୍କାର କଲା । ଉତ୍ତର ନାହିଁ...... । ଗମ୍ଭୀର ଭାବରେ ଚୌକିରେ ବସି ନୀହାର କହିଲା–‘‘ବସ ସାଗର’’ । ଯନ୍ତ୍ରଚାଳିତବତ୍‌ ସାଗରୀକା ବସି ପଡ଼ିଲା । କିନ୍ତୁ ନୀହାର ତାକୁ ଉଦାସ ଆଖିରେ ଚାହିଁଲା । ତା’ର ଆଖି ଛଳଛଳ ହୋଇଆସିଲା । ସେ ପୁଣି ମୁହଁ ବୁଲାଇ ନେଇ ଅଗଣା ଭିତରୁ ଦିଶୁଥିବା ଚେନାଏ ଆକାଶକୁ ଚାହିଁ କ’ଣ ଭାବିଲା । ଆଶ୍ଚର୍ଯ୍ୟ ହେଲା ସାଗରୀକା । ଏମିତି ତ କେବେ ସେ ଆଶା କରିନଥିଲା । କ’ଣ ହୋଇଛି ନୀହାରର । ସେ ସମ୍ଭାଳି ପାରିଲାନି । ଉଦବେଗରେ ଥରି ଥରି ପଚାରି ଦେଲା–‘‘କ’ଣ ହୋଇଛି ।’’

 

ନୀହାର ତା’ ମୁହଁକୁ ଚାହିଁଲା । ପୁଣି ମୁହଁ ବୁଲାଇ ନେଇ ଘର ଭିତରକୁ ଚାହିଁଲା । କାନ୍ଥରେ ଟଙ୍ଗା ହୋଇଥିବା ଫଟୋ କେଇଟି ଉପରେ ତା’ର କରୁଣ ଆଖି ଘୂରି ଆସିଲା । ସାଗରୀକାର ଛୋଟ ପିଲା ବେଳର ଫଟୋ; ସ୍କୁଲରେ ପଢ଼ୁଥିଲା ବେଳେ ‘ସୁଦାମା’ ଭୂମିକାରେ ଅଭିନୟ କରିଥିବା ସମୟରେ ଫଟୋ, ସବୁ ଝୁଲୁଛି । ତାକୁ କିଛି ଭଲ ଲାଗିଲାନି । ସେ ପୁଣି ଚାହିଁଲା ସାଗରୀକାକୁ । ଆଖିରେ ଅଜସ୍ର କୌତୂହଳ ଓ ଉଦବେଗରେ ସାଗରୀକା ତାକୁ ଚାହିଁଛି । ନୀହାର ଟିକିଏ ହସିଲା । କହିଲା–‘‘ଆଚ୍ଛା–ସାଗରୀକା–ମୁଁ ଯଦି ପୁରୀ ଛାଡ଼ି ଚାଲିଯାଏ, ତା’ହେଲେ କ’ଣ ତୁମେ ଦୁଃଖ କରିବ ?’’

 

କି ଅଦ୍ଭୁତ ଏ ପ୍ରଶ୍ନ ? କାହିଁକି ଏ ପ୍ରଶ୍ନ ପଚାରିଲା ନୀହାର । ସେ କ’ଣ ସାଗରୀକାକୁ ସନ୍ଦେହ କରୁଛି–ଅବିଶ୍ୱାସ କରୁଛି ନା ପରୀକ୍ଷା କରୁଛି । ନା–ସେ ବୋଧେ ପ୍ରକୃତରେ ଭଲପାଏନି ତାକୁ । ନ ହେଲେ ଏତେ ବଡ଼ ନିଷ୍ଠୁର ପ୍ରଶ୍ନ ପଚାରିବାକୁ ତା’ର ଜିଭ ଓଲଟି ଥାନ୍ତା କେମିତି ? ସେ କିଛି ଭାବିପାରିଲାନି । କ’ଣ ଉତ୍ତର ଦେବ ଏ ପ୍ରଶ୍ନର । ନୀହାର ପୁରୀ ଛାଡ଼ି ଚାଲିଯିବାକୁ ଚାହୁଁଛି–ଆଉ ଆସିଛି ତା’ର ମତାମତ ନେବାକୁ । ସେ କ’ଣ ଉତ୍ତର ଦେବ ? ତା’ର ଉତ୍ତରର ବା କି ମୂଲ୍ୟ ଥାଇପାରେ ? କାହିଁକି ନୀହାର ଆଜି ଏପରି ପ୍ରଶ୍ନ ପଚାରୁଛି । ସତରେ କ’ଣ ଜୀବନର ସବୁ ଦେଇ ସେ ତାକୁ ନିଜର କରିପାରିଲାନି । ଆଜି କ’ଣ ତାହେଲେ ସାଗରୀକାଠୁଁ ମୁକ୍ତି ଚାହୁଁଛି ନୀହାର । ସେ କ’ଣ ଏମିତି ତାକୁ ବାନ୍ଧି ରଖିଥିଲା ? ତା’ର ସ୍ନେହ ମମତାର ଚାପରେ କ’ଣ ଏତେ ଭାରାକ୍ରାନ୍ତ ନୀହାର ? ଯା ଫଳରେ କି ସେ ଆଜି ପୁରୀ ଛାଡ଼ି ଚାଲିଯିବ । କେବଳ ସାଗରୀକାଠୁଁ ନିଜକୁ ଦୂରରେ ରଖିବାକୁ ।

 

ଆଉ କିଛି ଭାବିପାରିଲାନି ସେ । ତା’ ଆଖିରେ ସବୁ ଅଭିଯୋଗ ଛଳଛଳ ହୋଇ ଫୁଟି ଉଠିଲା । ଧାର ଧାର ଲୁହ ନୀରବରେ ଝରିଆସି ତାକୁ ଜଣାଇ ଦେଲା ସେ କାନ୍ଦୁଛି । ଆଉ ସମ୍ଭାଳି ପାରିଲାନି ସାଗରୀକା । ଟେବୁଲ୍‍ ଉପରେ ମୁଣ୍ଡପୋତି ସେ କଇଁ କଇଁ ହୋଇ କାନ୍ଦି ଉଠିଲା । କୋହ ପରେ କୋହ ଉଠିଲା ।

 

ନୀହାର ଉଠି ଠିଆ ହେଲା । କହିଲା–‘‘ତୁମକୁ ଅନେକ କଥା କହିବାର ଥିଲା । ସେଇଥି ଲାଗି ଆସିଥିଲି । କିନ୍ତୁ ତୁମେ ଏପରି କାନ୍ଦିଲେ ମୁଁ ଭାବିବି ଯେ ତୁମେ ମୋର କଥା ଶୁଣିବାକୁ ଚାହଁନି । ବରଂ ମୋତେ ତଡ଼ି ଦେବାକୁ ଚାହଁ । ତା’ହେଲେ ମୁଁ ଚାଲିଯିବି ।’’ ସାଗରୀକା ନୀହାରର ଏଇ ନିଷ୍ଠୁର କଥାଗୁଡ଼ାକ ଶୁଣିଲା । ସେ ଜାଣେ ନୀହାର ଭାରୀ ଜିଦଖୋର୍‌। ସେ ଯାହା କହିବ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବ । ତାକୁ ଭାରୀ ଭୟ ଲାଗିଲା । ଯଦି ନୀହାର ଚାଲିଯାଏ ! ନା ! ତା’ହେଲେ କ’ଣ ସେ କହିବାକୁ ଆସିଥିଲା; କ’ଣ ତା’ର ହୋଇଛି–ସେ ସବୁ ଣୁଣିବ । ସେ ଆଖିରୁ ଲୁହ ପୋଛିଲା । ଅନ୍ତରର ସମସ୍ତ ରୁଦ୍ଧ ଆବେଗକୁ ଅତି କଷ୍ଟରେ ସମ୍ଭାଳି ନେଇ କହିଲା–‘‘କ’ଣ କହିବ–କହ ।’’

 

ନୀହାର ତା’ ମୁହଁକୁ ଚାହିଁଲା । କି କରୁଣ ସେ ଚାହାଁଣି । କି ମର୍ମଭେଦୀ ତା’ର ଦୃଷ୍ଟି । ସାଗରୀକାର ଦେହ ଉପରେ ତା’ର ଆଖି ବୁଲାଇ ଆଣି ସେ କହିଲା–‘‘ତୁମେ କାନ୍ଦିଲ ସାଗର । କିନ୍ତୁ ଜୀବନରେ ତ ଅନେକ କାନ୍ଦିବାକୁ ପଡ଼ିବ । ଆଜିଠୁଁ ଯଦି ସବୁ ଲୁହ ସାରିଦେବା, ସେତେବେଳେ ଆଉ କାହାକୁ ନେଇ ବଞ୍ଚିବା ତା’ହେଲେ ।’’ ନୀହାରର କଣ୍ଠ ଆର୍ଦ୍ର ହୋଇଆସିଲା । ସେ ଆଉ କହିପାରିଲା ନାହିଁ..... । ବଡ଼ ବଡ଼ ଆଖିରେ ତା’ର ସେଇ ଉଦାସ ଆଖି ପତା ଓ ଓଠକୁ ଚାହିଁ ରହିଲା ସାଗର ।

 

‘‘ମୋର ବଦଳି ହୋଇଯାଇଛି ବହୁତ ଦୂରକୁ; ମୁଁ ତୁମଠୁଁ ଶେଷଥର ପାଇଁ ବିଦାୟ ନେବାକୁ ଆସିଛି ।’’ ନୀହାରର ଏଇ କଥାରେ ଚମକି ପଡ଼ିଲା ସାଗର । ସେ ପୂର୍ବରୁ ବିଶ୍ୱାସ କରୁନଥିଲା; ସତରେ ନୀହାର ଦୂରକୁ ଚାଲିଯିବ । ସେ ଭାବିଥିଲା ତାକୁ ପରୀକ୍ଷା କରୁଛି ବୋଲି । କିନ୍ତୁ ସତକୁ ସତ ତା’ର ବଦଳି ହୋଇଯାଇଛି । କାହିଁ କିଛି ତ ଆଗରୁ ଶୁଣା ନଥିଲା । ତା’ର ଅନ୍ତର ଭିତରେ କି ଏକ ଅଦ୍ଭୁତ ଶିହରଣ ସୃଷ୍ଟି ହେଲା । ନୀହାରର ଆଖି, ତା’ର ମୁହଁ ଆଉ କଥା ସବୁ ସୂଚାଇ ଦେଉଥିଲା ଯେ ସେ ସତ କହୁଛି । ତା’ କଥାରେ ଅବିଶ୍ୱାସ କରିବାରେ କୌଣସି କାରଣ ନଥିଲା । ସାଗରୀକା ହତବମ୍ବ ହୋଇ ଚାହିଁ ରହିଥିଲା, ନୀହାର ମୁହଁକୁ । ନୀହାର ଆକାଶକୁ ଚାହିଁ କ’ଣ ଭାବୁଥିଲା । ସେ ଏମିତି ଭାବେ; କ’ଣ ଭାବେ, କେଜାଣି !

 

ସେଇ ଦିନ ଥିଲା ଠିକ୍‌ ଏମିତି ଗୋଟିଏ ଉଦାସିଆ, ନିଛାଟିଆ ଦ୍ୱିପ୍ରହର । ନୀହାର ଆସିଥିଲା । ଆଉ କହିଥିଲା ତାକୁ ଜୀବନରେ ଅନେକ କାନ୍ଦିବାକୁ ପଡ଼ିବ ବୋଲି । ତା’ ପରଠୁ ସାଗରୀକା ଚେଷ୍ଟା କରିଛି ହସିବାକୁ, ଏବଂ ତା’ର ସାଙ୍ଗସାଥୀ ବନ୍ଧୁବାନ୍ଧବ ସମସ୍ତଙ୍କୁ ପ୍ରାଣଭରି ହସାଇବାକୁ । କିନ୍ତୁ ହାୟ ତା’ର ଏଇ ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଯାଇଛି ଶେଷରେ । ସେ ପୁଣି କାନ୍ଦିଲା । ଆଉ ସବୁଠୁଁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଦୀର୍ଘ ଛ’ବର୍ଷ ପରେ ପୁଣି ନୀହାରର କଥା ସତ ହେଲା । ସେ ଆଶ୍ଚର୍ଯ୍ୟ ହେଲା । ଜୀବନକୁ ଏତେ ଦୂରରୁ, ଏତେ ସ୍ପଷ୍ଟ ଭାବରେ, କିମିତି ଦେଖିଥିଲା ନୀହାର । କାହିଁ କେତେ ଚେଷ୍ଟା ନ କରିଛି ସାଗରୀକା ନୀହାରର ଛୋଟ-ବଡ଼, କରୁଣ-ମଧୁର ସବୁ ସ୍ମୃତିକୁ ମନ ଭିତରୁ ଚିରଦିନ ପାଇଁ ଫୋପାଡ଼ି ଦେବାକୁ । କିନ୍ତୁ କାହିଁ ଜମା ପାରିଲାନି ତ ?

 

ସତରେ କ’ଣ ତାକୁ ଏତେ ଭଲପାଉଥିଲା ନୀହାର । ପ୍ରେମ ବୋଲି ପ୍ରକୃତରେ କ’ଣ ସେମିତି କିଛି ଗୋଟାଏ ବିରାଟ ଜିନିଷ ଅଛି–ଯାହାକି ସ୍ୱର୍ଗୀୟ ଦେହାତୀତ, ଅତୀନ୍ଦ୍ରିୟ । ଏଇ କଥା ତାକୁ ଅନେକଥର କହିଛି ନୀହାର । ତା’ର ଅଧିକାଂଶ କବିତାରେ ଏଇ କଥାହିଁ ସେ ଲେଖିଛି । କିନ୍ତୁ ସାଗରୀକା ବିଶ୍ୱାସ କରିନଥିଲା । ସେ ଭାବେ ଯେ ଦେହଟା ହିଁ ବଡ଼ । ଦେହ ପାଖରୁ ଦେହ ଦୂରେଇ ଗଲେ ମନର ମଣିଷଠୁଁ ମନ ଛାଡ଼ିଯାଏ । ପ୍ରତିଦିନ ଦେଖା ଚାହାଁ, କଥାବାର୍ତ୍ତା ନ ହେଲେ; ଆଦର ଅଭିମାନଭରା ଭାବରେ ଆଦାନପ୍ରଦାନ ନ ହେଲେ ପ୍ରେମ ବଞ୍ଚି ରହି ପାରେନା । କିନ୍ତୁ ସବୁ ବିଶ୍ୱାସ ତା’ର ଆଜି ମିଛ ହୋଇଯାଉଛି । କାହିଁକି ? ତା’ର ଜୀବନର ଦର୍ଶନ କ’ଣ ଏଡ଼େ ଭ୍ରମାତ୍ମକ-। ସେ କିଛି ଭାବିପାରିଲାନି । ବାହାରକୁ ଚାହିଁଲା ।

 

ଦ୍ୱିପ୍ରହରର ଖରା ବାହାରେ ମଉଳି ଆସିଛି । ଝରକାରେ ଲାଗିଥିବା ନୀଳରଙ୍ଗର ପରଦା ହାଲକା ପବନରେ ଉଡ଼ୁଛି । ଘରେ କେହି ନାହାନ୍ତି । ସେ ଏକା । ସରକାରୀ ଘର । ସ୍କୁଲ କମ୍ପାଉଣ୍ଡ ଭିତରେ କ୍ୱାର୍ଟରସ୍‌ ପାଇ ସେ ରହୁଛି । ପାଖରେ ତା’ର କେବଳ ଚାକରାଣୀ ସୀତା । ଦୂରରେ ଦିଶୁଛି ସ୍କୁଲ । ନାନା ରଙ୍ଗର କ୍ରୋଟନ୍‌ ଗଛ, ଖରାରେ ଅଧା ଝାଉଁଳି ପଡ଼ିଛନ୍ତି । ପବନ ସେଇ ଝାଉଁଳି ପଡ଼ିଥିବା ପତ୍ର ଉପରେ ବହି ଯାଉଛି । ଥରି ଉଠୁଛି କ୍ରୋଟନ୍‌ ଗଛର ଚିତ୍ର, ବିଚିତ୍ର ପତ୍ର । ନିଜର ଶାଢ଼ି ତଳେ ଥରିଉଠିଲା ସାଗରୀକା । ପବନ ପଶି ଆସୁଛି ଝରକା-ପରଦାକୁ ଠେଲିଦେଇ । ତା’ର ବାଇଶିଟି ବସନ୍ତ-ଧୁଆ ଦେହରେ ଛୁଇଁ ଯାଉଛି । ଶାଢ଼ି ଭିତରେ ପବନ ଲୁଚକାଳି ଖେଳୁଛି । ବାହାରେ ମଉଳା ଖରା । ଆକାଶରେ ଶୁଖିଲା ମେଘ ଭାସି ଯାଉଛି, ଦୂରକୁ ଦୂରକୁ । ସାଗରୀକା ସେଇଆଡ଼େ ଚାହିଁଲା ।

 

ଏଇ ମେଘକୁ ଚାହିଁ ଚାହିଁ ସେଦିନ କେତେ କଥା କହିଯାଇଥିଲା ନୀହାର । ତା’ର କଥା ଶୁଣିବାକୁ ସାଗରୀକାକୁ ଭାରି ଭଲ ଲାଗେ । ସେ କଥା ସୁଖର ହେଉ ବା ଦୁଃଖର ହେଉ, ମିଳନର ମାଧୁରୀମାରେ ଭରିଥାଉ ବା ବିରହର କାରୁଣ୍ୟରେ ସିକ୍ତ ହୋଇଥାଉ ପଛକେ; ନୀହାରର କଥା କାନକୁ ଭଲଲାଗେ । ତା’ର ମଧୁର ଭାଷା ଆଉ ଗମ୍ଭୀର ସ୍ୱର; ତା’ ଭିତରେ କବିତ୍ୱର କୋମଳ ସ୍ପର୍ଶ ଥାଏ । ସେଦିନ କାହିଁକି ସାଗରକୁ ନୀହାର କଥା ବେଶୀ ଭଲ ଲାଗିଲା । ସେ ଭାବିଲା, ଏଇପରି ନୀହାର କହୁଥାନ୍ତା ଓ ସେ ତା’ ପାଖରେ ବସି; ତା’ ମୁହଁ ଉପରେ ଆଖିରଖି ଯୁଗ ଯୁଗ ଧରି ଶୁଣୁଥାନ୍ତା । ‘‘ମୁଁ ଅନେକ ଦୂରକୁ ଚାଲିଯିବି ସାଗରୀକା–ଯେଉଁଠୁ କି ତୁମର ପାଖକୁ ଆସିବା ପ୍ରାୟ ସମ୍ଭବ ହେବନି । କିନ୍ତୁ ତୁମେ କ’ଣ ସବୁ ଭୁଲିଯିବ ?’’

 

ନୀହାରର କଥା ସାଗରର କାନରେ ବାଜିଲା । ସେ କ’ଣ ଉତ୍ତର ଦେବ ଭାବିପାରିଲାନି-। ନୀହାରକୁ ସେ ଭୁଲିଯିବ ? କିମିତି ଭୁଲିବ । ଭୁଲିବାଟା କ’ଣ ଜୀବନରେ ଏଡ଼େ ସହଜ ? ଏଡ଼େ ଶୀଘ୍ର କ’ଣ କେହି କାହାକୁ ଭୁଲି ପାରିଲାଣି ? ତା’ପରେ ନୀହାରକୁ– ? ତା’ର କୁମାରୀ ଜୀବନର ସବୁ କିଛି ନେଇ ଆଜି ଯେ କାହିଁ କେତେ ଦୂରକୁ ଚାଲିଯାଉଛି, ତାକୁ ସେ ଭୁଲିବ କିମିତି ? ସେ ନୀହାରକୁ ଭୁଲିଯାଇ ପାରନ୍ତା । ଅନ୍ତତଃ ତାକୁ ଭୁଲିବାକୁ ବିଶେଷ କଷ୍ଟ ହୁଅନ୍ତାନି ତା’ର । କିନ୍ତୁ ତା’ ସଙ୍ଗରେ ନିଜ ଜୀବନର ଯେଉଁ ଅମୂଲ୍ୟ ସମ୍ପଦ ଚାଲିଯାଉଛି ତାକୁ ସେ ଭୁଲିବ କିମିତି ? ନୀହାର ହାତରେ ସେ ଯେଉଁ ଦାନ ତୋଳି ଦେଇଥିଲା, ତାକୁଇ ନେଇ ସେ ଦୂରକୁ ଚାଲିଯିବ । ଆଉ କ’ଣ ନିଜସ୍ୱ ହୋଇ ରହିଲା ସାଗରୀକାର । କ’ଣ ସେ କରିବ ସତେ ! ନୀହାର.... ପ୍ରିୟତମ ନୀହାର....ପ୍ରାଣର ନୀହାର.... ।

 

ସାଗରୀକା ପୁଣି କାନ୍ଦିଲା । ଟେବୁଲ୍‍ ଉପରେ ମୁଣ୍ଡଭରା ଦେଇ କେତେ ନା କେତେ କାନ୍ଦିବାକୁ ତା’ର ମନ ହେଉଛି । ସେ କିଛି କହିପାରିଲାନି–ଖାଲି ଥର ଥର କଣ୍ଠରେ କହିଲା–‘‘ତୁମେ ଆସିବ–ଆଉ ଚିଠି ଦେବ–ମୋ ରାଣ ।’’ ନୀହାର ତା’ ମୁହଁକୁ ଚାହିଁଲା । ଆଖି ପତାରୁ ଧାର ଧାର ଲୁହ ବୋହି ଆସି ତା’ର ସୁନ୍ଦର ଗୋଲାପୀ ଗାଲକୁ ଓଦା କରିଦେଇଛି । ସେ ଧୀରେ ଧୀରେ ତା’ ପାଖକୁ ଆସିଲା । ଦୁଇ ହାତରେ ସେଇ ସୁନ୍ଦର ମୁହଁଟିକୁ ତୋଳିଧରି କେତେ କ୍ଷଣ ନୀରବରେ ଚାହିଁଲା । ତା’ପରେ ସେମିତି ତା’ର ଅତି ପାଖକୁ ମୁହଁ ଆଣି କହିଲା–‘‘ଯେତେବେଳେ ସମୟ ହେବ ଆସିବି, କିନ୍ତୁ ତୁମେ ଏଇ ଦେହ ଓ ମନ ନେଇ ମୋତେ ସବୁ ଦିନେ ଗ୍ରହଣ କରି ପାରିବ ତ ?’’ ସାଗରୀକା ମୁଣ୍ଡ ହଲାଇ ସମ୍ମତି ଦେଲା । ନୀହାରର ଓଠ କଣରେ ଟିକିଏ ହସ ଝରି ଆସୁ ଆସୁ ପୁଣି ଶୁଖିଗଲା । ସେ ସାଗରର ଓଠରେ ମୁହଁ ଲଗାଇଲା । କି ଏକ ତୃପ୍ତିର ସ୍ପର୍ଶରେ ସେଇପରି ଆଖି ମୁଦି ନୀରବରେ ନୀହାରର ବୁକୁ ଉପରେ ମଥା ରଖିଲା ସାଗରୀକା । ଏଇପରି କେତେ ସମୟ ଗଲା । ହଠାତ୍‌ ନୀହାର କହିଲା–‘‘ମୁଁ ଯାଏ ସାଗର । ଆଉ ବୋଧେ ଏ ଭିତରେ ଦେଖା ହେବନାହିଁ । ଆଜି ବଦଳି ଅର୍ଡ଼ର ପାଇଲି । ଏଇ ଦୁଇ ତିନି ଦିନ ମଧ୍ୟରେ ଚେଷ୍ଟା କରିବି ଚାଲି ଯିବାକୁ ।’’

 

ନୀହାର ତାକୁ ଚାହିଁଲା । ସେ ନୀହାର ମୁହଁକୁ ଚାହିଁଲା ବେଳକୁ ତା’ର ଆଖି ପୁଣି ଲୁହରେ ଭରିଗଲା । ସତରେ ନୀହାର ଚାଲିଯିବ । କାହିଁ କେତେ ଦୂରକୁ । ନଈ ନାଳ, ପାହାଡ଼ ପର୍ବତ ଆର ପାରିରେ ନୀହାରର ରକ୍ତ ମାଂସର ସୁନ୍ଦର ସୁଠାମ ଦେହଟି ଲୁଚିଯିବ । ଯେଉଁ ନୀହାରକୁ ଦିନେ ନ ଦେଖିଲେ ଭାତ ରୁଚୁ ନଥିଲା, ନୀହାର ସହିତ ପଦେ କଥା ନ ହେଲେ ସବୁ ପିତା ଲାଗୁଥିଲା; ସେ ପୁଣି ସାତ ପର ହୋଇଯିବ । କାହିଁ କେତେ ଦୂରକୁ ଚାଲିଯିବ । ତା’ର ଦେଖାହେବ ସାତ-ସପନ । ସତରେ ସେ କ’ଣ କରିବ ? କିମିତି ବଞ୍ଚିବ ? କିମିତି ତା’ର ଜୀବନ ନିତିଦିନିଆଁ ଚଲାବାଟରେ ଗଡ଼ି ଚାଲିବ ? ନୀହାର ବିନା ଯେ ସେ ରହିପାରିବ ନାହିଁ; ଏ ଧାରଣା ତ ତା’ର ଦିନେ ହୋଇନଥିଲା । କିନ୍ତୁ ଆଜି ?

 

ତା’ର ମୁଣ୍ଡ ବୁଲାଇ ଦେଲା । ସେ ଦୁଇ ହାତରେ ନିବିଡ଼ ଭାବରେ ଗୁଡ଼ାଇ ଧରିଲା ନୀହାରକୁ । କହିଲା–‘‘କୁହ–ପ୍ରତି ମାସରେ ଥରେ ଆସିବ କି ନାଇଁ । ଯେକୌଣସି ମତେ, ଯେଉଁଠି ଥାଅ ନା କାହିଁକି ମୋ ପାଖକୁ ଆସିବ–ନିଶ୍ଚୟ ।’’ ନୀହାର ଟିକିଏ ହସିଲା । ସେ ହସ ସୁଖର ନୁହଁ; ଆନନ୍ଦର ନୁହଁ–ଦୁଃଖ ଆଉ ବେଦନାର । କିଛି କ୍ଷଣ ପରେ କହିଲା–‘‘ତୁମେ ଯଦି ମୋତେ ପ୍ରକୃତରେ ଅନ୍ତର ଦେଇ ଭଲ ପାଉଥାଅ–ତା’ହେଲେ ମୁଁ କେଉଁଠି ରହିପାରିବିନି । ଆପେ ଆପେ ତୁମରି ପାଖକୁ ଟାଣିହୋଇ ଆସିବି । ତୁମର ସ୍ନେହ, ପ୍ରେମ ଓ ଅନ୍ତରର ଆକର୍ଷଣ ମୋତେ ହଜାର ହଜାର ମାଇଲ ଦୂରରୁ ଆପେ ଆପେ ଟାଣି ଆଣିବ ।’’

 

ସାଗରର ବାହୁ ବନ୍ଧନ ଶିଥିଳ ହେଲା । ନୀହାର ବିଦାୟ ମାଗିଲା । ସେ ଯିବ । ତା’ର ଅନେକ କାମ ବାକି । ପାହାଚ ତଳକୁ ଓହ୍ଲାଇ ଯାଉ ଯାଉ ପୁଣି ଥରେ ପଛକୁ ଫେରି ଚାହିଁ କହିଲା–‘‘ଚିଠି ଦେବ ସାଗର–ମୋ ରାଣ ।’’ ସାଗରୀକା ସେଇପରି ଚାହିଁଥାଏ । ସନ୍ଧ୍ୟା ନଇଁ ଆସୁଥାଏ ସହରର ସେଇ ଛୋଟ ଗଳିଟି ଉପରେ । ଆସ୍ତେ ଆସ୍ତେ ଗଳି ମୁଣ୍ଡରେ ନୀହାର ମିଶିଗଲା । ଆଉ ସାଗରୀକା ଆଖିକୁ ଦେଖା ଗଲାନି । ସେ ଦୁଆର ବନ୍ଦ କରି ଘରକୁ ଫେରିଲା । ସେଦିନ ସେ ପ୍ରଥମ ଥର ପାଇଁ ପ୍ରିୟଜନର ବିଚ୍ଛେଦ ଯେ କେତେ ମର୍ମନ୍ତୁଦ ତାହା ଅନୁଭବ କରିଥିଲା । ଅନେକଥର ସେ ଏମିତି ନୀହାରକୁ ବିଦାୟ ଦେଇଛି । କିନ୍ତୁ ସେ ବିଦାୟରେ ଦୁଃଖ ନଥିଲା, ବେଦନା ନଥିଲା । ବରଂ ପ୍ରତିଥର ବିଦାୟ ବେଳେ ପୁଣି ଭବିଷ୍ୟତ ମିଳନର ସ୍ୱପ୍ନ ସେ ଦେଖେ । ନୀହାର ଧୀରେ ଧୀରେ ଗଳି ମୁଣ୍ଡରେ ଅଦୃଶ୍ୟ ହୋଇଯାଏ । ସାଗରୀକା ଘରକୁ ଫେରି ସ୍ୱପ୍ନ-ବିଭୋର ହୋଇ ଉଠେ । ନୀହାରର ହସ, ତା’ର କଥା, ତା’ର ଆଖିର ଭଙ୍ଗୀ ଗୋଟି ଗୋଟି ମନେପକାଇ ସାଗରୀକା ହସେ; ମନେମନେ ଅଭିମାନ କରେ । ଭାବେ–‘‘କାଲି ଦେଖାହେଲେ ସେ ନୀହାରକୁ କଥା କହିବନି । ମିଛି ମିଛିକା ଅଭିମାନ କରିବ । କଲେଜରେ ତା’ କ୍ଲାସକୁ ଯିବନି । କି ନ ହେଲେ ସକାଳେ ଚିଠି ଦେଲାବେଳେ ଲେଖିଦେବ ଯେ ତା’ ଦେହ ଭଲ ନାହିଁ ।’’ ନୀହାର ବ୍ୟସ୍ତ ହେବ । ପୁଣି ତା’ ଘରକୁ ଧାଇଁଆସି ପଚାରିବ–‘‘ଆରେ କାଲି ତ ଏତେ ଭଲ ଥିଲ–ହଠତ୍‌ ଏଇ ରାତିଟାରେ କ’ଣ ହୋଇଗଲାମ ?’’ ମିଛ ବୋଲି ଜାଣିଲେ ପିଲାଙ୍କ ପରି ଅଭିମାନ କରିବ । ଆଉ ନିଛାଟିଆରେ ଏକୁଟିଆ ବେଳେ ତା’ ଗାଲରେ ଆସ୍ତେ ଆସ୍ତେ ଛୋଟ ଛୋଟ ଚାପୁଡ଼ା ମାରି କହିବ–‘‘ଫାଜିଲ୍‌–ଏତେ ମିଛ କେବଠୁଁ ଶିଖିଲଣିମ ? ସେ ଲାଜ ଆଉ ଆନନ୍ଦରେ ମୁହଁ ତଳକୁ କରି କହିବ–‘‘ଅଭଦ୍ର-ଦୁଷ୍ଟ ।’’ ଗାଳିଦେଲେ ନୀହାର ହସେ । ସେଇ ହସ ଅଭିମାନର ଦିନଗୁଡ଼ାକ ଆଉ ଫେରିଆସିବନି । ନୀହାର ସେଇ ସବୁ ଅନୁଭୂତି-ମଧୁର ଦିନଗୁଡ଼ିକ ଚିରଦିନ ପାଇଁ, ତା’ ସାଙ୍ଗରେ ନେଇ କାହିଁ କେଉଁ ଅଜଣା ରାଇଜରେ, ଦୂର ଦିଗ୍‌ବଳୟ ସେପାରେ ଲୁଚିଯିବ ।

 

ସାଗରୀକା ପୁଣି କାନ୍ଦିଲା । ଆଜି ତା’ର ଅତୀତର ଲୁଚିଗଲା ଦିନର ସବୁ ଛପିଗଲା କଥାଗୁଡ଼ାକ ଗୁଡ଼େଇ ତୁଡ଼େଇ ହୋଇ ମନେପଡ଼ୁଛି । ସେ କେତେ ଚେଷ୍ଟା ନ କରିଛି ଏହି ନୀହାରକୁ ଆଉ ତା’ ସହିତ ସଂପୃକ୍ତ ସବୁ ଘଟଣାକୁ ଗୋଟି ଗୋଟି କରି ଭୁଲିଯିବାକୁ । କିନ୍ତୁ କି ଦୁର୍ବଳ ସେ । କେଡ଼େ ଚତୁର ନୀହାର । ଠିକ୍‌ ଏଇପରି ଗୋଟିଏ ଗୋଟିଏ ଦୁର୍ବଳ ମୁହୂର୍ତ୍ତରେ ନୀହାରର ସ୍ମୃତି ତା’ ଆଖି ଆଗରେ ଭାସି ଉଠେ । ନୀହାରର ହସିଲା ହସିଲା ମୁହଁ ବିଦ୍ରୂପ କଲା ଭଙ୍ଗୀରେ ପଚାରେ–‘‘ବାଃ ଭାରୀ ମନେରଖିଛ ସାଗର–ବେଶ୍‌ ଚିଠି ଦେଲ । ଏଇ ତମର ପ୍ରେମ–ଏମିତି ତମର ଆନ୍ତରିକତା’’–ରାଗ ଅଭିମାନରେ ସେଇ କାଳ୍ପନିକ ନୀହାରର ନାକପୁଡ଼ା ଫୁଲି ଉଠେ । ଆଖିରେ ଲୁହ ଆଉ ରାଗ ଏକାଠି ମିଶି ଳହଡ଼ି ଭାଙ୍ଗନ୍ତି । ସାଗରୀକା ସେ ଦୃଶ୍ୟ ସହିପାରେନା । ସେ ସ୍ମୃତି ତା’ ଛାତି ଭିତରେ ବିଷାକ୍ତ ଶର ଭଳି ଭେଦିଯାଏ । ସେ ଧାଇଁ ପଳାଏ ତା’ର ସହକର୍ମିଣୀମାନଙ୍କ ପାଖକୁ । ଇରା, ଇନ୍ଦିରା, ବାସନ୍ତୀ ପ୍ରଭୃତିଙ୍କ ମେଳରେ ହସି ହସି ସେ ନୀହାରକୁ ଭୁଳିବାକୁ ଚେଷ୍ଟା କରେ । ପ୍ରେମିକ ନୀହାରକୁ । ଯେ ପ୍ରେମ ଲାଗି ଜୀବନର ସବୁ କିଛି ଅମ୍ଳାନ ବଦନରେ ଅକାତରରେ ବଳି ଦେଇଛି । ସାଗରୀକାର ସ୍ନେହ ଓ ପ୍ରେମର ଗର୍ବରେ ଦୁନିଆର ଅଜସ୍ର ନିନ୍ଦା ଅପବାଦକୁ ଖାତିର୍‌ ନ କରି ବଞ୍ଚିଛି । ଆଉ ତା’ର ପ୍ରତି କବିତାରେ ସେ ଖୋଜିଛି ସାଗରୀକାକୁ, ତା’ର ଅନ୍ତରର ପ୍ରାଣର ପ୍ରକୃତ ନାରୀକୁ । ଯାହାକୁ ସେ ଭଲପାଇଥିଲା । ଯେଉଁ ଭଲପାଇବା ସାଧାରଣ ଭଲପାଇବା ଠାରୁ ଭିନ୍ନ । ଯେଉଁ ‘ପ୍ରେମ’ ଲାଗି ତା’ର ଲାଭ ଅପେକ୍ଷା କ୍ଷତି ହୋଇଛି ବେଶୀ । ଆଜି ସେଇ ଆଦର୍ଶ ଉଦାର ପ୍ରେମ-ସର୍ବସ୍ୱ ନୀହାରର କଥା ତା’ର ମନେପଡ଼ୁଛି । ସେ କୁଆଡ଼େ ଯିବ । କାହା ପାଖକୁ ଯିବ । କେହି କୁଆଡ଼େ ନାହାନ୍ତି । ସେ ଏକୁଟିଆ....ସମ୍ପୂର୍ଣ୍ଣ ଏକାକୀ ।

 

କେହି କୁଆଡ଼େ ନାହାନ୍ତି । ସ୍କୁଲ ଦୁଇ ଦିନ ହେଲା ଛୁଟି ହୋଇଗଲାଣି । ଇରା, ଇନ୍ଦିରା, ବାସନ୍ତୀ, ବନଲତା ସମସ୍ତେ ନିଜ ନିଜ ଘରକୁ ଗଲେଣି । ସେ ଯାଇପାରିନି । ଯିବାକୁ ଇଚ୍ଛା କରିନି-। ବାରିପଦାର ମୁଣ୍ଡଫଟା ଖରାରେ ବି ସେ ରହିଛି । ଘରେ ବାହାରେ ସବୁଠି ଗ୍ରୀଷ୍ମର ପ୍ରଖରତା-। ତଥାପି ସେ ବାରିପଦାର ଅସହ୍ୟ ଗ୍ରୀଷ୍ମରେ ନିଜକୁ ପୋଡ଼ି ଜାଳି ଏଇଠି ପଡ଼ିଛି । ତା’ର କୁଆଡ଼େ ଯିବାକୁ ଇଚ୍ଛା ନାହିଁ କି ଆଗ୍ରହ ନାହିଁ । କୁଆଡ଼େ ବା ସେ ଯିବ । ବୋଉ ଚିଠି ଲେଖିଥିଲା; ଘରକୁ ଯିବାକୁ । କିନ୍ତୁ ପୁରୀ ଯିବାକୁ ତା’ର ଜମା ଆଗ୍ରହ ନାହିଁ । ସେଠାରେ ସେ ଶାନ୍ତିରେ ଗୋଟିଏ ମୁହୂର୍ତ୍ତ ବି ରହିପାରିବନି । ସେଇ ଘର, ସେଇ ରାସ୍ତା, ସେଇ ସମୁଦ୍ରକୂଳ ସବୁଠି ନୀହାରର ସ୍ମୃତି । ନୀହାର ସିନା ସେଇଠି ନାହିଁ । କିନ୍ତୁ ସେଇ ଗୋଡ଼ି ମାଟି, ଆକାଶ ପୃଥିବୀ, ବାଟଘାଟ ସମସ୍ତେ ନୀହାର ଓ ସାଗରୀକା ଦୁହିଁଙ୍କୁ ଜାଣନ୍ତି । ସେମାନେ ତାକୁ ପ୍ରତି ପଦେ ପଦେ ନୀହାର କଥା ପଚାରିବେ-। ନୀହାରର ସ୍ମୃତି ଛାଇ ଭଲି ତା’ର ପଛେ ପଛେ ଲାଗିଥିବ । ତାକୁ ମୁହୂର୍ତ୍ତେ ହେଲେ କେଉଁଠି ଶାନ୍ତିରେ ରଖେଇ ଦେବନାହିଁ । ସେ ଯିବ କେମିତି ? ସେଠି ଚଳିବ କେମିତି ?

 

ଗଲା ପୂଜା ଛୁଟିରେ ସେ ଘରକୁ ଯାଇଥିଲା । ବହୁ ଦିନ ପରେ ଘରେ ପହଞ୍ଚି ବାପା ଓ ବୋଉଙ୍କୁ ନମସ୍କାର କରି ଯେତେବେଳେ ଉପର ମହଲାକୁ ଉଠିଗଲା, ସେତେବେଳେ ଉପର ଘର ଏରୁଣ୍ଡି ଡେଇଁ ଭିତରକୁ ପଶୁ ପଶୁ ସେ ଚମକି ପଡ଼ିଥିଲା, ତାକୁ ଜଣାପଡ଼ିଲା ସତେ ଯେମିତି ସେଠି ନୀହାର ବସିଛି । ଯେତେବେଳେ ନୀହାର ଆସେ, ସେ ତଳ ମହଲାରେ ବସିବାବୁ ମନାକରେ । ସିଧା ଏଇ ଉପରକୁ ଆସେ । ଏଇଠୁଁ ଡୁଡ଼ୁଓ୍ୱାଲା ଧର୍ମଶାଳାର ଉପର ମହଲା ପରିଷ୍କାର ଦେଖାଯାଏ-। ତା’ ପାଖରେ ସାଗରୀକା ଠିଆହୋଇ ତାକୁ ଗୋଟି ଗୋଟି କରି ବଡ଼ଦାଣ୍ଡର କୋଠା ସବୁ ଚିହ୍ନାଇ ଦିଏ । ନୀହାର ବି ସେଇଠୁ ତାକୁ ଆକାଶର ବିଭିନ୍ନ ଦୃଶ୍ୟ ଦେଖାଇ ଦିଏ । ସାଗର ହସେ । ସେ କ’ଣ ପିଲାଟିଏ ହୋଇଛି । ନୀହାର କହେ–‘‘ହଁ, ତୁମେ ପିଲା ନୁହଁ ତ ଆଉ କ’ଣ, ମୋଠୁଁ ବୟସରେ ଚାରି ବର୍ଷ ଛୋଟ ହେଲଣି । ଆଉ ମନେମନେ ବଡ଼ ହୋଇଯାଉଛ ନା ?’’ ତାରି ପାଖରେ ଠିଆହୋଇ ସେ ଦୂରକୁ ଚାହେଁ । ସେମାନେ ସେଇଠି ବସି କେତେ ନା କେତେ ଗପର ଖିଅ ମେଲନ୍ତି । ବେଳେ ବେଳେ ପଡ଼ିଶା ଘରର କାବେରୀ, କାଞ୍ଚନ ଆସି ପହଞ୍ଚିଲେ ସେ ଭାରୀ ବିରକ୍ତ ହୁଏ । କହେ ‘‘ମୁଁ ତୁମ ଘରକୁ ଆସିଲା ବେଳେ ଆଉ କେହି ରହିବେନି । କେବଳ ତୁମେ ଆଉ ମୁଁ ।’’ ଏମିତି ପିଲାଳିଆ କଥା ଶୁଣି ସାଗର ବଡ଼ ଅଡ଼ୁଆରେ ପଡ଼େ । କ’ଣ ସେ ଭଲା କରିବ-। କାହାକୁ ଆସିବାକୁ ମନା କରିବ କିମିତି ? ଦିନେ ସନ୍ଧ୍ୟା ବେଳେ ଛାତ ଉପରକୁ ଯିବାକୁ ଜିଦ୍‌ଧରିଲା ନୀହାର । ମଳିନ ସନ୍ଧ୍ୟାର ଅସ୍ପଷ୍ଟ ଆଲୋକରେ ନୀହାର ଆଉ ସାଗରୀକା ଦୁହେଁ ଛାତ ଉପରେ ବସି ନୀଳ ଆକାଶକୁ ଚାହିଁଥିଲେ । କବିପ୍ରାଣ ନୀହାର ଅପୂର୍ବ ଭାବାବେଗରେ ସାଗରକୁ ନିଜ ଛାତି ଉପରେ ଭିଡ଼ିଧରି ପଚାରିଲା–‘‘ବାଃ ତୁମେ ମୋତେ ଆଗରୁ କାହିଁକି ଏଠାକୁ ଆଣୁ ନଥିଲ । ଏଡ଼େ ସୁନ୍ଦର ଜାଗା ଅଥଚ...।’’ ତା’ର କୋଳରେ ଛାଟିପିଟି ହେଲା ସାଗର । ‘‘ଆରେ ଛାଡ଼ । ବୋଉ ଆସିବ ଯଦି ।’’ ତାକୁ ଆହୁରି ଜୋରରେ ଭିଡ଼ିଧରି ନୀହାର କହିଲା–‘‘ଆସନ୍ତୁ ବୋଉ-।’’ ସେମିତି ଅନେକ ବେଳ କଟିଗଲା । ତା’ପରେ ଦୁହେଁ ସିଡ଼ି ଦେଇ ଓହ୍ଲାଇଲା ବେଳେ ନୀହାର କହିଲା–‘‘ଏଥର ଆମେ ସଦାବେଳେ ଏଇ ଛାତ ଉପରେ ଆସି ବସିବା ।’’ ଚମକି ପଡ଼ି ସାଗର କହିଲା–‘‘ବାଃ, ଭାରୀ ବୁଦ୍ଧି ତୁମର । ବୋଉ ହେରିକା ଜାଣିଲେ କ’ଣ ଭାବିବେ; କ’ଣ କିଛି ବୁଝିପାରୁନ ।’’ ନୀହାର ଚୁପ୍‌ ହୋଇଗଲା ।

 

ସବୁଠି ସେଇ ନୀହାର ଲୁଚି କରି ରହିଛି । ଘରକୁ ଗଲେ ଯେଉଁଠିକି ଚାହିଁବ ସବୁଠି ଦିନ ଦିନକର ଅନୁଭୂତି ଓ ସ୍ମୃତିର ଭିତରେ, ନୀହାର ଦେଖା ପଡ଼ିବ । ତାକୁ ଭୁଳି ହେବନି, ଏଡ଼ାଇ ହେବନି । ରାସ୍ତାଘାଟ, ସମୁଦ୍ରକୂଳ, ସିନେମା ହଲ, ସବୁଠି ନୀହାରର ମୁହଁ ଦିଶିଯିବ । ତା’ପରେ ଯେଉଁଠି ତାକୁ ଦେଖିବେ; ଦଳେ ଲୋକ ପଛରେ ଫୁସ୍‌ଫାସ୍‌ ହେବେ–‘‘ହେଇରେ ସାଗରୀକା–ନୀହାରର ପ୍ରେମିକା ।’’ କେହି କେହି ମଧ୍ୟ ଅତି ଅସଂଯତ ଓ ଉଚ୍ଛୃଙ୍ଖଳ ଭାବରେ ଚିତ୍କାର କରି ଉଠିବେ ‘‘କ’ଣ ନୀହାର ବାବୁ ନାହାନ୍ତି କି ? ଏମିତି ଏକୁଟିଆ ଯେ ।’’ ସେ କେମିତି ଯିବ ଘରକୁ ତା’ହେଲେ ? ଗଲେ ସେଠି ଚଳିବ କିପରି ?

 

ତେଣୁ ସେ ସ୍ଥିର କରିଛି ଘରକୁ ଯିବନି । ସେଠି ତା’ ଲାଗି କେବଳ ଦୁଃଖ ଓ ଲୁହର ଭଣ୍ଡାର ଖୋଲା ହୋଇ ରହିଛି । ନୀହାର ପୁରୀରୁ ଚାଲି ଯିବାର ଅଳ୍ପ ଦିନ ପରେ ସେ ବି ପୁରୀ ଛାଡ଼ିଛି । ମଝିରେ କେବେ ଥରେ ଥରେ ପୁରୀ ଯାଇଛି ସିନା; କିନ୍ତୁ ସେଠି ବେଶୀ ଦିନ ଏକାଦିକ୍ରମେ ରହିନାହିଁ । ଛାଟିପିଟି ହୋଇ ଜୀବନ ବିକଳରେ ପଳାଇ ଆସିଛି । ପଳାଇ ଆସନ୍ତାନି–ଆଉ କ’ଣ ରହନ୍ତା ? କିମିତି ରହନ୍ତା ? ସେଇ ଘର ଭିତରେ ସେ ଦେଖେ; ନୀହାର ବସିଛି–ହସୁଛି–ତାକୁ ପ୍ରଶ୍ନ ପଚାରୁଛି । ତା’ ସହିତ ଦୁଷ୍ଟାମି କରୁଛି । ତା’ର ସେଇ ଗମ୍ଭୀର ମୁହଁ, କବିତ୍ୱଭରା ଆଖି ଦୁଇଟି ତାକୁ ସବୁ କୋଣରୁ ଯେମିତି ଚାହିଁ ରହିଛି । ସେ ରାସ୍ତାକୁ ପଳାଇ ଆସେ–କୌଣସି ବନ୍ଧୁଘରକୁ ବୁଲିଯାଏ-। ସିନେମା ବା ସମୁଦ୍ର କୂଳକୁ ଯାଏ । ତଥାପି ନିଷ୍କୃତି ନାଇଁ । ସେ ଛାଟିପିଟି ହୋଇ ପୁରୀ ଛାଡ଼ି ପଳାଇ ଯାଏ ।

 

ଦିନେ ସେଇ ପୁରୀ ତା’ପାଇଁ ସବୁ ସୁଖ ଆଉ ଆନନ୍ଦର ପୀଠସ୍ଥଳୀ ଥିଲା । ସେଇଠି ତା’ର ପ୍ରଥମ ପରିଚୟ ହୋଇଥିଲା ନୀହାର ସହିତ । ସେଦିନ କୌଣସି ଗୋଟିଏ ବର୍ଷଣମୁଖର ସନ୍ଧ୍ୟା । ସେହି ସନ୍ଧ୍ୟାର ଏକ ସାହିତ୍ୟ-ସଭାରେ ପ୍ରଥମେ ନୀହାର ଆଉ ସାଗରୀକା ପରସ୍ପରକୁ ଦେଖିଲେ । ସେ ଦେଖାରେ ସେମିତି କିଛି ନୂତନତା ନଥିଲା । ସେଇ ପ୍ରଥମ ଦେଖାରେ ସେମାନଙ୍କର ମନରେ କୌଣସି ଚାଞ୍ଚଲ୍ୟ ଖେଳି ନଥିଲା, କି ସେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଯାଇ ନଥିଲେ । କିନ୍ତୁ ଦୁହେଁ ଦୁହିଁଙ୍କର ପ୍ରତିଭାରେ ମୁଗ୍ଧ ହୋଇଥିଲେ । ସଭା ଭିତରେ ନୀହାର ଅନେକଥର ସାଗରୀକାକୁ ଲକ୍ଷ୍ୟ କରିଛନ୍ତି । ତା’ର ପ୍ରତିଭା, କହିବାର ଭଙ୍ଗୀ ଓ ନାରୀ ସୁଲଭ କୋମଳତା ତାଙ୍କୁ ମୁଗ୍ଧ କରିଛି । ଯେତେବେଳେ ନୀହାରଙ୍କ ଆଖି ସାଗରୀକାର ଆଖିସହ ମିଶିଯାଏ, ସେ ମୁହଁ ତଳକୁ କରେ । ଏମିତି ସେଇ ଗୋଟିଏ ଅଜ୍ଞାତ-ତିଥିର ଏକ ବର୍ଷଣମୁଖର ସାନ୍ଧ୍ୟ-ସାହିତ୍ୟ-ଆସରରେ ପରସ୍ପର ପରସ୍ପରକୁ ଚିହ୍ନିଲେ । ଏବଂ ସଭା ସରିଲା ପରେ ସମସ୍ତେ ଗୋଟି ଗୋଟି ହୋଇ ଚାଳିଗଲେ । କେବଳ ପଛକୁ ରହିଗଲେ ନୀହାର ଓ ସାଗରୀକା; ଓ ଆଉ କେତେଜଣ । ଦୁହେଁ ଆସି ଟାଉନ୍‌ହଲ୍ ବାରଣ୍ଡାରେ ଠିଆ ହେଲେ । ରାତି ଆଠଟାରୁ ବେଶୀ ହେଲାଣି । କଳା କିଟ୍‌କିଟ୍‌ ଆକାଶ । ରାସ୍ତାରେ ପାଣି ଜମିଛି । ମେଘ ବର୍ଷୁଛି । ନୀହାର ସହାନୁଭୂତି ଜଡ଼ିତ କଣ୍ଠରେ ପଚାରିଲେ–‘‘କେମିତି ଯିବ’’ । ‘‘ଗୋଟାଏ ରିକ୍ସା ଡକେଇ ପଠେଇଲେ ନୀହାର । ସାଗରୀକାକୁ ସେଥିରେ ବସାଇଦେଇ ନିଜେ ବର୍ଷାରେ ତିନ୍ତି ତିନ୍ତି ଘରକୁ ଆସିଲେ । ସେଇ ସେମାନଙ୍କର ପ୍ରଥମ ଦେଖା, ପରିଚୟ, କଥାବାର୍ତ୍ତା । ଆଉ ତାରି ଭିତରେ ଯଦି କିଛି ଅଜ୍ଞାତରେ ଘଟି ଯାଇଥାଏ, ତା’ହେଲେ ସେତେବେଳେ ସେ କଥା ଦୁହେଁ ଜାଣିପାରିନଥିଲେ ।

 

କିଛି ଜାଣିପାରୁନି ସାଗରୀକା । କାହିଁକି ତା’ ଆଖିରେ ଆଜି ଲୁହ ଦେଖା ଦେଲା ? କାହିଁକି ସେ କାନ୍ଦୁଛି ? ସ୍ୱପ୍ନରେ ନୀହାର ଆସିଥିଲା କ’ଣ ତାକୁ କନ୍ଦାଇବାକୁ । ସାରା ଜୀବନ କ’ଣ ନୀହାର ତାକୁ କନ୍ଦାଇବ ? ଟିକିଏ ସୁଖରେ, ଶାନ୍ତିରେ ତାକୁ ରଖାଇ ଦେବନି । ସେ କ’ଣ ଅପରାଧ କରିଛି ନୀହାରର; କ’ଣ ତା’ର ଦୋଷ । କ’ଣ ତା’ର ଭୁଲ୍‍ ? ତେବେ କାହିଁକି ସ୍ୱପ୍ନରେ ତାକୁ ନୀହାର ଦେଖାଦେଲା ? କାହିଁକି ମନେପକାଇ ଦେଇଗଲା ସେଇ ଅତୀତର ଘଟଣା ସବୁ । ଆଉ କ’ଣ ଜୀବନର ସେଇ ଦିନ ଫେରିଆସିବ ? ନୀହାର ଓ ସାଗର ଆଉ କ’ଣ ପରସ୍ପରକୁ ପୁଣି ପୂର୍ବପରି ଭଲପାଇ ପାରିବେ ?

 

ନିଜ ଭାବନାରେ ନିଜେ ଶିହରି ଉଠିଲା ସାଗରୀକା । ତା’ର ଓ ନୀହାରର ଭଲପାଇବା କ’ଣ ସବୁଦିନ ପାଇଁ ଶେଷ ହୋଇଯାଇଛି । ସେମାନେ କ’ଣ ଆଉ ପରସ୍ପରକୁ ଭଲପାଆନ୍ତିନି । ତା’ହେଲେ ଏ ବେଦନା ଓ ଅସହ୍ୟ ଯନ୍ତ୍ରଣା ପୁଣି କାହିଁକି ? କାହିଁକି ତା’ହେଲେ ଉନ୍ମାଦିନୀ ଭଳି ନୀହାରକୁ ଭୁଲିଯିବାର ବ୍ୟର୍ଥ ପ୍ରୟାସ କରି ଆସିଛି ସେ ? କିନ୍ତୁ କ’ଣ ପାରିଲା ? ଯେତେ ପୁରୁଷଙ୍କର ବାହୁବନ୍ଧନ ଭିତରେ ଆତ୍ମସମର୍ପଣ କଲେ ବି ସେ ନୀହାରକୁ ନିଜ ମନ ଭିତରୁ ଆଜିଯାଏ ତଡ଼ିଦେଇ ପାରିଲାନି । ହାରିଗଲା, ସେ ବିଲକୁଲ୍‌ ପରାସ୍ତ ହୋଇଯାଇଛି । ତାରି ଅନ୍ତରର ନିଭୃତ ସିଂହାସନରେ ନୀହାରର ନିତ୍ୟ-ବିଳାସ । ଯେଉଁମାନେ ତା’ର ସୌନ୍ଦର୍ଯ୍ୟ ବା ଦେହର ଆକର୍ଷଣରେ ତା’ ନିକଟକୁ ଟାଣିହୋଇ ଆସିଛନ୍ତି; ଓ ନିଜର ଜୀବନ ପ୍ରତି ପ୍ରଚୁର ଅଭିମାନ ଲାଗି ସେ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତା’ର ଅନ୍ତର ସ୍ପର୍ଶ କରିବାକୁ ସକ୍ଷମ ହୋଇନି । ସେଠି କେବଳ ନୀହାର-ନୀହାର-ନୀହାର-। ନୀହାରର ଅଖଣ୍ଡ, ଅପ୍ରତିହତ ରାଜତ୍ୱ ସେଠି । ସେଇ ତା’ର ଜୀବନର ପ୍ରଥମ ପ୍ରେମିକ-ଯୌବନ–ମନ୍ଦିରର ଆଦ୍ୟ ଅତିଥି !

 

ଆଜି ତା’ର ଠିକ୍‌ ମନେଅଛି; ଯେଉଁଦିନ ପ୍ରଥମ କରି ସେ ନୀହାର ଘରକୁ ଯାଇଥିଲା । ସେଦିନ ଥିଲା ଜନ୍ମାଷ୍ଟମୀ । କଲେଜ ଛୁଟି । ସେଇ ବର୍ଷଣ-ମୁଖର ସାହିତ୍ୟ-ସନ୍ଧ୍ୟା ପରେ ଦୁହିଁଙ୍କର ବହୁବାର ଦେଖା ହୋଇଛି ଅବଶ୍ୟ, କିନ୍ତୁ ସାଗର ଓ ନୀହାର ପୁଣି ଘନିଷ୍ଠ ଭାବରେ ପରସ୍ପରକୁ ଜାଣିବାର ସୁଯୋଗ ପାଇଲେ ସେହି ଦିନ । ପ୍ରାୟ ଦିନ ବାରଟା ବେଳକୁ ‘ସାଗରୀକା’ ଦୁଆର ମୁହଁରେ ଡାକିଲା ବେଳକୁ ଖଟ ଉପରେ ଶୋଇ ରହି ନୀହାର ଗୋଟାଏ କ’ଣ ନୂଆ ବାହାରିଥିବା ଉପନ୍ୟାସ ପଢ଼ୁଥିଲା । ‘ସାଗରୀକା’ର ଡାକ ଶୁଣି ସେ ତରତରରେ ଉଠିପଡ଼ି ଦୁଆର ଖୋଲିଲା । ଡ୍ରଇଁରୁମ୍‍ ଭିତର ଦେଇ ଦୁହେଁ ନୀହାରର ବେଡ଼୍‍ରୁମ୍‍କୁ ଆସିଲେ ।

 

ଖୁବ୍‍ ସୁନ୍ଦର ବେଡ଼୍‍ରୁମ୍‌ ନୀହାରର । ଦୁଆର ଆଉ ଝରକାରେ ଏକା ରଙ୍ଗର ପରଦା ଝୁଲୁଛି । ନୀହାର ବ୍ଲୁ ରଙ୍ଗକୁ ଭାରି ଭଲପାଏ । ସବୁ ପରଦାର ରଙ୍ଗ ବ୍ଲୁ । ଘର ଭିତରେ ତା’ର ବେଡ଼୍‌। ମୁଣ୍ଡ ଉପରକୁ ପଢ଼ା-ଟେବୁଲ୍‍ ଓ ଚେୟାର । ଟେବୁଲ୍‍ ଉପରେ ନୀଳ ରଙ୍ଗର ଟେବୁଲ୍‍ କ୍ଲଥ । ଫୁଲଦାନି । ଟେବୁଲ୍‍ ଲ୍ୟାମ୍ପ । କରରେ ଇଲେକ୍‌ଟ୍ରିକ୍‍ ଟେବୁଲ୍‍-ଫ୍ୟାନ୍‍ । ଚୌକି ଉପରେ ଡନ୍‌ଲପ୍‌ର କୁଶନ୍‍ । ଆଉ ଗୋଟିଏ ଚୌକି ଡ୍ରଇଁରୁମ୍‌ରୁ ଆଣି ଟେବୁଲ୍‍ କରରେ ପକାଇ ଦେଲା ସେ । ବସିଲା ସାଗରୀକା–ଠିକ୍‌ ଟେବୁଲ୍‍ ସାମ୍ନାରେ ସୁନ୍ଦର ଆଲମାରିରେ ନାନା ବହି ଭରା । ସବୁ ପ୍ରାୟ ସାହିତ୍ୟ-ବିଭାଗର । ଭିନ୍ନ ଭିନ୍ନ ବଡ଼ ବଡ଼ ଲେଖକମାନଙ୍କର ଗଳ୍ପ, ଉପନ୍ୟାସ, କବିତା ନାଟକରେ ଆଳମାରି ପୂରି ଯାଇଛି । ସେଇଠି ଦୁହେଁ ବସିଲେ । ପ୍ରଥମେ ସାଗରୀକା କି ଏକ ଅଜଣା ଆବେଗରେ ନୀହାର ମୁହଁକୁ ଜମା ଚାହିଁପାରିଲାନି । ପ୍ରଥମେ ନୀହାର ଆରମ୍ଭ କଲା–‘‘କ’ଣ; କିମିତି ପଢ଼ାପଢ଼ି କରୁଛ ।’’ ଲାଜରେ ଆହୁରି କାହିଁକି ସଢ଼ିଗଲା ସାଗରୀକା । ହାତରେ ଧରିଥିବା ନୋଟ୍‌ବହିରେ ମୁହଁ ଲୁଚାଇଲା ସେ । ନୀହାର ପୁଣି ଥରେ ସେଇ ପ୍ରଶ୍ନ ପଚାରିଲା । ସେ ବହି ଆଢ଼ୁଆଳରେ ମୁହଁ ଲୁଚାଇ ରଖି ଉତ୍ତର ଦେଲା–‘‘ସେମିତି; ଏକରକମ ।’’

 

‘‘ଆରେ ସେମିତି ମୁହଁଟାକୁ ଲୁଚାଇଛ କାହିଁକି ? ଏତେ ଲାଜ ଗୋଟାଏ କ’ଣ ?’’ ଏତିକି କହି ନୀହାର ତା’ ହାତରୁ ବହି ଛଡ଼ାଇବାକୁ ଆରମ୍ଭ କଲା । ସାଗରୀକା ଏପଟ ସେପଟକୁ ମୁହଁ ବୁଲାଇ ତାକୁ ବାଧା ଦେବାକୁ ଚେଷ୍ଟା କଲା । କିନ୍ତୁ ପାରିଲାନି । ତା’ ହାତରୁ ବହି ଛଡ଼ାଇ ନେଇ ନୀହାର କହିଲା ‘‘ବାସ୍‌–ବହି ଥିଲା ବୋଲି ସିନା ଏତେ ମୁହଁ ଲୁଚା ଚାଲିଥିଲା, ଏଥରକ-?’’ ଚଟ୍‌କିନା ଟେବୁଲ୍‍ ଉପରେ ପଡ଼ିଥିବା ଖବରକାଗଜଟା ଟାଣିନେଇ ଳଜ୍ଜାରକ୍ତ ମୁଖ-ମଣ୍ଡଳକୁ ପୁଣି ଢାଙ୍କିଦେଲା ସାଗରୀକା । ଏଥର ନୀହାର ଟିକିଏ ଚିଡ଼ିଗଲା । ସାମାନ୍ୟ ଉଷ୍ମ କଣ୍ଠରେ କହିଲା–‘‘ବାଃ–ଏତେ ଯଦି ଲାଜ, ତା’ହେଲେ ଆସୁଥିଲ କାହିଁକି ?’’ ସେମିତି ମୁହଁ ଲୁଚାଇ ଅଭିମାନିଆଁ ସ୍ୱରରେ ସାଗରୀକା କହିଲା–‘‘ତା’ହେଲେ ଚାଲି ଯାଉଛି ।’’ କିନ୍ତୁ ନୀହାର କହି ଉଠିଲା–‘‘ନା–ଚାଲିଯିବାକୁ ହେବନି । କି ଚନ୍ଦ୍ରବଦନକୁ ଏମିତି ଲୁଚାଇ ବସିବାବୁ ବି ମୁଁ ଅନୁମତି ଦେଇପାରିବିନି ।’’ ଏଇ କଥାରେ ଫେଁକନା ହସିଦେଲା ସାଗରୀକା । ତା’ର ସବୁ ଅଭିମାନ କୁଆଡ଼େ ମିଳାଇ ଗଲା । ତା’ ହାତରୁ ଏଇ ସୁଯୋଗରେ ଖବରକାଗଜଟା ଟାଣିଟାଣି ଦୂରକୁ ଫିଙ୍ଗିଦେଲା ନୀହାର; ଆଉ ହସି ହସି କହିଲା–‘‘ସେମିତି ବସ ବେଶୀ ଫାଜିଲାମି କରନି-।’’ ଚୁପ୍‌ଚାପ୍‌ ହୋଇ ବସି ରହିଲା ସେ । ନୀହାର ତା’ ନୋଟ୍‍ବହିକୁ ପଢ଼ିବାକୁ ଆରମ୍ଭ କଲା । ‘‘ଆରେ ନାଇଁ–ମୋ ନୋଟ୍‌ ଜମା ପଢ଼ନ୍ତୁନି–ସେଥିରେ କ’ଣ ନା କ’ଣ ଲେଖା ହୋଇଛି’’ କହି ପ୍ରତିବାଦ କରି, ନୀହାର ହାତରୁ ନୋଟ୍‌ ଛଡ଼ାଇ ନେବାକୁ ଚୌକି ଛାଡ଼ି ଉଠିଆସିଲା ସେ । କିନ୍ତୁ ନୀହାର ତାକୁ ଫେରାଇ ଦେଲାନି, କି ସେ ବି ଫେରାଇ ନେଇ ପାରିଲାନି । ସେହି ନୋଟ୍‌ ପଢ଼ୁ ପଢ଼ୁ; ଲକ୍ଷ୍ମୀକାନ୍ତଙ୍କର ‘ବୁଢ଼ା ଶଙ୍ଖାରି’ ଗଳ୍ପ ଉପରେ ଲେଖିଥିବା ସମାଲୋଚନାଟି ଦେଖି ନୀହାର କହିଲା–‘‘ଖୁବ୍‌ ଚମତ୍କାର ହୋଇଛି–ଅକ୍ଷର ଯେତିକି ସୁନ୍ଦର–ଲେଖା ବି ସେତିକି ଉଚ୍ଚ କୋଟୀର ।’’ ନୀହାରର ଏହି ପ୍ରଶଂସାରେ ଭାରୀ ଲାଜ ମାଡ଼ିଲା ସାଗରୀକାକୁ । ସେ କିଛି ପ୍ରତିବାଦ କରିପାରିଲାନି । ଖାଲି ଲାଜ ଆଉ ଖୁସିରେ ମୁହଁ ତଳକୁ କଲା ।

 

ସେ ତଳୁ ମୁହଁ ଉଠାଇ ଚାହିଁଲା ବେଳକୁ ନୀହାର ତାକୁ ଚାହିଁଛି, କିପରି ଏକ ପ୍ରଶଂସମାନ ଦୃଷ୍ଟିରେ । ଦୁହିଁଙ୍କ ଆଖିରେ ଆଖି ମିଶିଗଲା । ସାଗର ପୁଣି ମୁହଁ ତଳକୁ କଲା–ନୀହାର ଆଖି ଫେରାଇଲା । ତା’ପରେ ଆସ୍ତେ ଆସ୍ତେ ସାଗରୀକାର ଲାଜ କଟିଗଲା ଏବଂ ସେ ଅତି ସ୍ୱାଭାବିକ ଭାବରେ ନୀହାର ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା । ନାନା କଥାବାର୍ତ୍ତା ମଧ୍ୟରେ ନୀହାର ଓ ସେ ଦୁହେଁ ନିଜ ନିଜ ଜୀବନର ପ୍ରତ୍ୟେକ କଥା ପରସ୍ପରକୁ କହିବାକୁ ଆରମ୍ଭ କଲେ । ସେମାନେ ପରସ୍ପରକୁ ନିଜ ନିଜର ଅତି ଆପାଣାର ମଣିଷ ବୋଲି ଭାବିନେଲେ ।

 

ଆଜି ସେ ଦିନର କଥା ମନେପଡ଼ିଲେ ସାଗରୀକାର ମନରେ ସନ୍ଦେହ ହୁଏ । କ’ଣ ସତରେ ସେ ପାଇଥିଲା ନୀହାରଠୁଁ । କି ଅଦ୍ଭୁତ ଶକ୍ତି ଥିଲା ନୀହାରର । କାହିଁକି ତା’ ଆଗରେ ସେ ନିଜ ଜୀବନର ସବୁ କଥା ଗୋଟି ଗୋଟି କରି ଖୋଲି କହିଥିଲା ତା’ହେଲେ ? ଆଜି ତ ନୀହାରକୁ ସେ ‘ସାତପର’ଠାରୁ ଆହୁରି ହୀନ କରିଦେଇଛି । କିନ୍ତୁ ସବୁ ସରିଲା ପରେ ବି ସେ ତାକୁ ମନେରଖିଛି କାହିଁକି ? ତାକୁ ଭାବୁଛି କାହିଁକି ? କ’ଣ ? କ’ଣ ସତେ ସେ ନୀହାର । ତା’ର ସୁନ୍ଦର ମୁହଁ, ପାତଳ ଗୋରା ଦେହରେ ଇମିତି କି ଆକର୍ଷଣ ଅଛି ଯେ ତାକୁ ଏତେ ଚେଷ୍ଟା କରି ବି ସେ ଭୁଲିପାରୁନି । ଆଉ ମନ ? ସତରେ କି ଅଦ୍ଭୁତ ମନ ନୀହାରର । ଅତି ଅସ୍ୱାଭାବିକ ଭାବରେ ଭାବପ୍ରବଣ ନୀହାର ।

 

ଯେଉଁ ଦିନଠୁଁ ସେ ନୀହାରକୁ ତା’ ଦୁଆର ମୁହଁରୁ ଫେରାଇ ଦେଇଛି, ସେହି ଦିନଠାରୁ ତା’ର ଜୀବନର ଗତିପଥ ପୂରାପୂରି ବଦଳି ଗଲା । ନୀହାରର ବଦଳି ହେବାର ୪ ମାସ ପରେ ସେ ଥରେ ଆସିଥିଲା ସାଗରୀକା ପାଖକୁ । ବହୁ ଦୂର ବାଟରୁ, ରାତି ଅନିଦ୍ରା ଭୋଗି ଓ କ୍ଳାନ୍ତଶ୍ରାନ୍ତ ହୋଇ ପୁରୀ ଷ୍ଟେସନରେ ଓହ୍ଲାଇବା ମାତ୍ରେ ନୀହାର ଧାଇଁ ଯାଇଥିଲା ସାଗରୀକା ପାଖକୁ । ରାଜପଥ ଉପରେ ସେତେବେଳକୁ ସନ୍ଧ୍ୟାର ଅନ୍ଧାର ନଇଁ ଆସିଥିଲା । ଆଉ ଇଲେକ୍‌ଟ୍ରିକ୍‍ ବତୀ ସବୁ ସଜୀବ ହୋଇ ଉଠିଥିଲେ । ନୀହାର ଯେ କେତେବେଳେ ରାଜପଥ ଛାଡ଼ି, ଗଳି ପାର ହୋଇ ସାଗରୀକାର ଦୁଆର ମୁହଁରେ ପହଞ୍ଚି ସାରିଛି, ତା’ ସେ ନିଜେ ବି ଜାଣିନଥିଲା । ଝରକା ବାଟେ ସେ ଦେଖିଲା ସାଗରୀକା ବସି କାହା ସହିତ ଗପ କରୁଛି । ହସ ଆଉ ଖୁସିରେ ଲୋଟି ଯାଉଛି । ଆଶ୍ଚର୍ଯ୍ୟ ହୋଇଗଲା ନୀହାର । ଯାହାଲାଗି ଦୀର୍ଘ ୪ ମାସ କାଳ ପ୍ରତିଟି ମୁହୂର୍ତ୍ତ ସେ ଅଶାନ୍ତି ଓ ଦୁଶ୍ଚିନ୍ତା ମଧ୍ୟରେ କାଟିଛି; ଆଉ ଯାର ବିଦାୟ ବେଳର ଶେଷ ଅନୁରୋଧ ରକ୍ଷାକରି ସେ ଝାଳନାଳ ହୋଇ ଏତେ ଦୂରରୁ ଧାଇଁ ଆସିଛି, ସେ ତା’ହେଲେ ଖୁବ୍‌ ସୁଖ ଆଉ ଆନନ୍ଦରେ ଅଛି । ତା’ର ବିଚ୍ଛେଦ ଲାଗି କିଛି ଶୋଚନା ନାହିଁ, ଦୁଃଖ ନାହିଁ ସାଗରୀକାର । ସେ କିଛି ଭାବିପାରିଲାନି । ବିଦାୟ ନେଲାବେଳେ ଯେଉଁ ସାଗରୀକା ଆଖିରୁ ଭରା ଶ୍ରାବଣର ଅଶ୍ରୁଧାରା ଝରି ଆସୁଥିଲା, ମାତ୍ର ୪ଟି ମାସ ଭିତରେ ସେ ସବୁ କିଛି ଭୁଲିଯାଇ ପାରିଛି । ଏତେ ଖୁସି, ଏତେ ଆନନ୍ଦ ଭିତରେ କ’ଣ ତା’ହେଲେ ନୀହାରର ସ୍ଥାନ ନାହିଁ । ସେ ସଦାବେଳେ କହି ଆସିଥିଲା ଯେ ‘‘ସାଗର–ତୁମର ସୁଖ ଆଉ ଆନନ୍ଦ ଦେଖିଲେ ମୁଁ ଖୁସି ହେବି ।’’ ଆଜି ତାକୁ ଜଣାପଡ଼ିଲା ସେ ମିଛ କହିଥିଲା ସେଦିନ । ଆଜି ସାଗରକୁ ହସଖୁସିରେ ମାତିଥିବାର ଦେଖି ତା’ ଛାତିରେ କିଏ ଯେମିତି ଛୁରି ଚଳାଇ ଦେଲା । ତା’ଛଡ଼ା ଅନ୍ୟ କାହା ସହିତ ସାଗର ଯେ ହସଖୁସିରେ କଥାବାର୍ତ୍ତା ହୋଇପାରେ ଏହା ସେ କଳ୍ପନା କରିନଥିଲା । ତା’ର ପୁରୁଷ ସୁଲଭ ଈର୍ଷା ଘୁଣା ହଠାତ୍‌ ତାକୁ ଅନ୍ଧ କରି ପକାଇଲା । ସେ ଭାବିଲା ତା’ ଅନୁପସ୍ଥିତିରେ ସାଗରର ଏତେ ହସ, ଏତେ ଆନନ୍ଦ ନିଶ୍ଚୟ ଅପରାଧ । ସେ ଆଶା କରିଥିଲା ତା’ର ବିରହରେ ସାଗର କାନ୍ଦୁଥିବ, ଦୁଃଖ କରୁଥିବ । ଦିନରାତି ତାକୁ ଝୁରି ଝୁରି କଳାକାଠ ପଡ଼ି ଯିବଣି । ତା’ର ସବୁ ଚିନ୍ତାଧାରା ଓଲଟ ପାଲଟ ହୋଇଗଲା । ସେ କିଛି ଭାବିପାରିଲାନି ।

 

ସେଇଥି ଲାଗି ତା’ହେଲେ ଆଜିଯାଏ ସାଗରୀକା ଖଣ୍ଡେ ହେଲେ ଚିଠି ତା’ ପାଖକୁ ଦେଇନି । ସେ ପୁରୀ ଛାଡ଼ି ଯିବା ପୂର୍ବରୁ ତାକୁ କେତେ କରି କହିଯାଇଥିଲା ଚିଠି ଦେବାକୁ; କିନ୍ତୁ ସାଗରୀକା ତା’ର କୌଣସି ଅନୁରୋଧ ରଖିନି । କ’ଣ ସତେ ହୋଇଗଲା ? ଏତେ ଅଳ୍ପଦିନ ମଧ୍ୟରେ; ମଣିଷ କ’ଣ ଏତେ ବଦଳି ଯାଇପାରେ ? ଅବଶ୍ୟ ନୀହାରର ବଦଳି ପରେ ସାଗରୀକା ନାଁରେ ଅପବାଦର ମାତ୍ରା ଯଥେଷ୍ଟ ବଢ଼ିଯାଇଥିଲା । ଏପରିକି ସେ କିଛି ଦିନ ରାସ୍ତା ଘାଟରେ ମୁଣ୍ଡ ଟେକି ଚାଲିନପାରି ବାହାରକୁ ଯିବା ବିଲ୍‍କୁଲ୍‌ ବନ୍ଦ କରିଦେଇଥିଲା । କିନ୍ତୁ ୟା ବୋଲି କ’ଣ ସେଇ ସାମାନ୍ୟ ଅପବାଦ, ନିନ୍ଦା ଓ ଦୁର୍ନାମ ଲାଗି ସେ ନୀହାରକୁ ମନରୁ ବିଲ୍‌କୁଲ୍‍ ପୋଛିଦେଇ ପାରିଲା । ନୀହାର ଖଣ୍ଡେ ପରେ ଖଣ୍ଡେ କରି କେତେ ଚିଠି ନ ଲେଖିଛି । କିନ୍ତୁ ପାଷାଣୀ ସାଗରୀକା ପଦେ ହେଲେ ଉତ୍ତର ଦେଲାନି । ଘୃଣାରେ, ଅଭିମାନରେ ନୀହାର ଓହ୍ଲାଇ ଆସୁଥିଲା । ପୁଣି କ’ଣ ଭାବି ଲେଉଟି ଯାଇ ଜଞ୍ଜିର ଖଡ଼ ଖଡ଼ କଲା ।

 

ସାଗରୀକା ଆସିଲା । ସେଇ ସନ୍ଧ୍ୟାରେ ଈଷତ୍‌ ଅନ୍ଧାରରେ ନୀହାରକୁ ଦେଖି ଚମକି ପଡ଼ିଲା । ସତେ ଯେମିତି ନୀହାର ଅତୀତର ଏକ କଦାକାର ପ୍ରେତ । ସେ ଯେମିତି ସାଗରୀକାର ସବୁ ସୁଖ ସମ୍ପଦ ଚିରଦିନ ପାଇଁ ଲୁଟି କରିନେବାକୁ ଆଜି ପୁଣି ମାଇଲ୍‌ ମାଇଲ୍‌ ଦୂରରୁ ଅଣନିଃଶ୍ୱାସୀ ହୋଇ ଧାଇଁ ଧାଇଁ ଆସିଛି । ସେ ଚାହୁଁନଥିଲା ନୀହାର ପୁଣି ଆସୁ । ସେଇଥି ଲାଗି ସେ ନୀହାରର କୌଣସି ଚିଠିର ଉତ୍ତର ଦେଇନି । କିନ୍ତୁ କାହିଁକି ତା’ ପଛେ ପଛେ ରାହୁ ପରି ଲାଗି ରହିଛି ଏଇ ନୀହାର । ସେ ଥରିଲା କଣ୍ଠରେ କହିଲା–‘‘ତୁମେ–ତୁମେ ପୁଣି କାହିଁକି ଆସିଛ ? ମୁଁ ଅନୁରୋଧ କରୁଛି ଫେରିଯାଅ ।’’ ନୀହାରକୁ ଜଣାପଡ଼ିଲା ସତେ ଯେମିତି ତା’ର ପାଦ ତଳୁ ପୃଥିବୀ ଘୁଞ୍ଚି ଯାଉଛି–ସାରା ସୃଷ୍ଟି ଘୂରିବାକୁ ଲାଗିଛି । ସେ କିଛି ଠିକ୍‌ କରି ପାରିଲାନି । ତା’ ପାଟିରୁ କଥା ବାହରିଲାନି । ବହୁତ ସମୟ ପରେ ସେ ଶକ୍ତି ସଞ୍ଚୟ କରି ଉପରକୁ ଚାହିଁଲା । ଦେଖିଲା ସାଗରୀକା ଦୁଆର ମୁହଁରେ ଠିଆହୋଇଛି । ତା’ ଆଖିକୁ ସାଗରୀକା ଦିଶିଲା ପିଶାଚୀ ଭଳି । ଯେଉଁ ସାଗରୀକା ଦିନେ ତାକୁ ଏତେ ସୁନ୍ଦର ଦିଶୁଥିଲା; ସେ ଯେ ଏତେ କର୍କଶ ଓ କଦର୍ଯ୍ୟ ହୋଇପାରେ, ତା’ ପ୍ରଥମ ଥର ପାଇଁ ସେ ଜାଣିଲା । ଯାହାର କଥାଗୁଡ଼ାକ ତାକୁ ଏତେ ମଧୁର ଓ କୋମଳ ଲାଗୁଥିଲା ଯେ, ସେ ଘଣ୍ଟା ଘଣ୍ଟା ବସି ଗପ କଲେ ବି ତାକୁ ସମୟ ଜଣାପଡ଼ୁନଥିଲା; ଆଜି ସେ ବୁଝିଲା ସେଇ ମଧୁର କଥା ତଳେ ହଳାହଳ ବିଷ କିମିତି ଲୁଚି ରହିଥିଲା । ସେ ବହୁତ କଷ୍ଟରେ କହିଲା–‘‘ତୁମ ସହ ଗୋଟିଏ କଥା ଥିଲା–ସେଇଥି ଲାଗି ଏତେ ଦୂରରୁ, ଏତେ କଷ୍ଟ କରି... ।’’ ‘‘ନାଇଁ–କିଛି ମୁଁ ଶୁଣିବା ଅବସ୍ଥାରେ ନାହିଁ । ତୁମେ ଫେରିଯାଅ । ତୁମର ଭଲପାଇଁ ତୁମେ ଫେରିଯାଅ’’ ତାକୁ କଥା ସାରିବାକୁ ନ ଦେଇ କହି ଉଠିଲା ସାଗରୀକା । ନୀହାର ବାହାରକୁ ଚାହିଁଲା; ରାସ୍ତାଘାଟ ଅନ୍ଧାର ହୋଇଗଲାଣି । ସାଗରୀକା ଘର ଗଳି ବି ଆହୁରି ଅନ୍ଧାର ହୋଇଯାଇଛି । ସେ ଏକା ନିଃଶ୍ୱାସକେ ରାସ୍ତାକୁ ଆସି କ୍ଷିପ୍ର ଗତିରେ ଚାଲିବାକୁ ଆରମ୍ଭ କଲା । ତା’ର କ୍ଳାନ୍ତ ଦେହରେ ଏତେ ବଳ, ଏତେ ଶକ୍ତି କୁଆଡ଼ୁ ଆସିଲା କେଜାଣି; ସେ ଖୁବ୍‍ ଲମ୍ବା ଲମ୍ବା ପାଦ ପକାଇ ସାଗରୀକା ଘର ଗଳିକୁ ପଛରେ ପକାଇ ଆଗକୁ ଚାଲିବାକୁ ଲାଗିଲା । ସାଗରୀକା ପ୍ରତି, ତା’ ଘର ଗଳି ପ୍ରତି, ତା’ର ମନରେ ଆସିଲା କେମିତିଆ ଗୋଟାଏ ଘୃଣାଭାବ । ଘୃଣା, ବିରକ୍ତି ଆଉ ରାଗରେ ସେ ପଳାଇ ଆସିଲା; ଛାଟିପିଟି ହୋଇ ।

 

ତାକୁ ଆଜି ଭାରୀ ହସ ମାଡ଼ିଲା; ତା’ ନିଜର ବୋକାମି ଲାଗି । ଏଇ ସାଗରୀକାକୁ ସେ ପୁଣି ଭଲ ପାଉଥିଲା । ଏଡ଼ିକି ବୋକା ସେ । ଏଇ ଗଳିବାଟେ ଅନ୍ଧାର ରାତିରେ ସାଗରୀକା ଘରକୁ ଗଲାବେଳେ ବା ଫେରିଲାବେଳେ ସେ କେତେ କ’ଣ କଳ୍ପନା ମନେମନେ ନ କରିଛି । କିନ୍ତୁ ଆଜି ତା’ର ସବୁ କଳ୍ପନା ଚୂରମାର ହୋଇଯାଇଛି । ଆଃ–ତାରି ଭଲ ଲାଗି ପୁଣି ତାକୁ କୋଉଠି ସାଗରୀକା ଫେରାଇ ଦେଲା । ବାଃ–ବେଶ୍‌ ଶୁଭକାଂକ୍ଷୀ ତା’ର । ତାକୁ ଖାଲି ହସ ମାଡ଼ିଲା । ରାଗରେ ଅଭିମାନରେ ଅପମାନରେ, ଥରି ଥରି ସେ ହସି ପକାଇଲା । ହସନ୍ତାନି ଆଉ କ’ଣ କାନ୍ଦନ୍ତା । ତା’ଭଳି ଜଣେ ଉଚ୍ଚ ଶିକ୍ଷିତ, ଉଚ୍ଚ ପଦସ୍ଥ ବ୍ୟକ୍ତି କ’ଣ ଗୋଟାଏ ସାଧାରଣ ଚପଳ ମତି ଝିଅ ଲାଗି କାନ୍ଦନ୍ତା ? ନା–ସେ ହସିବ ।

 

କିନ୍ତୁ ସତକୁ ସତ ସେଦିନ ରାତିରେ କାନ୍ଦିଲା ନୀହାର । ସେଇ ଦିନଠାରୁ ନୀହାର ଆଉ ସାଗରୀକାର ଦ୍ୱାର ମୁହଁ ମାଡ଼ିନି । ଅବଶ୍ୟ କେତେ ଖଣ୍ଡ ଚିଠି ସେ ଲେଖିଛି ସାଗରୀକାକୁ । କିନ୍ତୁ ତା’ର ଉତ୍ତର ନ ପାଇ ବିଚାରା ଆପେ ଆପେ ଚିଠିଦେବା ବି ଅନେକ ଦିନ ହେଲା ବନ୍ଦ କରି ଦେଲାଣି । କାହିଁକି ଦିଅନ୍ତା ଆଉ ? ସବୁର ତ ପୁଣି ଗୋଟାଏ ସୀମା ଅଛି ?

 

ସାଗରୀକା ବାହାରକୁ ଚାହିଁଲା । ଅନ୍ଧାର ଘୋଟି ଆସିଲାଣି । ତା’ର ଇଚ୍ଛା ହେଲା ସେଇ ଅନ୍ଧାର ଭିତରେ ଇମିତି ହଜି ଯାଇଥିବା ଦିନଗୁଡ଼ିକର କଥା ଭାବିବାକୁ । ଆଲୁଅ ଜାଳିବାକୁ ତା’ର ମନ ହେଲାନାଇଁ ।

 

ସେଇ ଜନ୍ମାଷ୍ଟମୀ ଦିନ ଗପ କରୁ କରୁ ଏମିତି ସନ୍ଧ୍ୟା ହୋଇଗଲା । ଅନ୍ଧାର ହେଲା । ପାଖରେ ଇଲେକ୍‌ଟ୍ରିକ୍‍ ଟେବୁଲ୍‍ ଲ୍ୟାମ୍ପ ଥିଲେ ବି କେହି ହାତ ବଢ଼ାଇ ସୁଇଚ୍‌ ଟିପି ଆଲୁଅ ଲଗେଇଲେନି । ଦୁହିଁଙ୍କୁ ସେହି ସନ୍ଧ୍ୟାର ଆସନ୍ନ ଅନ୍ଧକାର ମଧ୍ୟରେ ଗପ କରିବାକୁ ଭଲ ଲାଗୁଥିଲା-। କାହିଁ କେତେ କୁଆଡ଼ର କଥା ସେମାନେ ଗପୁଥିଲେ । ସେ ଗପ ଯିମିତି ସରିବନି । ସାରିବାକୁ ଯେପରି କାହାର ମନ ନଥିଲା ।

 

ହଠାତ୍‌ ନୀହାର ବାହାରକୁ ଚାହିଁଲା । କହିଲା–‘‘ଆରେ ସନ୍ଧ୍ୟା ହେଲାଣି ଯେ । ତୁମେ ଯିବନି ନା କ’ଣ ?’’ ଆଚ୍ଛା ହେଉ–ଯିବା ପୂର୍ବରୁ ଆମଘରେ ଜଳଖିଆ ଖାଇ ଯିବ ।

 

ଜଳଖିଆ ଆସିଲା । ନୀହାର ଖାଇବାକୁ ଆରମ୍ଭ କଲା । କିନ୍ତୁ ସାଗରୀକା ସମିତି ଚୁପ୍‌ ହୋଇ ବସି ରହିଥାଏ । ନୀହାର ତାକୁ ବାରମ୍ବାର କହିଲା ଖାଇବାକୁ । ତଥାପି ସେ ସ୍ପର୍ଶ ବି କଲାନି-। ‘‘ଆରେ–ତୁମେ ଖାଉନ କାହିଁକି–ଖାଅ ।’’ ନିଜେ ଜଳଖିଆ ଖାଇ ହାତ ଧୋଇବାକୁ ଉଠିଲାବେଳେ କହିଲା ନୀହାର । ଫେରି ଆସି ଦେଖିଲା ସାଗରୀକା ସେମିତି ତୁନି ହୋଇ ବସିଛି । ତା’ର ପିଠି ଉପରୁ ଲୁଗା ଖସି ଯାଇଛି । ପିଠିପଟ ବ୍ଲାଉଜ ପୂରା ଦେଖାଯାଉଛି । ସେ କି ଏକ ଆବେଗରେ; ହଠାତ୍‌ ମୃଦୁ ଭାବରେ ସାଗରୀକାର ପିଠିରେ ହାତ ଥାପୁଡ଼ାଇ କହିଲା–ଖାଉନ–ଏମିତି ବସିଛ କାହିଁକି କହିଲ ?

 

ସେଇ ପ୍ରଥମ ସ୍ପର୍ଶ । ନୀହାର ପ୍ରଥମେ ଅନୁଭବ କଲା ସାଗରୀକାକୁ–ସାଗରୀକା ବି ପ୍ରଥମ ଥର ପାଇଁ ଅନୁଭବ କଲା ନୀହାରର ସ୍ପର୍ଶ । ଦୁହେଁ ଚମକି ଉଠିଲେ । ଦୁଇଟି ତରୁଣ-ହୃଦୟ, ରକ୍ତ ମାଂସର ଦେହର ଏଇ ଉତ୍ତେଜନାମୟ ଆବେଗାକୁଳ ସ୍ପର୍ଶ ମାଧ୍ୟମରେ ଆହୁରି ନିକଟତର ହେଲେ । ତଥାପି ସାଗରୀକା ନୀରବ । ଅଭିମାନ ଜଡ଼ିତ କଣ୍ଠରେ ନୀହାର କହିଲା–‘‘ଆସି ସନ୍ଧ୍ୟା ହେଲାଣି । କାହିଁ ଡେରି କରୁଛ କହିଲ ? ନ ଖାଇବ ଯଦି ନାଇଁ ଘରକୁ ଯାଅ ଏଥର ।’’ ଏଇତଳ କଥା ତା’ ପାଟିରୁ ବାହାରି ସାରିଲା ବେଳକୁ; ଅଭିମାନରେ ସାଗରୀକା ଉଠି ଠିଆହେଲା । ତା’ର ନୋଟ୍‌ବହିଟିକୁ ଧରି ନୀହାରର ଚୌକି ପଛପଟେ ବୁଲି ବାହାରକୁ ଗଲା ବେଳକୁ ନୀହାର ଅଭିମାନିନୀର ମାନଭଞ୍ଜନ ପାଇଁ ହାତ ବୁଲାଇ ତାକୁ ଅଟକାଇବାକୁ ଚେଷ୍ଟା କଲା । ତା’ ହାତ ସାଗରୀକାର ଦେହରେ ଗୁଡ଼ାଇ ହୋଇଗଲା । ସେଇଠି ସେମିତି ଅଟକି ରହିଗଲା ସେ । ଧୀରେ ଧୀରେ ଦୁହିଁଙ୍କ ଦେହରେ ଉତ୍ତେଜନାର ବିଦ୍ୟୁତରେଖା ସଞ୍ଚାରିତ ହେଲା । ନୀହାରର ବାହୁବନ୍ଧନ ଦୃଢ଼ ହୋଇଆସିଲା । ସାଗରୀକା ଆଉ ପାଦେ ଆଗକୁ ଯାଇପାରିଲା ନାହିଁ । ତାକୁ ଜଣାପଡ଼ିଲା ସେ ଯେମିତି କ୍ରମଶଃ ନିଜର ସଂଜ୍ଞା ହରାଇବାକୁ ଯାଉଛି । ଭାରୀ ଦୁର୍ବଳ ହୋଇପଡ଼ିଲା କ୍ରମଶଃ । ହଠାତ୍‍ ସେ ନୀହାରର ଛାତି ଉପରକୁ ଆଉଜି ଆସିଲା । ଉତ୍ତେଜନାର ଆବେଗରେ ତାକୁ କୋଳ ଉପରକୁ ଟାଣି ଆଣିଲା ନୀହାର । ଡାହାଣ ହାତରେ ତା’ର କଟିବେଷ୍ଟନ କରି; ବାଁ ହାତରେ ସାଗରୀକାର ପଛକୁ ଢଳି ପଡ଼ିଥିବା ମୁହଁକୁ ନିଜ ଓଠର ଅତି ପାଖରେ ତୋଳି ଧରିଲା ସେ । ସନ୍ଧ୍ୟାର ଅସ୍ପଷ୍ଟ ଅନ୍ଧକାରରେ ସେ ଦେଖିଲା ତୃପ୍ତିର ଆନନ୍ଦରେ ସାଗରୀକା ଆଖି ମୁଦିଦେଇଛି । ଆଉ ତା’ର ଓଠରେ ଲାଗି ରହିଛି ହସର କ୍ଷୀଣ ରେଖାଟିଏ । ସେ ସବୁ ଭୁଲିଗଲା । ସନ୍ଧ୍ୟାର ଅନ୍ଧାର ଭିତରେ ସାଗରୀକା ଆଉ ନୀହାର ପରସ୍ପରକୁ ଗ୍ରହଣ କରିନେଲେ । ଅସ୍ପଷ୍ଟ କଣ୍ଠରେ ସେ କହି ଉଠିଲା–‘‘ତୁମେ ଖୁବ୍‌ ସୁନ୍ଦର ସାଗର–ଫୁଟନ୍ତି ପଦ୍ମ ପରି ସୁନ୍ଦର ।’’ ସାଗରୀକା କିଛି କହିପାରିଲାନି । ନୀରବ ରହିଲା ।

 

‘‘ବହୁତ ଡେରି ହେଲାଣି; ମୁଁ ଘରକୁ ଯିବ’’–ସାଗରୀକାର ଏଇ କଥାରେ ଚେତା ହେଲା ନୀହାରର । ସେ ଦୁଆର ଖୋଲି ବାହାରକୁ ଆସିଲା । ସନ୍ଧ୍ୟା ଗଡ଼ି ଗଲାଣି । ରାଜପଥ ଧାରରେ ବିଜୁଳି-ବତୀ ସବୁ ଗୋଟି ଗୋଟି ହୋଇ ଜଳି ଉଠିଲେଣି । ସେ ରିକ୍ସା ଡାକିଲା । ଘର ଭିତରକୁ ଆସି ଲାଇଟ୍‌ ଜାଳିଲା । ଲାଜରେ ସାଗରୀକାର ମୁହଁ ନାଲ ପଡ଼ିଯାଇଛି । ସେ ଆଉ ତା’ ମୁହଁକୁ ସିଧା ଚାହିଁପାରିଲା ନାହିଁ । ନୀହାର ପଚାରିଲା–‘‘କ’ଣ ଘରକୁ ଯିବ ।’’ ‘‘ହୁଁ’’–ତଳକୁ ମୁହଁ ପୋତି ସାଗର କହିଲା । ‘‘ହଉ ତେବେ–ବାହାରେ ରିକ୍ସା ଅଛି–ଯାଅ ।’’ ତା’ ପିଠିରେ ହାତ ଥାପୁଡ଼ାଇ କହିଲା ନୀହାର । ଦୁଆର ମୁହଁରେ ସାଗରକୁ ରିକ୍ସାରେ ବସାଇ ଦେଇ ସେ ଚାହିଁ ରହିଲା । ସାଗରୀକାକୁ ନେଇ ରାସ୍ତା ସେ ମୁଣ୍ଡରେ ରିକ୍ସା ଲିଭିଗଲା ପର୍ଯ୍ୟନ୍ତ ।

 

ସେଦିନ ଜନ୍ମାଷ୍ଟମୀ ଥିଲା । ଘରକୁ ଫେରିଲା ବେଳକୁ ପ୍ରାୟ ରାତି ହୋଇଗଲାଣି । ସାଗର ସିଧା ରିକ୍ସାରୁ ଓହ୍ଳାଇ ଉପର ମହଲାକୁ ଯାଇ, ଲୁଗା ନ ବଦଳାଇ ଖଟ ଉପରେ ଶୋଇବାକୁ ଗଲା । କେତେ କୁଆଡ଼ର ଭାବନା ଆସି ତା’ ମୁଣ୍ଡରେ ରୁଣ୍ଡ ହେବାକୁ ଲାଗିଲେ । ସତରେ କ’ଣ ନୀହାରକୁ ଭଲପାଇ ସେ ଭୁଲ୍‌ କରିଛି । କ’ଣ ତା’ର ଭୁଲ୍‍ ? ନା ସେ ତ କିଛି ଭୁଲ୍‌ କରିନାହିଁ । ନୀହାରର ହସ ତା’ର କଥା; ତା’ର ଗୋଟି ଗୋଟି ହୋଇ ମନେପଡ଼ିଲା । ତା’ର ସ୍ପର୍ଶ ସେ ଆଜି ପ୍ରଥମ ଥର ପାଇଁ ପାଇଛି । ତା’ର କୁମାରୀ ଜୀବନରେ ପ୍ରଥମ ପୁରୁଷର ସ୍ପର୍ଶ । ଆନନ୍ଦ ଓ ଆବେଗରେ ତା’ର ଆଖି ଲୁହ ଛଳ ଛଳ ହୋଇଗଲା । ବାସ୍ତବିକ୍‌ ନୀହାର ତା’ର ଜୀବନର ଦେବତା । ଆଜିଠୁଁ ସେ ତାକୁ ନିଜର ସବୁ କିଛି ରୂପେ ବରଣ କରିନେଲା । ସେଇ ହିଁ ତା’ର ସୁଖ ଦୁଃଖର ସାଥୀ । ଜୀବନର ସହଗାମୀ-ବନ୍ଧୁ । ସେ ଆନନ୍ଦରେ, ତୃପ୍ତିରେ ଓ ଉଲ୍ଲାସରେ ଶିହରି ଉଠିଲା । ତାକୁ ଲାଗିଲା ଆଜି ସେ ଯେମିତି ସବୁ କିଛି ପାଇଛି । ଯାହା କି ସେ ଅନେକ ଦିନ ଧରି ଖୋଜୁଥିଲା । ଏ ଜୀବନ, ଏ ପୃଥିବୀ ତା’ପାଇଁ ହୋଇ ଉଠିଲା ଅତି ଲୋଭନୀୟ, ସୁନ୍ଦର ଓ ସରସ-। ସେ ଯାହା ଖୋଜୁଥିଲା ତାହା ପାଇଛି । ଆଜି ସେ ମନଭରି ଶୋଇବ । ଆନନ୍ଦରେ ଶୋଇ ଶୋଇ କେତେ କୁଆଡ଼ର ସ୍ୱପ୍ନ ଦେଖିବ । ତା’ର ପାଖେପାଖେ ଥିବ ନୀରାହ । ସଦାବେଳେ ହସୁଥିବ ଆଉ ତାକୁ ହସାଉ ଥିବ । ବେଳେ ବେଳେ ଥଟ୍ଟା କରି ତାକୁ ଚିଡ଼ଉ ବି ଥିବ । ଆଉ ସେ ରାଗିଗଲେ; ତାକୁ ପୁଣି କେତେ ପ୍ରକାରେ ଭୁଲାଇ ଦେଇ ନିଜ ସହିତ ମିଶାଇ ନେଉଥିବ-। ଏଇ ସମୟରେ ବୋଉ ଡାକିଗଲେ ଖାଇବାକୁ, କିନ୍ତୁ ସେ ଆଜି କିଛି ଖାଇବ ନାହିଁ । ତା’ର ଭୋକ ନାହିଁ–ଦୁଃଖ ନାହିଁ । ସେ ସେତେବେଳେ ସ୍ୱପ୍ନରେ ପହଁରୁ ଥିଲା । ତା’ର ଘରର ଉପର ମହଲାରେ ଖଟ ଉପରେ ପଡ଼ିରହି ବିଦୁଃତ୍‌ ଆଲୋକ ଦୀପ୍ତ ସହରର ଛବି ଦେଖୁ ଦେଖୁ ନିଜ ମନ ମଧ୍ୟରେ ସେ ଭାବୁଥିଲା ନୀହାରର କଥା ।

 

ତା’ର ମନେପଡ଼ିଲା ଆଉ କେତେ ଲୋକଙ୍କର କଥା । ସେ ବାଟରେ ଚାଲିଗଲା ବେଳେ ଯେଉଁମାନେ ଡବ ଡବ ଆଖିରେ ଅନାଇ ରହନ୍ତି । ଜାଣିଶୁଣି ତାରି ପଛେ ପଛେ ଯାଆନ୍ତି; ଆଉ ତାକୁ ଦେଖେଇ ଶିଖେଇ କେତେଆଡ଼ୁ କେତେ କଥା କହି ତା’ର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି । ନ ହେଲେ ବେଳେ ବେଳେ କିଛି ଅଶ୍ଳୀଳ ରିମାର୍କ ବା କଦର୍ଯ୍ୟ ଇଙ୍ଗିତ ଦେଇ ପୁରୁଷତ୍ୱ ଜାହିର୍‌ କରିବାକୁ ଚେଷ୍ଟା କରନ୍ତି । ସିନେମା ହଲ୍‌ ପାଖରେ ଚାରି ପାଞ୍ଚ ଜଣ ଲେଖାଏଁ ମେଳହୋଇ, ସେ କଲେଜ ଯିବା ଆସିବା ବେଳେ; ଠିଆହୋଇ ଅବାଞ୍ଛିତ ଭାବରେ ତା’ ଚାଲି, ଶାଢ଼ି, ବ୍ଲାଉଜ ବା ରିବନ୍‌ ଉପରେ ବେଶ୍‌ ବଡ଼ ପାଟିରେ ଶୁଣେଇ ଶୁଣେଇ ଅଭିମତ ଦିଅନ୍ତି । ନ ହେଲେ ବେନାମୀ ଚିଠିରେ ଦୁନିଆ ବାହାରର ପ୍ରଶଂସା ଅଜାଡ଼ି, ସାନ୍ନିଧ୍ୟ ଭିକ୍ଷା କରନ୍ତି । କାକୁତି ମିନତି କରି ଲେଖିଥାନ୍ତି ଚିଠିର ଖଣ୍ତେ ଉତ୍ତର ଦେବାକୁ । ଯେମିତି ବୁଲା କୁକୁର ଦାନ୍ତ ନିକୁଟି ଅଇଁଠା ମୁଠାଏ ପାଇଁ ଦୁଆର ମୁହଁରେ ପଡ଼ିଥାଏ । ସେତିକି ପାଇଲେ ଆନନ୍ଦରେ କୁଁ କୁଁ ହୋଇ, ଲାଞ୍ଜ ହଲାଇ କୃତଜ୍ଞତା ଜଣାଏ; ନ ହେଲେ ଭୋ ଭୋ କରି ବିକଟାଳିଆ ରଡ଼ି ଛାଡ଼େ ।

 

ସେମାନେ ଠିକ୍‌ ସେହିପରି । ଟିକିଏ କଥାବାର୍ତ୍ତା କରିବାକୁ, କେତେ ଡହଳ ବିକଳ ନ ହୁଅନ୍ତି ସତେ ? କ୍ଲାସରେ ଫାଜିଲାମିଠାରୁ ଆରମ୍ଭ କରି, ରାସ୍ତାରେ ଯାବତୀୟ ଫୁର୍ତ୍ତି । ନ ହେଲେ କେବେ କେମିତି ଏକୁଟିଆ ବାଟରେ ଦେଖିଲେ କ୍ଲାସ୍‌-ନୋଟ୍‌ ବା ବହିପାଇଁ ଅନୁରୋଧ ଜଣାଇ ସାମାନ୍ୟ ବନ୍ଧୁତା ପାଇଁ ନିବେଦନ କରନ୍ତି । ସାହସୀ କେହି କେହି ଘର ପର୍ଯ୍ୟନ୍ତ ବି ନାନା ପ୍ରକାର କାର୍ଯ୍ୟ ବାହାନାରେ ମାଡ଼ି ଯାଆନ୍ତି । ଯଦି ପଦେ ମିଠା କଥା, ଟିକିଏ ହସ ମିଳେ କୃତକୃତ୍ୟ ହୋଇ ଫେରି ଆସନ୍ତି; ଆଉ ବନ୍ଧୁ ମହଲରେ ପ୍ରେମିକର ପରମ କୃତିତ୍ୱ ବର୍ଣ୍ଣନା କରି ବାହାଦୁରି ନିଅନ୍ତି । ସେତିକି ନ ମିଳିଲେ ହଠାତ୍‌ ନୀତିବାଗୀଶ ଆଦର୍ଶ ପୁରୁଷ ପାଲଟି ଯାଇ କଲେଜ କାନ୍ଥ ବାଡ଼ଠାରୁ ରାସ୍ତାଘାଟ ପର୍ଯ୍ୟନ୍ତ ନାନା ଅଶ୍ଳୀଳ କଦାକାର ଚିତ୍ର ଓ ଭାଷାରେ ପୂର୍ଣ୍ଣ କରି ଦିଅନ୍ତି । ସିନେମା ହଲ୍‌ କି ସମୁଦ୍ର କୂଳ କେଉଁଠି ଦେଖିଲେ ବିକଟ ଚିତ୍କାର କରି ଅତି ବୀଭତ୍ସ ସମ୍ୱର୍ଦ୍ଧନା ଜଣାନ୍ତି । ବେନାମୀ ଚିଠି ଲେଖନ୍ତି । ସେଇମାନଙ୍କ ତୁଳନାରେ କେଡ଼େ ମହତ୍‌ ନୀହାର । ସେ କେବେହେଲେ ସାଗରୀକାକୁ ଏତେ ଛୋଟ ରୂପରେ ଦେଖା ଦେଇନି । ସେଇଥି ଲାଗି ସାଗରୀକାର ତା’ ଲାଗି ଏତେ ସମ୍ମାନ, ଏତେ ଭକ୍ତି, ଆଉ ଏତେ ପ୍ରେମ । ସେଇପାଇଁ ତା’ ନିଜ ଜୀବନର ସବୁ ଗୌରବ ଓ ସମ୍ପଦ ତାରି ପଦତଳେ ଅଜାଡ଼ି ଦେଇପାରିଥିବାରୁ ସେ ଆଜି ଏତେ ସୁଖୀ ।

 

ଚାରିଆଡ଼କୁ ଚାହିଁଲା ସାଗରୀକା । ଅନ୍ଧାର ହୋଇଆସିଲାଣି । ଆରଘରୁ ଲଣ୍ଠନ ଲଗାଇ ଆସିଲା ସୀତା । ଛୋଟ ଟେବୁଲ୍‍ ଉପରେ ଲଣ୍ଠନ ରଖିଦେଇ ପଚାରିଲା–‘‘କ’ଣ ଏମିତି ଭାବୁଛ ଦେଈ ସେତିକି ବେଳଟାରୁ ଉଠି ସେମିତି କାଠଟା ଭଳି ଖଟ ଉପରେ ବସି କ’ଣ ଗୁଡ଼ାଏ ଚିନ୍ତା କରୁଛ ?’’ ପ୍ରକୃତିସ୍ଥ ହେଲା ସାଗରୀକା । ସତରେ ସେ କ’ଣ ଏମିତି ଗୁଡ଼ାଏ ଏଣୁତେଣୁ ଆଜିକାଲି ଚିନ୍ତା କରୁଛି । ଯେଉଁ ଅତୀତର ଅନୁଭୂତି ଦିନେ ତାକୁ ସୁଖୀ କରିଥିଲା; ଆଜି ତା’ର ସେ ସୁଖ କୁଆଡ଼େ ଗଲା । ଆଜି ସେ ଏତେ ଦୁଃଖୀ କାହିଁକି ? କ’ଣ ତା’ର ଦୁଃଖ ? କ’ଣ ତା’ର ଚିନ୍ତା-? କାହିଁକି ସେ ଏତେ ବିମର୍ଷ ? ଜୀବନର ଚଲା ବାଟରେ ସେ ଏମିତି କ’ଣ ଭୁଲ୍‌ କରିଛି ଯେ ଯେଉଁଥିଲାଗି ସାଧାରଣ ସ୍ୱପ୍ନରେ ବି ସେ କାନ୍ଦି ଉଠୁଛି । ସତରେ ତା’ର ଜୀବନ କ’ଣ ଖାଲି କାନ୍ଦିବାର ପାଇଁ ? ସେଦିନ ନୀହାର ଯେଉଁ କଥା କହିଯାଇଥିଲା ସେଇ କଥା କ’ଣ ଯୁଗ ଯୁଗ ପାଇଁ ସତ ପାଲଟି ରହିଯିବ । ଟିକିଏ ହେଲେ ଓଲଟ ପାଲଟ ହେବନାହିଁ । ସେ ଖାଲି କାନ୍ଦୁଥିବ–ଆଉ ତା’ର କାନ୍ଦକୁ ଦେଖି ଦୁନିଆ ହସୁଥିବ ।

 

ହଁ–ଦୁନିଆକୁ ସେ ଦିନେ ହସିଥିଲା; ଖାତିର୍‌ କରିନଥିଲା । ସେଦିନ ତା’ର ପାଖେପାଖେ ଥିଲା ନୀହାର । ସେ ଦୁହେଁ ଭାବିଥିଲେ ଜୀବନର ସବୁ ଦୁଃଖକୁ ସେମାନେ ହସି ହସି ଏଡ଼ାଇ ଯିବେ-। ସେଇ ଜନ୍ମାଷ୍ଟମୀ ଦିନର ସନ୍ଧ୍ୟା ପରଠାରୁ ଯେତେଥର ନୀହାର ଓ ସାଗରୀକା ନିଭୃତରେ ମିଶିଛନ୍ତି; ସବୁଥର ସେମାନେ ପୃଥିବୀକୁ ଉପହାସ କରିଛନ୍ତି । ତାରୁଣ୍ୟର ଉଦ୍ଦାମ ଆବେଗରେ ସେମାନେ କୌଣସି ନିନ୍ଦା, ଅପବାଦ, କଳଙ୍କକୁ ଖାତିର୍‌ କରିନଥିଲେ । ସେମାନଙ୍କ ଭିତରେ ସମ୍ପର୍କ ଯେତିକି ବଢ଼ିଲା; ବାହାରେ ନିନ୍ଦା, ଅପବାଦ ତା’ର ଶହେ ଗୁଣ ଅଧିକା ଅନୁପାତରେ ବଢ଼ିବାକୁ ଲାଗିଲା । କିନ୍ତୁ ସେଇ ନିନ୍ଦା ଓ ଅପବାଦର ଅଗ୍ନି-ପରୀକ୍ଷା ଭିତରେ ସେ ଦୁହେଁ ପରସ୍ପରର ଅଧିକ ନିକଟବର୍ତ୍ତୀ ହେଲେ । ବିପଦ ଓ ବେଦନା ଯେତିକି ନିବିଡ଼ ହେଲା ସେମାନଙ୍କର ପ୍ରେମ ଓ ପରସ୍ପର ପ୍ରତି ପ୍ରତ୍ୟୟ ସେତିକି ଘନୀଭୂତ ହେଲା । ସେ ଦୁହେଁ କେବଳ ଦୁହିଁଙ୍କ କଥା ଶୁଣିଲେ । ବାହାର ଲୋକଙ୍କର ଯେତେ କଥା ତାହା ସବୁ ଶୁଣିବାକୁ ସେମାନଙ୍କୁ ସମୟ ମିଳିଲା ନାହିଁ ।

 

ଏମିତି ସୁଖ ଆଉ ସରାଗର ଦିନଗୁଡ଼ାକ ଗଡ଼ି ଚାଲିଥିଲା । ଯେତେବେଳେ ସମୟ ମିଳେ ଆଉ ସୁବିଧା ହୁଏ; ସାଗରୀକା ନୀହାର ଘରକୁ ଚାଲିଆସେ । ସେଇ ନିର୍ଜନ ପ୍ରକୋଷ୍ଠରେ ଦୁଇଟି ତରୁଣ ତରୁଣୀ ପରସ୍ପରକୁ ଅତି ନିବିଡ଼ ଭାବରେ ଉପଲବ୍ଧି କରନ୍ତି । ବାହାରେ ଅଶାନ୍ତ ଜନତାର ହିଂସ୍ର ଚିତ୍କାର ତାଙ୍କର କାନରେ ପଡ଼େନାହିଁ । ପଡ଼ିଲେ; ସେମାନଙ୍କର ଭ୍ରୂକ୍ଷେପ ନଥାଏ । ସେମିତି ଯୁଗ ଯୁଗ ଧରି ଚାଲିଛି । ପାଇଥିବା ଲୋକଙ୍କ ବିରୁଦ୍ଧରେ ‘ନ ପାଇଥିବା’ ବା ‘ନ ପାଉଥିବା’ ଲୋକଙ୍କର ଏହି ବିଫଳ ଆକ୍ରମଣ, ହିଂସା ଅସୂୟା ଯୁଗ ଯୁଗ ଧରି ବଞ୍ଚି ରହିବ । ଯେତେ ମହାମାନବ ଅବତାର ଗ୍ରହଣ କରି ଶାନ୍ତି, ମୈତ୍ରୀର ବାଣୀ ପ୍ରଚାର କରିଗଲେ ବି ବୁଭୁକ୍ଷିତ-ବ୍ୟକ୍ତିର କର୍କଶ, କୁତ୍ସିତ କାନଫଟା ଚିତ୍କାରରେ ଆକାଶ ଦ୍ୱିଫାଳ ହେବ ହିଁ ହେବ । ଏଥିରେ ସନ୍ଦେହ ନାହିଁ । ସେଇଥି ଲାଗି ସାଗରୀକା ଆଉ ନୀହାର ପରସ୍ପରକୁ ଦେଖି ଜୀବନର ସବୁ କଥାକୁ ପାସୋରି ଦେଉଥିଲେ ।

 

ଯଦି ନୀହାର ସହିତ କେବେ ରାସ୍ତାରେ କେଉଁଠି ଅକସ୍ମାତ୍‌ ସାଗରୀକାର ଦେଖା ହୋଇଯାଏ ତେବେ ସେ ତା’ ମୁହଁକୁ ଚାହିଁପାରେନି । ଲାଜରେ ମୁଣ୍ତପୋତି, ରାସ୍ତାର ଗୋଟିଏ କରକୁ ଚାଲିଯାଇ ଧୀରେ ଧୀରେ ପାଦ ପକାଏ । ତା’ର ଏଇ ଅବସ୍ଥାକୁ ନୀରବରେ ଉପଭୋଗ କରେ ନୀହାର । କିନ୍ତୁ ଘର ଭିତରେ ଏକୁଟିଆ ଥିଲାବେଳେ ସାଗରର ଦୁଷ୍ଟାମି ବେଶୀ ବଢ଼ିଯାଏ । ସେ ପଚାରେ–‘‘ଆଚ୍ଛା–ସେଦିନ ତୁମେ ଭାରୀ ଗୋଟାଏ ବେଶ ହୋଇ କୁଆଡ଼େ ଯାଉଥିଲ କି ? ଆଉ କ’ଣ କେହି ପ୍ରେମିକାଙ୍କ ପାଖକୁ ?’’ ନୀହାର ଖାଲି ହସେ ! ଆଉ କହେ–‘‘ମୋର ତ ଅନେକ ପ୍ରେମିକା ଅଛନ୍ତି ଯଥା... । ହଠାତ୍‌ ସାଗର ପଦପୂରଣ କରି କହିଉଠେ–ନିରୁ, ବାସନ୍ତୀ, ପ୍ରମିଳା, ନୁହେଁ ? କୁହ–ମୁଁ ଠିକ୍‌ କହିନି ? ମୁଁ ତ ଆଜିକାଲି ପୁରୁଣା ହୋଇଗଲିଣି । ଆଉ କ’ଣ ସେଦିନ ଅଛି–ନା ସେ ମନ ଅଛି ?’’ ନିଜେ ଏମିତି ମିଛ ଅଭିଯୋଗ ଆଣି ଅଭିମାନ କରେ ସାଗର । ନୀହାର କହେ–ବାଃ–ରାସ୍ତାରେ ଗଲାବେଳେ ତ ଏତେ ସୁଧାର ଝିଅଟିଏ ଯେ; ଯେ ଦେଖିବ କହିବ କିଛି ଜାଣେନି । କିନ୍ତୁ ଭିତରେ ପୁଣି ଏଡ଼େ ଫାଜିଲ୍‍ । ଏତେ ଚାଲାକି କୋଉଠୁ ଶିଖିଲଣି ଶୁଣେ ?’’ ହସି ହସି ନୀହାର ବେକରେ ଓହଳି ପଡ଼ି ସେ କହେ–‘‘ତୁମଠୁଁ । ତୁମେ ମୋତେ କ’ଣ ନ ଶିଖାଇ ଦେଇଛ ଯେ ?’’

 

ଥରେ ନୀହାର ବାଲିଯାତ୍ର ସମୟରେ କୌଣସି କାର୍ଯ୍ୟ ଅନୁରୋଧରେ କଟକ ଯାଇଥିଲା । ତେଣୁ ଫେରିଲା ପରେ ସାଗରୀକାର ପାହାଡ଼ ପରି ଅଭିମାନ ଦେଖି, ବିଚଳିତ ହୋଇପଡ଼ିଲା । କାର୍ତ୍ତିକ ରାକା ରଜନୀକୁ ବାଲିଯାତ୍ରାରେ କୌଣସି ବାନ୍ଧବୀଙ୍କ ସହ ଉପଭୋଗ କରିବାକୁ ବ୍ୟତିବ୍ୟସ୍ତ ହୋଇ ଚାଲି ଯାଇଥିଲା ବୋଲି ଏକ ଦୀର୍ଘ ଫର୍ଦ୍ଦ ତା’ ବିରୁଦ୍ଧରେ ଉପସ୍ଥାପିତ କରିଥିଲା ସାଗରୀକା । ଏପରିକି ନୀହାର କେଉଁଠି ହସି ଥିବାର, କି କାହା ସହିତ ଭଲରେ ପଦେ ଦି’ପଦ କଥାବାର୍ତ୍ତା କରି ଥିବାର ଖବର ପାଇଲେ ସାଗରୀକା ଅଭିମାନରେ ଫୁଲି ଉଠେ । ସେଇଥି ଲାଗି କେତେ ଟାଣ ଟାଣ କଥା ନ କହିଛି ସେ ନୀହାରକୁ–କିନ୍ତୁ ସେ ସବୁ ହସି ହସି ସହି ନେଇ ସାଗରୀକାକୁ କହେ–‘‘ତୁମର ଅଭିମାନ ଲାଗି ଜମା ଦୁଃଖ ନାହିଁ–କିନ୍ତୁ ମୁଁ ଚାହେଁ ତୁମର ମୋ’ପ୍ରତି ଏହି ଅଭିମାନ ଚିରନ୍ତନ ହେଉ ।’’

 

ନୀହାର ପାଖରେ ବସିପଡ଼ି, ତା’ର ସାର୍ଟର ଦ୍ୱିତୀୟ ବୋତାମଟାକୁ ହାତରେ ଧରି, ଧୀରେ ଧୀରେ ବୁଲାଉ ବୁଲାଉ ସେ କହେ–‘‘କାଲି ତ କ’ଣ ପାନ ଖାଇ ପାଟି ନାଲ୍‌କରି ନିରୁ ହେରିକାଙ୍କ ସଙ୍ଗରେ ଭାରୀ ଗପ ଜମେଇ ଥିଲ । ଆଜିକାଲି ଭାରୀ ଅଭଦ୍ର ହୋଇଯାଉଛ କ୍ରମଶଃ । ଆଚ୍ଛା ଥରେ ପାନ ଖାଇବ ତ; ମୁଁ ଦେଖିବି ତୁମ ଓଠ କିମିତି ଦିଶୁଛି ।’’ ନୀହାର ହସି ହସି କହେ ‘‘ଖାଲି ଦେଖିବ ନା ଆଉ କ’ଣ କରିବ ।’’ ‘‘ଆରେ; କେଡ଼େ ଫାଜିଲ ଅସଭ୍ୟ ।’’ ଚୁପ୍‌ ଚୁପ୍‌ କରି କହେ ସାଗରୀକା ।

 

ସାଗରୀକା ଯେତେବେଳେ କଥାବାର୍ତ୍ତା କରେ ସେତେବେଳେ ନୀହାରର ସାର୍ଟର ଦ୍ୱିତୀୟ ବୋତାମଟା ଧରି ବୁଲାଇବା ତା’ର ଗୋଟାଏ ନିୟମିତ ଅଭ୍ୟାସ । ଥରେ ଅଧେ ଯେତେବେଳେ ମଝିରେ ଅଭିମାନ କରି ସାଗରୀକା ଆଉ ନୀହାର ଘରକୁ ଆସିନି ସେତେବେଳେ ଯଦି କେବେ କେଉଁଠି ତା’ର ଦୃଷ୍ଟି ନୀହାରର ସେଇ ସାର୍ଟ ବୋତାମ ଉପରେ ପଡ଼ିଥାଏ, ତେବେ ସେ ଆଖି ବୁଲାଇ ନିଏ । ତା’ର ଆଖି ସବୁରି ଅଜାଣତରେ ଛଳ ଛଳ ହୋଇଉଠେ । ସେଇ ବୋତାମ ତା’ର କେତେ ପ୍ରିୟ, କେତେ ପରିଚିତ । ଅଥଚ ତାଠୁଁ କେତେ ଦୂରରେ । କେହି ନ ଜାଣିଲେ ବି ନୀହାର ବୁଝେ; ସାଗରୀକାର ମନ ଭିତରର କଥା । ସେ ଆପେ ଆପେ ଯାଇ ସାଗରୀକା ଘରେ ପହଞ୍ଚେ ।

 

ଦୁଆର ମୁହଁରେ ଠିଆହୋଇ ପଚାରେ–‘‘ମୁଁ ଭିତରକୁ ଯାଇପାରେ କି ?’’ କିଲିବିଲି ହୋଇ ଘର ଭିତରୁ ଦୌଡ଼ି ଆସେ ସାଗରୀକା । ନମସ୍କାର କରୁ କରୁ ଖୁସି ଆଉ ଆନନ୍ଦରେ ଫାଟିପଡ଼ି ଘର ଭିତରକୁ ବାଟ କଢ଼ାଇ ନିଏ । ଚଉକିରେ ବସି ଧୀର କଣ୍ଠରେ ନୀହାର ପଚାରେ–‘‘ମୋ ଉପରେ ରାଗିଛ ସାଗର ।’’ ଏତିକିର ତା’ର ସବୁ ଅଭିମାନ ପାଣି ଫାଟିଯାଏ । ସେ କହେ–‘‘ନାଇଁ ତ ?’’ ନୀହାର କହେ–‘‘ସତେ ? ଏତେ ରାଗ ଯେ କଥା କହୁନଥିଲ । ଆଜି ମୋ ସାର୍ଟ ବୋତାମଟା ଉପରେ ଆଖି ପଡ଼ିଗଲାରୁ ମୁହଁ ଫେରାଇ ନେଲ । ଆଉ ପଚାରିଲା ବେଳକୁ ସୁନା ପିଲାଙ୍କ ପରି ଚଟ୍‌କରି ନାହିଁ କରିଦେଉଛ ।’’ ସାଗର ହସେ; ଆଉ କହେ–‘‘ଆଉ ଜମା ରାଗିବିନି ।’’ ଯେତେ ରାଗିଲେ ବି ତ ସେ ରାଗ ରଖିପାରୁନି–ଖାଲି ମିଛଟାରେ ଚିହ୍ନା ପଡ଼ୁଛି ସିନା !

 

ତା’ପରେ କିଛି ସମୟ ଗମ୍ଭୀର ହୋଇଯାଇ ସାଗରୀକା କହିଲା–ଥରେ ତୁମେ ମୋତେ ପଚାରିଥିଲନା; ମୁଁ ନୀଳକଣ୍ଠଙ୍କ ‘କୋଣାର୍କେ’ କାବ୍ୟର ମାୟାଦେବୀ ପରି ହୋଇପାରିବି କି ନାହିଁ ? କିନ୍ତୁ ମାୟାଦେବୀ କ’ଣ, ମୁଁ ତାଙ୍କଠାରୁ ଶତ ସହସ୍ର ଗୁଣେ ବଡ଼ ହୋଇପାରିବି । ମାୟାଦେବୀ; ସେ ତ ଥିଲେ ରାଜକନ୍ୟା । ଯେତେ ଯାହା କଲେ ବି ଜନ ସମାଜ ପ୍ରତିବାଦ କରିବାକୁ ସାହସ କରୁନଥିବେ । କିନ୍ତୁ ମୁଁ ? କଲେଜ ରାସ୍ତାରେ କିଏ କେତେ କଥା ନ କହୁଛି । ତଥାପି ତ ମୁଁ ଦିନେ ହେଲେ ମନରେ ତୁମପ୍ରତି ବିତୃଷ୍ଣା ଆଣିନି । ଅଥଚ ତୁମେ ମୋ ଉପରେ ବାରବାର କେତେ ସନ୍ଦେହ ନ କରି, କେତେ କଥା ନ କହିଛ । ହଉ ତୁମେ ମୋତେ ସନ୍ଦେହ କରିପାର । ଭୁଲି ବି ଯାଇପାର । କିନ୍ତୁ ଯାଅ ଯେତେଦୂର । ତୁମର ଶାନ୍ତ ସୌମ୍ୟ ପ୍ରତିମୂର୍ତ୍ତି ସଦାବେଳେ ମୋରି ଆଖି ଆଗରେ ଭାସି ଉଠୁଥିବ । ତାକୁଇ ସମ୍ବଳ କରି ମୁଁ ଜୀବନ ପଥରେ ଆଗେଇ ଚାଲିବି । ମୋର ଦୃଢ଼ ଆଶା ଅଛି ଯେ ତୁମର ସ୍ନେହ, ପ୍ରେମ, ଆଦେଶ ଓ ପ୍ରେରଣା ବଳରେ ମୁଁ ସବୁ କିଛି ଅତିକ୍ରମ କରିଯାଇପାରିବି ।

 

ତା’ର ଏହି ଭାବ ପ୍ରବଣ କଥାଗୁଡ଼ାକ ଖୁବ୍‌ ଗମ୍ଭୀର ଭାବରେ ବସି ଶୁଣୁଥିଲା ନୀହାର । ସେ ବିଶ୍ୱାସ କରିପାରିଲାନି ଏଇ କଥାଗୁଡ଼ାକ । ଗୋଟାଏ ଚପଳ ମୂହୂର୍ତ୍ତର ଭାବାବେଗରେ ସାଗର ଯାହା କହିଗଲା ତାକୁ ସମ୍ପୂର୍ଣ୍ଣ ସତ ବୋଲି ଗ୍ରହଣ କରିନେଇ ପାରିଲାନି ସେ । ମଣିଷ ଜୀବନରେ ଏମିତି ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ବିଶ୍ୱାସ କରିବା ନିରାପଦ ନୁହେଁ । ସେ ଭାବିଲା ସାଗରର ଏଇ ବିରାଟ ଭାଷଣ ତଳେ ଛପି ରହିଛି ତା’ ମନର ଦୁର୍ବଳତା । ଯଦି ସେ ସତରେ ଭଲ ପାଉଥାନ୍ତା ତା’ହେଲେ ଏତେଗୁଡ଼ାଏ କଥା ନ କହିଥିଲେ କ’ଣ ଚଳିନଥାନ୍ତା ? ତା’ର ମନେହେଲା ହଠାତ୍‌ କୌଣସି ଉପନ୍ୟାସର ମୁଖସ୍ଥକରା ଧାଡ଼ି ଉପରେ ଯେପରି ଅତିମାତ୍ରାରେ ନିର୍ଭରଶୀଳ ହୋଇଉଠିଛି ସାଗର । କୌଣସି ଶସ୍ତା ହିରୋଇନ୍‌ର ନାଟକୀୟ ସଂଳାପ ପରି ତା’ କଥାଗୁଡ଼ାକ ଶୁଭିଲା ନୀହାର କାନକୁ । ସେ ଟିକିଏ ହସିଲା । ଶେଷରେ କହିଲା–‘‘ଭାରୀ ଖୁସି ହେବି–ସାଗର; ଯଦି ତୁମେ ଆଜିର ସବୁ କଥାର ସତ୍ୟତା ଭବିଷ୍ୟତରେ ରଖିପାରିବ ।’’

 

ଏଇ କଥାରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇଉଠିଥିଲା ସାଗରୀକା । ତା’ର ଅପମାନିତ ନାରୀତ୍ୱ ସହସ୍ର-ଫଣା ବିସ୍ତାର କରି ଚେଇଁ ଉଠିଲା । ନାରୀ ସବୁ ସହିପାରେ–ତା’ର ପ୍ରେମକୁ ଅବିଶ୍ୱାସ କଲେ ସେ ହୁଏ ଭୟଙ୍କର । ତା’ର ଆବେଗ ଉତ୍ତପ୍ତ ପ୍ରାଣର ଭାଷାକୁ ଅବିଶ୍ୱାସ କଲେ ସେ ହୋଇଉଠେ ଅସମ୍ଭାଳ । ନିଜକୁ ସମ୍ଭାଳି ପାରିଲାନି ସାଗରୀକା । ସେ କହିଲା–‘‘ବେଶ୍‌ ତୁମର ଯଦି ଏତେ ସନ୍ଦେହ, ତା’ହେଲେ ତୁମେ ମୋ ସହ ସବୁ ସମ୍ପର୍କ ତୁଟାଇ ଦିଅ । ଆଜିଠୁଁ ମୋତେ ଭୁଲିଯାଅ । ଆମର ଯିବା ଆସିବା, ଚିଠିପତ୍ର ଦିଆନିଆ ସବୁ ବନ୍ଦ ହୋଇଯାଉ । ତୁମେ ମୋର ସବୁ ଚିଠି ଫେରାଇ ଦିଅ ମୁଁ ବି ତୁମର ସବୁ ଚିଠି ଫେରାଇ ଦେଉଛି । ଏତେ ଅବିଶ୍ୱାସ ମୋତେ ଭଲ ଲାଗେନା ।’’

 

ସାଗରୀକାର ଏଇ କଥା ସବୁ ନୀହାର ଶୁଣିଲା । ଆଶ୍ଚର୍ଯ୍ୟ ହୋଇ ତା’ ମୁହଁକୁ ଚାହିଁଲା–ସେଠି ନିଆଁ ଜଳୁଛି । ସେ ଧୀର କଣ୍ଠରେ କହିଲା–‘‘ହଉ–ଯାହା ତୁମ ଖୁସି ।’’

 

ସାଗରୀକା ହଠାତ୍‌ ଉଠିଯାଇ ନୀହାର ପଛପଟ ଆଲମିରାରୁ ଥାକକ ଯାକ ଚିଠି ତା’ ହାତକୁ ବଢ଼ାଇ ଦେଇ କହିଲା–‘‘ଏଇ ନିଅ ତୁମର ଚିଠି–ମୋ ଚିଠିତକ କାଲି ଫେରାଇ ଦେବ ।’’

 

ଘରକୁ ଫେରି ଆସିଲା ନୀହାର । ସେତେବେଳେ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଗଲାଣି । ଟେବୁଲ୍‍ ପାଖରେ ସେ ଭାବୁଥିଲା କେଡ଼େ ଅଦ୍ଭୁତ ଏଇ ସାଗରୀକା; ସାଗର ପରି ଗଭୀର–ସାଗର ପରି ଅନନ୍ତ । ତାକୁ ବୁଝି ହୁଏନା–ଜାଣି ହୁଏନା–ଧରି ହୁଏନା । ସେ କ’ଣ ? କେଉଁଠି ତା’ର ଆରମ୍ଭ; କେଉଁଠି ତା’ର ଶେଷ ? କ’ଣ ସେ ଚାହେଁ, କ’ଣ ସେ ଦିଏ, କ’ଣ ସେ ଖୋଜେ ? ସେ ଗୋଟି ଗୋଟି ତା’ର ହାତଲେଖା ଚିଠି ସବୁ ପଢ଼ି ଚାଲିଥିଲା । ହୃଦୟର କେତେ ଅଭିବ୍ୟକ୍ତି ନେଇ ସେ ଚିଠିଗୁଡ଼ିକ ଜୀବନ୍ତ । କେତେ ଉନ୍ନିଦ୍ର ରଜନୀର ଅନୁଭୂତିରେ ସେହି ଶୁଷ୍କ ନୀରସ କାଗଜ ଖଣ୍ତଟିମାନ ପ୍ରାଣବନ୍ତ; ଅଥଚ ଏତେ ନିଷ୍ଠୁର ଭାବରେ ସେସବୁକୁ କିପରି ଫେରାଇ ଦେଇ ପାରିଲା ସାଗରୀକା ।

 

ଦୁଆର ମୁହଁରେ ଏଇ ସମୟରେ ଶବ୍ଦ ଶୁଭିଲା । କିଏ ଗୋଟିଏ ଠକ୍‌ ଠକ୍‌ କରୁଛି । ସେ କବାଟ ଖୋଲିଲା । ଘର ଭିତରକୁ ପଶି ଆସିଲା ୧୨/୧୩ ବର୍ଷର ଛୋଟ ପିଲାଟିଏ । ରମେଶ । ସାଗରୀକାର ଘର ପାଖରେ ତା’ର ଘର । କହିଲା–‘‘କୁନି ଅପା ଏ ଚିଠି ଦେଇଛନ୍ତି ନିଅ । ମୋତେ ଏ ତୋଟାବାଟେ ତୁମ ଘରକୁ ଆସିବାକୁ ଡର ମାଡ଼ିବ ବୋଲି ମୁଁ ମନା କରୁଥିଲି । ସେ କାନ୍ଦିଲେ । ତାଙ୍କ କାନ୍ଦ ପାଇଁ ମୁଁ ଆସିଲି ଖାଲି ଯାହା ।’’ ନୀହାରର ବଡ଼ ଦୟାହେଲା ରମେଶ କଥାରେ । ଏଡ଼େ ଛୋଟ ପିଲାଟିଏ, ଅନ୍ଧାର ରାତିରେ ଏକୁଟିଆ ଏତେ ବାଟ ଆସିଛି । ସାଗରୀକା ପ୍ରତି ଅଶେଷ କାରୁଣ୍ୟରେ ତା’ର ଅନ୍ତର ଭରିଗଲା । ସେ ଚିଠି ପଢ଼ିନି । କିନ୍ତୁ ସେ ଜାଣିଲା ସାଗରୀକା ଭାଜି ପଡ଼ିଛି । ତା’ ନ ହୋଇଥିଲେ ଏତେ ରାତିରେ ଗୋଟିଏ ପିଲାକୁ ଏତେ ଅନୁରୋଧ କରି ସେ ପଠାଇଥାନ୍ତା କାହିଁକି । ରମେଶକୁ ଅଧା ବାଟରେ ଛାଡ଼ିଦେଇ ଆସି ସେ ଚିଠି ଖୋଲିଲା । ତା’ର ଅନୁମାନ ସତ । ସାଗରୀକା ରାଗ, ଅଭିମାନ ଦୁଃଖରେ ଲେଖିଛି–‘‘କାହିଁକି ମୋତେ ଭଲପାଇଲ ତୁମେ ? କାହିଁକି ପୁଣି ଆଜି ଏତେ ନିଷ୍ଠୁର ଭାବରେ ଅବିଶ୍ୱାସ କଲ । ମୋର କୁମାରୀ ଜୀବନରେ ଯେଉଁ ସ୍ପନ୍ଦନ ସୃଷ୍ଟି କରିସାରି ଆଜି ମୋତେ ଅବହେଳା କଲ ତା’ର ପରିଣତି ଲାଗି ତୁମେ ଦାୟୀ ହେବ ।’’ ଚିଠିଟି ପଢ଼ିସାରି ବନ୍ଦ କରିଦେଲା ନୀହାର । ସାଗର ନିଜର ଭୁଲ୍‌ ନିଜେ ବୁଝିପାରିଛି । ଏ ରାଗ ନୀହାର ଉପରେ ନୁହଁ–ତା’ ଉପରେ । ସେଇଥିପାଇଁ ସେ ଆତ୍ମହତ୍ୟାର ଚିନ୍ତା କରିଛି । ତା’ ନିଜ ଭିତରର ପ୍ରେତ ତାକୁ ଡରାଉଛି । ସେ ନିଜେ ନିଜ ଉପରେ ଅଭିମାନ କରିଛି । ହସିଲା ନୀହାର । ତା’ର ସବୁ ଚିନ୍ତା ଆପେ ଆପେ ଦୂର ହୋଇଗଲା ।

 

ସେ ଜାଣେ, ଆଉ ଅତି ଭଲ କରି ଜାଣେ ଯେ ସାଗର ତା’ ଉପରେ କେବେହେଲେ ରାଗିପାରିବନି । କଥା କଥାକେ ସେ ଅଭିମାନ କରିବ ସିନା; କିନ୍ତୁ ନୀହାରର ପଦେ କଥା ଶୁଣିଲେ, କି ଆଖିରେ ଟୋପାଏ ଲୁହ ଦେଖିଲେ ତା’ର ସବୁ ଅଭିମାନ ଆପେ ଆପେ ମଉଳି ଯିବ । ସେ ଜମା ଧୈର୍ଯ୍ୟଧରି ରହିପାରିବନି ତଥାପି ତାକୁ ଚିଡ଼ାଇବାକୁ ନୀହାରକୁ ଭାରୀ ଭଲ ଲାଗେ । ସାଗରୀକା ଅଭିମାନ କଲେ ତା’ ଆଖିକୁ ଆହୁରି ସୁନ୍ଦର ଦେଖାଯାଏ । ତା’ର ସୁନ୍ଦର ଗୋଲାପୀ ଚିବୁକ ଥରି ଥରି ଉଠେ; ଠିକ୍‌ ଝଡ଼ ବତାସିର ଆଘାତରେ ଥରୁଥିବା ଗୋଲାପ-ଫୁଲର କୋମଳ ପାଖୁଡ଼ା ପରି । ବାଁ ଗାଲର ଛୋଟ ତିଳ ବିନ୍ଦୁଟି ତା’ର ଅଭିମାନିଆଁ ମୁହଁକୁ ବେଶ୍‌ ମାନେ । ସତେ ଯେମିତି ଗୋଲାପ-ପାଖୁଡ଼ାକୁ କିଏ ପୁଣି ତୂଳୀରେ ଆଙ୍କିଛି । ନୀହାର ହସି ହସି କହେ–‘‘ତୁମେ ଅଭିମାନ କଲେ ମୋତେ ଭାରୀ ମଜା ଲାଗେ; ସାଗର ! ଇଚ୍ଛାହୁଏ ତୁମେ ସବୁଦିନ ଅନ୍ତତଃ ଥରେ ଲେଖାଏ ଏମିତି ଅଭିମାନ କରନ୍ତ କି ?

 

ସାଗରୀକା ଏପରି କଥାରେ ଭଲା କ’ଣ କରିବ ? ସେ ନ ହସି ରହିପାରେ ନାହିଁ । ଭୁଲିଯାଏ ଯେ ସେ ଅଭିମାନ କରିଛି । କୃତ୍ରିମ ରାଗରେ କହେ–‘‘ଚୁପ୍‌–ଫାଜିଲ୍‌ ଭାରୀ ।’’

 

ତା’ ପର ଦିନ ସକାଳୁ ନୀହାର ନ ଉଠୁଣୁ ସାଗରୀକା ଆସି ତା’ ଘରେ ହାଜର । କହିଲା–‘‘ମୋ ଚିଠି ସବୁ ଫେରାଇ ଦିଅନ୍ତୁ; ଆଉ ହେଇଟି ନିଅନ୍ତୁ ଆପଣଙ୍କର ଏ ଦୁଇଖଣ୍ତ ବହି, ଏ ପେନ୍‍ । ସବୁ ନେଇଯାନ୍ତୁ ।’’

 

Unknown

ଅଭିମାନିନୀ ସାଗରୀକାକୁ ଚାହିଁଲା ନୀହାର । କହିଲା–‘‘ହଉ ବସ–ନେବ ତ ଏମିତି ତରତର କାହିଁକି ?’’ ନୀହାରର ଏଇ ଗମ୍ଭୀର କଥା ଶୁଣି ଚଟ୍‌କରି ପଛକୁ ବୁଲିପଡ଼ି ତା’ ମୁହଁକୁ ଅନାଇ ଦେଲା ସାଗର । ନୀହାରର ମୁହଁ ଶୁଖିଲା, ଆଖି ନାଲ୍‌ ଦିଶୁଛି । ପଚାରିଲା–‘‘କ’ଣ ତୁମର ହୋଇଛି ? କାଲି ରାତି କ’ଣ ଶୋଇନ କି ?’’ ନୀହାର ହସିଲା । ସାଗରର ଫୁଲିଲା ଆଖିପତା ଓ କ୍ଳାନ୍ତ ବିଷର୍ଣ୍ଣ ମୁହଁକୁ ଚାହିଁ ପଚାରିଲା–‘‘ତୁମେ ନିଜେ ଶୋଇପାରିଛ ତ ? ନା କାନ୍ଦୁଥିଲ ।’’ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁଲେ । ତା’ ଭିତରେ ପରସ୍ପରକୁ ବୁଝିଲେ । ନୀହାର ଜାଣିଲା କାଲି ରାତିସାରା ସାଗର କାନ୍ଦୁଥିଲା ଆଉ ସାଗର ବୁଝିଲା ଗତ ରାତିଟି ନୀହାରର ନାନା ଚିନ୍ତା ଓ ଅଶାନ୍ତିରେ କଟିଛି-। ସେ କିଛି ଭାବିପାରିଲାନି । ତାରି ସାମନ୍ୟ ଭୁଲ୍‍ ଲାଗି ଦୁହେଁ କେତେ ଦୁଃଖ ନ ଭୋଗିଲେ ସତେ-? ଆଜିକାଲି ସେ ଏତେ ଅଭିମାନ କରୁଛି କାହିଁକି କେଜାଣି ? ଦିନେ ତ ସେ ନିଜେ ନୀହାରକୁ ଚିଠିରେ ଲେଖିଥିଲା–‘‘ତୁମେ ଯାହା ଆଦେଶ କରିବ; ଯେତେ କଷ୍ଟ ପଡ଼ୁ ପଛକେ ମୁଁ ତାହା ପାଳନ କରିବି ।’’ ଅଥଚ ସେ ଆଜିକାଲି ଏତେ ଅଧିକାର ପାଇଲା କେଉଁଠୁ ? ଯେଉଁ ନୀହାରକୁ ସେ ଏତେ ସମ୍ମାନ କରୁଥିଲା, ଏତେ ଭକ୍ତି କରୁଥିଲା ଓ ଏତେ ଭଲପାଏ; ତା’ ଉପରେ ସେ ବେଳେ ବେଳେ ଏମିତି ନିଷ୍ଠୁର ପୁଣି ହୋଇପାରେ କିପରି ?

 

ତା’ର ମନେପଡ଼ିଲା ତାକୁ କେତେ ଭଲପାଏ ନୀହାର । ଥରେ ତା’ର କୌଣସି ଆତ୍ମୀୟଙ୍କର ଦେହାନ୍ତ ହୋଇଗଲା । ପ୍ରାୟ ଦିନ ତିନିଟା ବେଳକୁ ସାଗରୀକା ତା’ ବୋଉଙ୍କ ସହିତ ନରେନ୍ଦ୍ରରୁ ଗାଧୋଇ ଫେରୁଥାଏ ସେଦିନ । ହଠାତ୍‌ ବସ୍‌ଷ୍ଟାଣ୍ତ ପାଖରେ ନୀହାର ଦେଖିଲା ସାଗରୀକାକୁ । ସେ କଟକ ଯିବାକୁ ଷ୍ଟାଣ୍ତରେ ଅପେକ୍ଷା କରିଥାଏ । ସେଇ ରାଜପଥର ଅଜସ୍ର ଜନଗହଳିରେ ବି ସେ ଟିକିଏ ସଙ୍କୋଚ ବା ସମ୍ମାନହାନିର ଆଶଙ୍କା ନ କରି ତା’ ପାଖକୁ ଆସିଲା । ତା’ ସହିତ ଆସ୍ତେ ଆସ୍ତେ ସେଇ ପ୍ରଶସ୍ତ ରାଜପଥରେ ଆଗକୁ ଚାଲିବାକୁ ଆରମ୍ଭ କଲା । ସାଗରୀକାର ସେଇ ଦୁଃଖଦ ମୁହୂର୍ତ୍ତରେ ନିଜର ସବୁ କିଛି ଭୁଲିଯାଇ ତାକୁ କେତେ ସାନ୍ତ୍ୱନା ନ ଦେଇଛି ନୀହାର । ସବୁ ଲୋକଙ୍କର ନାନା ଅର୍ଥପୂର୍ଣ୍ଣ ସନ୍ଦେହଭରା ଚାହାଣିକୁ ଖାତିର୍‍ ନ କରି ନୀହାର ସାଗରୀକାକୁ ବଳେଇ ଦେବାକୁ ଅନେକ ବାଟ ଆସିଲା । ତାକୁ ବାରମ୍ବାର କହିଗଲା–‘‘ମୁଁ ଆଜି ଚାଲିଯାଉଛି–କିଛି ଦିନ ପରେ ଫେରି ଆସିବି । କିନ୍ତୁ ତୁମେ ଚିଠି ଦେବ ନିଶ୍ଚୟ ।’’ ନୀହାର ଲକ୍ଷ୍ୟ କଲା; ଓଦା ଲୁଗା ଭିତରୁ ସାଗରୀକା ଆହୁରି ସୁନ୍ଦର ଦିଶୁଛି । ସାଗରୀକା ତା’ର ଦୃଷ୍ଟିର ଅର୍ଥ ବୁଝିଲା । ତାକୁ ଲାଜ ଲାଗିଲା ଖୁବ୍‍ । ନୀହାର ତା’ର ଏହି ସଙ୍କୋଚ ଜାଣିପାରି କହିଲା ‘‘ମୁଁ ତା’ହେଲେ ଯାଉଛି ସାଗର–ବସ୍‌ ବେଳ ହୋଇଗଳାଣି ।’’ ସାଗର ତା’ ମୁହଁକୁ ଚାହିଁ କହିଲା–‘‘ଆଉ ଟିକିଏ ମୋ ସାଙ୍ଗରେ ଆସ–ହେଇ; ଆମଘର ମୁଣ୍ତ ଗଳି ପର୍ଯ୍ୟନ୍ତ ।’’ ନୀହାର ଆପତ୍ତି କଲାନାହିଁ ।

 

ସେଇ ଦିନଠାରୁ ସାଗରୀକା ହୃଦୟଙ୍ଗମ କରିଛି; ନୀହାର ତାକୁ କେତେ ଭଲପାଏ । ତାରି ଲାଗି ସମାଜର କୌଣସି ନିନ୍ଦା, ସମାଲୋଚନା, କୁଟିଳ-ଚାହାଣିକୁ ସେ ଭ୍ରୂକ୍ଷେପ କରେନାହିଁ । ତା’ ଲାଗି ସେ ସବୁ କିଛି ହସି ହସି ସହିନେଇପାରେ । ନ ହେଲେ ଯେଉଁଠି ତିଳକୁ ତାଳ ପାଲଟିବାକୁ ମୁହୂର୍ତ୍ତେ ଡେରି ହୁଏନାଇଁ ସେଠି ତା’ ସହିତ ଦିନ ଦ୍ୱିପହରେ ଏତେ ଲୋକଙ୍କ ଆଗରେ, ପ୍ରଶସ୍ତ ରାଜପଥରେ ବୁଲିବାକୁ ନୀହାର ସମ୍ମତ ହୋଇନଥାନ୍ତା ନିଶ୍ଚୟ । ଏ କଥା ସାଗର ଯେତିକି ଭାବିଲା ତା’ର ହୃଦୟ ନୀହାର ପ୍ରତି ସେତିକି କୃତଜ୍ଞତା ଓ ବିଶ୍ୱାସରେ ଭରିଗଲା ।

 

ସେ ଆନନ୍ଦରେ ଅନ୍ଧ ହୋଇ ଉଠିଲା । ଖାଲି ଭାବିଲା–‘‘ନୀହାର କାହିଁକି ତାକୁ ଏତେ ଭଲପାଏ ।’’ ପରେ ଯେତେବେଳେ ତା’ର ନୀହାର ସହିତ ଦେଖାହେଲା ସେ ପୁଣି ଦୁଗୁଣେଇ ହୋଇ ତାକୁ ପଚାରିଲା–‘‘ଆଚ୍ଛା ସେଦିନ; ଦିନ–ଦ୍ୱିପ୍ରହରଟାରେ ତୁମେ କେମିତି ମୋ ସହିତ ଏତେ ବାଟ ଗଲ । କିଏ ଯଦି କ’ଣ କହିଥାନ୍ତା ।’’ ନୀହାର ହସି ହସି କହିଲା–‘‘କିଏ କ’ଣ କହିବ ମୋତେ ସେଥିରୁ କ’ଣ ମିଳିବ । କିନ୍ତୁ ତୁମେ କ’ଣ କହୁଛ କହ । ମୁଁ ସେଦିନ ଆସିବାରେ ତୁମର କିଛି ଆପତ୍ତି ଅଛି କି ?’’ ‘‘ନିଶ୍ଚୟ ନିଶ୍ଚୟ–ସେଦିନ ତୁମେ ଏମିତି ମୋ ଦେହକୁ ଚାହୁଁଥିଲ କାହିଁକି–ମୋତେ ସତରେ ଭାରୀ ଲାଜ ଲାଗିଲା ।’’ ନୀହାର ପୁଣି ହସିଲା, କହିଲା–‘‘ଏ ପ୍ରଶ୍ନର ଉତ୍ତର ତୁମେ ନିଜକୁ ପଚାର । ମୁଁ କ’ଣ କହିବି ?’’

 

ସେଇ ସବୁ କଥା ଗୋଟି ଗୋଟି ହୋଇ ମନେପଡ଼ିଲା ସାଗରର । ଅଥଚ ସେ କାଲି ଅଭିମାନରେ ନୀହାର ପ୍ରାଣରେ କେତେ ଆଘାତ ନ ଦେଇଛି । ତା’ର ଅନ୍ତରଭରା ଭଲପାଇବାର ପୁରସ୍କାର କ’ଣ ଏଇୟା । ଏଇ ପ୍ରଶ୍ନ ବାରମ୍ବାର ତା’ର ମନକୁ ଆନ୍ଦୋଳିତ କଲା । ସେ ଚଉକିରୁ ଉଠି ଠିଆହେଲା; ଦେଖିଲା ନୀହାର ଖଟ ଉପରେ ବସିରହି ଝରକା ବାଟେ ସକାଳର ଆକାଶ ଆଡ଼କୁ ଚାହିଁ ରହିଛି, ମୁଗ୍ଧ-ଦୃଷ୍ଟିରେ । ଯଦିଓ ତା’ ମୁହଁରେ ଗତ ରାତ୍ରିର କ୍ଳାନ୍ତି ଲାଗି ରହିଛି । ଆଖିରେ କେତେ କୁଆଡ଼ର ସ୍ୱପ୍ନ । ସେ ମୁହଁରେ ରାଗ ନାହିଁ, ଈର୍ଷା ନାହିଁ, ଅଭିମାନ ନାହିଁ । କେବଳ ଅଛି ପ୍ରେମର ଚିରନ୍ତନ ପ୍ରଫୁଲ୍ଲତା-ସ୍ନିଗ୍ଧ ଦୀପ୍ତି । ଫୁଲଭଳି ସେ ସୁନ୍ଦର, କୋମଳ ଆଉ ପବିତ୍ର । ହଠାତ୍‌ ସାଗରୀକାର ମନ ତା’ପ୍ରତି ବେଦନାର୍ଦ୍ର ହୋଇ ଉଠିଲା । ଓଃ କେତେ ସୁନ୍ଦର ନୀହାର–କେତେ କୋମଳ ତା’ର ପ୍ରାଣ । ଅନନ୍ତ ଯୁଗର ଅସରନ୍ତି ସ୍ନେହ ମମତା ତା’ ହୃଦୟରେ ଭରି ରହିଛି । ସେ ଧୀରେ ଧୀରେ ତା’ ନିକଟକୁ ଯାଇ, ତା’ କରରେ ଠିଆ ହେଲା । ସେ ସେମିତି ଦୂର ଆକାଶକୁ ଚାହିଁ ରହିଛି । ଆସ୍ତେ ଆସ୍ତେ ସେ ତା’ ମୁଣ୍ତକୁ ନିଜ ଛାତି ଉପରକୁ ଆଉଜାଇ ଆଣି, ତା’ ମୁଣ୍ତ ଉପରେ ହାତ ବୁଲାଇବାକୁ ଲାଗିଲା । ନୀହାର ବାହାରୁ ଆଖି ଫେରାଇ ଆଣି ସାଗରକୁ ଚାହିଁଲା । କି କୋମଳ କରୁଣ ତା’ର ଦୃଷ୍ଟି । ସାଗରୀକାର ଆଖି ଛଳ ଛଳ ହୋଇଆସିଲା । ସେ ପଚାରିଲା–‘‘ମୋ ଉପରେ ଚାଗିଛ ।’’ ‘‘ନା’’–ଉତ୍ତର ଦେଲା ନୀହାର । କିଛି ସମୟ ନୀରବ ରହି ପୁଣି ସାଗରୀକା କହିଲା–‘‘ମୋର ଭୁଲ୍‌ ହୋଇଛି–ସେ ଲାଗି ମୋତେ କ୍ଷମା ଦିଅ ।’’

 

ନୀହାର ତଳକୁ ମୁହଁ ପୋତି କହିଲା–‘‘ମୁଁ ଜାଣିଥିଲି ସାଗର, ତୁମେ ତୁମର ଭୁଲ୍‌ ବୁଝିବ; ଆଉ ମୋ ପାଖକୁ ଆସିବ । କାରଣ ମୋର ଅନ୍ତରର ଏ ନିବିଡ଼ ସ୍ନେହ, ମମତା; ହୃଦୟର ଏତେ ବିଶ୍ୱାସ ଓ ପ୍ରାଣର ଗଭୀର ପ୍ରେମ; କେବେହେଲେ ଏତେ କରୁଣ ଭାବରେ ବ୍ୟର୍ଥ ହୋଇ ଯିବନି । ତା’ର ପ୍ରଭାବ ନିଶ୍ଚୟ ତୁମ ଉପରେ ପଡ଼ିବ । ତୁମେ କେବେହେଲେ ନ ଆସି ରହିପାରିବ ନାହିଁ–କାରଣ ମୁଁ ତୁମକୁ ଅନ୍ତର ଭରି, ହୃଦୟ ଦେଇ ଭଲପାଏ । ମୋ ଭଲପାଇବାରେ ମୁଁ ଦିନେ କୌଣସି ତ୍ରୁଟି କରିନାହିଁ । ମୋର ପ୍ରେମ ଶୁଦ୍ଧ, ସୁନ୍ଦର ଓ ଶାଶ୍ୱତ ।’’ ସାଗରୀକାର ଆଖିରୁ ଦୁଇ ଧାର ଲୁହ ବୋହି ଆସିଲା । ସେ ଭାବର ଆବେଗରେ ହଠାତ୍‌ ନୀହାର କାନ୍ଧ ଉପରେ ମୁଣ୍ତ ରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ତା’ର ପିଠିରେ ଧୀରେ ହାତ ବୁଲାଉ ବୁଲାଉ ନୀହାର କହିଲା–‘‘କାନ୍ଦୁଛ କାହିଁକି ସାଗର । ଆମ ଜୀବନରେ ଯେଉଁ ଦୁର୍ଯ୍ୟୋଗ ଆସି ଦେଖା ଦେଇଥିଲା, ତାହା ଆପେ ଆପେ ଦୂରେଇ ଯାଇଛି । ଏହିପରି ଗୋଟିଏ ଗୋଟିଏ ଘଟଣା ଯେ କେତେ କ’ଣ ଓଲଟ ପାଲଟ କରିଦେଇପାରେ, ତା’ ତୁମେ କ’ଣ ବୁଝିବ । ମୋ ରାଣ–ଏପରି ପରିସ୍ଥିତିକୁ ଭବିଷ୍ୟତରେ ଜମା ପ୍ରଶ୍ରୟ ଦେବ ନାହିଁ–ନ ହେଲେ କେତେବେଳେ ଯେ... ।’’ ନୀହାରକୁ ତା’ କଥା ସରିବାକୁ ନଦେଇ ତା’ ପାଟିରେ ହାତ ଚାପି ଧରିଲା ସାଗର । ନୀହାର ତା’ ମୁହଁକୁ ଚାହିଁଲା । ଦୁହିଁଙ୍କ ଜୀବନର ଦୁଃଖର କେତୋଟି ମୁହୂର୍ତ୍ତ ଚାଲିଯାଇଛି । ଅତୀତ ଲାଗି ଅନୁଶୋଚନା କରି ଲାଭ ନାହିଁ । ନୀହାର ନିଜ ଛାତି ଉପରକୁ ଟାଣିନେଲା ସାଗରୀକାକୁ । ତା’ର ବାହୁବନ୍ଧନ ଭିତରେ ଥାଇ ସାଗରୀକା ହସି ପକାଇଲା । ତା’ ଗାଲ ଉପରେ ଲାଗିଥିବା କେଇ ଟୋପା ଲୁହକୁ ପୋଛି ଦେଉ ଦେଉ ନୀହାର ଥଟ୍ଟାରେ କହିଲା–‘‘ପୁଣି ହସ ବାହାରିଲାଣିଟି ?’’

 

ସାଗରୀକା ହସିଲା । ହସି ହସି ନୀହାରର ଛାତି ଉପରେ ଲୋଟିଗଲା । ଆଜି ସେଇ ଦିନର କଥା ମନେପଡ଼ି ସାଗରୀକା ନିଜ ଅଜାଣତରେ ହସି ପକାଇଲା । ତା’ ନିଜ ଅଜାଣତରେ ସେ କାନ୍ଦୁଥିଲା ପୁଣି ହସିଲା । ତାକୁ ଜଣାପଡ଼ିଲା ଯେମିତି ସେ ଅତୀତର ସେ ଦିନକୁ ଫେରି ଯାଇଛି । ନୀହାର ତା’ର ପାଖେପାଖେ ଅଛି । ସେ ହସିବନି ଆଉ କ’ଣ କାନ୍ଦିବ । ତା’ ଆଖିରେ ଲୁହ ଦେଖିଲେ ନୀହାର ଜମା ସହି ପାରେନା । ତାକୁ କେତେ କୁଆଡ଼ର ପ୍ରଶ୍ନ ପଚାରି ଅଥୟ କରିପକାଏ । ଆଜି ତାକୁ ଲାଗିଲା ତା’ ପାଖରେ ନୀହାର ବସିଛି ଆଉ ତାକୁ ଶିଖାଉଛି ହସିବାକୁ । ସେ ହସରେ କୃତ୍ରିମତା ନାହିଁ–ସେ ହସ ତଳେ ବେଦନା, ବ୍ୟଥାର ସ୍ପର୍ଶ ନାହିଁ–ସେ ହସ ନିର୍ମଳ, ସୁନ୍ଦର, ସ୍ୱଚ୍ଛ ଆଉ ସରଳ । ସେଇ ହସ ତାକୁ ଶିଖାଇ ଯାଇଥିଲା ନୀହାର–ସେ ଚାଲିଗଲା ଦିନଠାରୁ ସାଗରୀକାର ଓଠରୁ ହସ ମରିଯାଇଛି । ସେ କେତେ ଚେଷ୍ଟା ନ କରିଛି ହସିବାକୁ–କେତେ ବା ନ ହସିଛି କିନ୍ତୁ ସେଇ ଶୁଦ୍ଧ, ସରଳ ହସ ଆଉ ତା’ ଓଠରେ ଫୁଟିପାରିନାହିଁ–ସବୁଦିନ ପାଇଁ ଲିଭି ଯାଇଛି । ଆଜିକାଲିର ହସ ଖାଲି ଅଭିନୟ, ମିଛ ଅଭିନୟ । ସେତିକି କେବଳ ସେ ଆଜିକାଲି ଶିଖିଛି ।

 

ତା’ର ମନେପଡ଼ିଲା ଏଇ ଅଭିନୟ କଥା ପଡ଼ିଲେ କେତେ ବିରକ୍ତ ହୁଏ ନୀହାର । ସେ ଅଭିନୟ ଭଲ ପାଏନା । ସେ କହେ–‘‘ଯେ ରଙ୍ଗମଞ୍ଚରେ ଅଭିନୟ କରେ; କ୍ରମଶଃ ବାସ୍ତବ ଜୀବନରେ ସେ ଅଭିନୟ କରିବାକୁ ଶିଖେ । ଭଲ ନ ପାଇ ସେ ଭଲପାଇବାର ଅଭିନୟ କରିପାରେ । ହସି ନପାରି ହସିବାର ଆକ୍ଟିଙ୍ଗ କରେ । ତା’ ଜୀବନରୁ ବାସ୍ତବତା ମରିଯାଏ । ସେ ଅଭିନୟକୁ ନେଇ ବଞ୍ଚେ । ସତକୁ ବଳିଦେଇ ମିଛ ଉପରେ ତାସ୍‌ର ପ୍ରାସାଦ ଗଢ଼େ । ସେ ପ୍ରାସାଦ ରହିବନି । ମିଛର ସାତ ମହଲା ପକ୍‌କା ଘର ଅପେକ୍ଷା ସତର ପତ୍ର-କୁଟୀର ବରଂ ଭଲ । ଅଭିନୟ-ସୁଲଭ ହସ ଅପେକ୍ଷା ବାସ୍ତବ ଜୀବନର ଲୁହ ବରଂ ବେଶୀ ସୁନ୍ଦର, ବେଶୀ ମନୋହର ।’’ ତେଣୁ ଅଭିନେତା କ୍ରମଶଃ ବାସ୍ତବ ଜୀବନରୁ ଦୂରେଇ ଯାଇ ଏକ କୃତ୍ରିମ ଜଗତରେ ଘୂରି ବୁଲେ ଏବଂ ସେଇ କୃତ୍ରିମତାକୁ ଭାରୀ ଘୃଣା କରେ ନୀହାର । ତା’ର ଦର୍ଶନ ହେଉଛି ମନ ଭିତରର କଥା ଅତି ସହଜ ଭାବରେ ପ୍ରକାଶ କରିବା ହେଉଛି ପ୍ରକୃତ-ପ୍ରେମ; ଆଉ ଯେତେ ଅଭିନୟ, ଯେତେ ଚାଲାକି ଚତୁରତା ସବୁ ମିଛ, କୃତ୍ରିମତା । ସେଇଥି ଲାଗି ସାଗରୀକାର ଅଭିନୟ ପ୍ରତି ଆଗ୍ରହ ଥିଲେ ବି ବେଳେ ବେଳେ ଅତି କଠୋର ମନ୍ତବ୍ୟ ଦେଇ ସେଇ ପ୍ରବୃତ୍ତିକୁ ତା’ର ଲୋପ କରିଦେବାକୁ ଚେଷ୍ଟା କରିଛି ନୀହାର । ତା’ର ମନେପଡ଼ିଲା ଅତୀତର ଗୋଟିଏ ଘଟଣା ।

 

ସେଦିନ ଥିଲା ନଭେମ୍ବରର ଗୋଟିଏ ଶୀତାର୍ତ୍ତ ସନ୍ଧ୍ୟା । ସେହି ସନ୍ଧ୍ୟା ବେଳେ ସାଗରୀକା ତା’ର ଆଉ ଦୁଇଜଣ ସଙ୍ଗିନୀଙ୍କ ସହ କଲେଜ-ଡ୍ରାମାରେ ରିହର୍ସାଲ ପାଇଁ କଲେଜକୁ ଆସିଥିଲା । ସେ ଠିକ୍‌ କଲେଜ ହତା ଭିତରକୁ ପଶିଲା ବେଳକୁ ଦେଖିଲା ସେଇ ସନ୍ଧ୍ୟାର ଅସ୍ପଷ୍ଟ ଅନ୍ଧକାର ମଧ୍ୟରେ ନୀହାରକୁ । ଦେହରେ ଗରମ କୋଟ୍‌–ଓଠରେ ସିଗାରେଟ୍‌ ଲଗାଇ ସେଠି ବୁଲୁଥିଲା ନୀହାର । ସାଗରୀକା ସଙ୍ଗିନୀମାନଙ୍କ ମେଳରେ ଥିବାରୁ ତାକୁ କିଛି ନ କହି ସେ ବାହାରକୁ ଚାଲିଗଲା । ପୁଣି କିଛି ସମୟ ପରେ ହଠାତ୍‌ ଫେରିଆସି ସେ କଲେଜ ଉପର ମହଲାକୁ ଆସିଲା । ଗାର୍ଲସ୍‌ କମନରୁମ୍‌ ପୂରା ଅନ୍ଧାର । ସେହି ଅନ୍ଧାର ଭିତରେ ଗୋଟିଏ କଣକୁ ସାଗରୀକା ଓ ତା’ର ଦୁଇ ସଙ୍ଗିନୀ ଠିଆହୋଇ ନିମ୍ନ ସ୍ୱରରେ କ’ଣ ଗପ କରୁଥିଲେ । ନୀହାର ଡାକିଲା–‘‘ସାଗର–ଶୁଣ ବାହାରକୁ ଆସ ।’’ ସାଗରୀକା ଚମକି ପଡ଼ିଲା । ସେ ଜାଣେ ନୀହାର କ’ଣ କହିବ ।

 

‘‘କୁଆଡ଼େ ଆସିଛ ?’’ ପଚାରିଲା ନୀହାର ।

 

‘‘ଆମକୁ ବାଧ୍ୟ କଲେ କଲେଜ ଡ୍ରାମାରେ ପାର୍ଟ ନେବାକୁ...’’

 

‘‘ସତେ; ତମେ ଏକା ଏ କଲେଜରେ ପଢ଼ୁଛ ନା ଆଉ କିଏ ପଢ଼ୁଛି । ଖାଲି ତୁମକୁ ବାଧ୍ୟ କଲେ ଆଉ କାହାକୁ ନାଇଁ...’’

 

‘‘କେଜାଣି ।’’

 

‘‘ମିଛ କଥା–କିଏ ବାଧ୍ୟ କଲା ଶୁଣେ ।’’

 

ସାଗରୀକା ନୀରବ ରହିଲା । ଏତିକି ବେଳେ ତା’ର ଦୁଇ ଜଣ ସଙ୍ଗିନୀ ଆସି ନୀହାରକୁ କହିଲେ–‘‘ଆମେ ଆସିବାକୁ ନାହିଁ କରୁଥିଲୁ; ଆମକୁ ସାଗରୀକା ଟାଣି ଟାଣି ନେଇ ଆସିଲା ।’’ ସାଗରୀକାର ମୁହଁ ଲାଜ, ଅପମାନ ଓ ଦୁଃଖରେ ଫିକା ପଡ଼ିଗଲା । ନୀହାର ଆହୁରି କଠୋର କଣ୍ଠରେ କହିଲା–‘‘ବାଃ–ବଢ଼ିଆ ଅଭିନେତ୍ରୀ । ତୁମ ପଦ ସ୍ପର୍ଶରେ ଏ କଲେଜ ଧନ୍ୟ ହେଲା । କେହି ନ ଡାକୁଣୁ ଆପେ ଆପେ ବାହାରିପଡ଼ି; କୁହା ହେଉଛି କ’ଣ ନା ବାଧ୍ୟ କଲେ । ପରୀକ୍ଷା ଆଉ ଅଳ୍ପ ଦିନ ରହିଲା; ଅଥଚ ଫାଜିଲାମି ଦେଖ । ନାଚିବାକୁ ଏତେ ସଉକ୍‌ ଯଦି ଏଠି କଲେଜରେ କିଆଁ–ବାହାରେ ତ... ।’’ ସାଗରୀକା କାନ୍ଦି ପକାଇଲା । ତା’ର କୋହ ପରେ କୋହ ଉଠିଲା । କିମିତି ଏତେ ଟାଣ ଟାଣ କଥା କହିପାରୁଛି ନୀହାର । ତଥାପି ନୀହାର ଚୁପ୍‌ ହେଲାନି । କହିଲା–‘‘ଓଃ କାନ୍ଦ–ଏବି ଏକରକମ ଅଭିନୟ ଯେ । ଚମତ୍କାର ଅଭିନୟ ଶିଖିଛ ତୁମେ । ମୋ କଥା ଏତେ ବାଧିଯାଉଛି ଅଥଚ ମୁଁ ତ ଅନେକଥର ମନାକରିଛି ଏହି ଡ୍ରାମାରେ ଯୋଗ ନ ଦେବାକୁ-। ଏମିତି ଉପର ଦେଖାଣିଆ ଅଭିନୟଗୁଡ଼ିଏ ଜାଣିଛ ଖାଲି ।’’ ଏମିତି କେତେ କ’ଣ କହିଗଲା ନୀହାର ।

 

ସାଗରୀକା ଡ୍ରାମାରେ ପାର୍ଟ ନେଲାନି । ସେଦିନ ସନ୍ଧ୍ୟାରେ ଫେରି ଆସିଲା । ଏପରିକି ତା’ପରେ କେତେ କିଏ ଆସି ତାକୁ କେତେପ୍ରକାର ବୁଝାଇଲେ । ତଥାପି ସେ ସମସ୍ତଙ୍କୁ ରୋକ୍‌ଠୋକ୍‌ ନାହିଁ କରିଦେଲା । ତା’ର ଅଭିନୟ ଲାଗି ଯଦି ନୀହାରର ଏତେ ସନ୍ଦେହ ଏତେ ଅଭିମାନ ତା’ହେଲେ ଦରକାର ନାହିଁ ସେ ଅଭିନୟ । କ’ଣ ମିଳିବ ତାକୁ ସେଥିରୁ । ସତରେ କ’ଣ ଅଭିନୟ କରିଲେ; ବାସ୍ତବ ଜୀବନରେ ସେଇ ଅଭିନୟହିଁ ପ୍ରାଧାନ୍ୟ ବିସ୍ତାର କରି ବସିବ । ଜୀବନର ସବୁ ସତ୍ୟ ତାରି ଅନ୍ତରାଳରେ ଭୟାତୁର ହୋଇ ଆତ୍ମଗୋପନ କରିବ । କେବଳ ସମଗ୍ର ଜୀବନ ପାଲଟି ଯିବ ରଙ୍ଗମଞ୍ଚର ଅଭିନୟ । ସେଥିରେ ମଣିଷ ଜୀବନର ସାମାନ୍ୟ-ତମ ପ୍ରକାଶ ବି ଘଟିବ ନାହିଁ । ଥରେ ଥରେ ନୀହାର ଘରେ ସାଗରୀକା ମିଛରେ ଅଭିମାନ କରେ–ବେଳେ ବେଳେ ନୀହାରକୁ କହେ–‘‘ଆସ–ଜନ୍ମାଷ୍ଟମୀ ଦିନର ଗୋଟାଏ ରିହର୍ସାଲ୍‌ କରିବା ।’’ ନୀହାର ଚିଡ଼ି ଉଠେ–କହେ ‘‘ସାଗର–ତୁମେ ଯେମିତି ହେଉଛ; ଦିନେ ତୁମର ଭିତରର ନାରୀ ମରିଯିବ–କେବଳ ବଞ୍ଚିରହିବ ଶୁଷ୍କପ୍ରାଣା ଗୋଟିଏ ଅଭିନେତ୍ରୀ । ତା’ର ଜୀବନ ନଥିବ କିନ୍ତୁ ସେ ବଞ୍ଚିଥିବ–ଆନନ୍ଦ ନଥିବ ଅଥଚ ସେ ହସୁଥିବ । କିଛି ନଥିବ ଅଥଚ ସେ ସବୁ ଅଛି ବୋଲି ଗର୍ବ କରୁଥିବ । ଭୁଲ୍‍କୁ ଠିକ୍‌ ବୋଲି ଭାବି ଆତ୍ମତୃପ୍ତି ଲାଭ କରୁଥିବ । ତୁମେ ସେଇୟା ଦିନେ ହୋଇଯିବ । ଏ ଅଭିନେତ୍ରୀର ଖିଆଲ୍‌ ଛାଡ଼–ଏଥିରେ କେବଳ ଅଛି ଆତ୍ମପ୍ରତାରଣା । ସେଦିନ ଯଦିଓ ସେ ନୀହାରର ଏ କଥାଗୁଡ଼ାକ ମଥାପାତି ଗ୍ରହଣ କରିନେଇଥିଲା ତଥାପି ତା’ର ପ୍ରକୃତ ଅର୍ଥ ବୁଝିପାରି ନଥିଲା । ତା’ପରେ ସେ କଲେଜ ଡ୍ରାମା ଦେଖିବାକୁ ବି ଗଲାନି–ନୀହାର ବି ଯାଇନଥିଲା । କିନ୍ତୁ ଆଜି ନୀହାରର ପ୍ରତିଟି କଥାର ଗୋପନ ଅର୍ଥ ବୁଝୁଛି ସେ । ସତକୁ ସତ ସେ ଆଜି ଅଭିନେତ୍ରୀ ପାଲଟି ଯାଇଛି । ନିଜର ପ୍ରକୃତ-ରୂପକୁ ବେଶ ପୋଷାକ ଅନ୍ତରାଳରେ ଘୋଡ଼ାଇ ରଖି ଯେପରି ବିଭିନ୍ନ ଚରିତ୍ରରେ ସେ ଦିନେ ଅଭିନୟ କରୁଥିଲା; ଆଜି ସେମିତି ନିଜ ଜୀବନର ସବୁ ଘଟଣାକୁ ଘୋଡ଼ାଇ ରଖି ସେ ଖାଲି ଅଭିନୟ କରୁଛି । ବାହାରେ ସେ ଯାହା, ଭିତରେ ତାହା ନୁହେଁ । ଭିତରର ଭାବକୁ ବାହାରେ ଫୁଟାଇବାକୁ ତା’ର ସାହସ ନାହିଁ, ଶକ୍ତି ନାହିଁ କି ସାମର୍ଥ୍ୟ ନାହିଁ ।

 

ଥରେ ସେ ଘଟଣା ଚକ୍ରରେ ପଡ଼ି ଗୋଟିଏ ନୃତ୍ୟ-ନାଟିକାରେ ଅଂଶ ଗ୍ରହଣ କରିବାକୁ ଭୁବନେଶ୍ୱର ଚାଲି ଯାଇଥିଲା । ତେଣୁ ଫେରିଆସି ସେ ନୀହାରକୁ କେତେ ମିଛ କଥା ଏଣୁତେଣୁ ନ କହିଛି । କେତେ ଭୁଲାଇବାକୁ ଚେଷ୍ଟା ନ କରିଛି । ତଥାପି ନୀହାର ସବୁ ଜାଣିଲା । ସାଗରୀକା ଯେତେ ପ୍ରକାର ଆନ୍ତରୀକତାର ଅଭିନୟ କରି ସେ ଅନ୍ୟ କାମରେ ତା’ର ଜଣେ ସମ୍ପର୍କୀୟ ବନ୍ଧୁଘରକୁ ଯାଇଥିଲା ବୋଲି କହିଲେ ବି ନୀହାର ଆଗରେ ତା’ର ସବୁ ଅଭିନୟ ଧରାପଡ଼ିଗଲା । ନୀହାର କିଛି କହିଲାନି–ରାଗିଲାନି କି ଗାଳି ଦେଲାନି । ଖାଲି କହିଲା–‘‘ମୋ ଭାଗ୍ୟ–ମୋ ଭାଗ୍ୟରେ ଯାହାଥିବ ତାହାହିଁ ଘଟିବ ।’’

 

ଭାଗ୍ୟରେ ଯାହାଥିଲା ସେଇୟାହିଁ ଘଟିଗଲା । ନୀହାର ଯେଉଁ ଆଶଙ୍କା କରିଥିଲା ସେଇୟା ହିଁ ଶେଷକୁ ସତରେ ପରିଣତ ହେଲା । ଯେଉଁ ସାଗରୀକା ନୀହାରକୁ ଦଣ୍ତେ ନ ଦେଖିଲେ ପାଗଳିନୀ ପରି ହେଉଥିଲା; ତା’ର ପଦେ ପଦେ କଥାରେ ହସି ହସି ଲୋଟି ଯାଉଥିଲା ତ; କେତେବେଳେ ଧାରାଶ୍ରାବଣର ଅଶ୍ରୁ ଢାଳିଥିଲା, ରାତି ରାତି ଅନିଦ୍ରା ରହି ପୃଷ୍ଠା ପୃଷ୍ଠା ବ୍ୟାପୀ ଚିଠି ଲେଖୁଥିଲା, ସେହି ପୁଣି ତାକୁ ଭୁଲିଯିବାକୁ ଚେଷ୍ଟା କଲା । ସେଇ ପୁଣି ତାକୁ ନିଜ ମନ ଭିତରୁ ବାହାରକୁ ବାହାର କରିଦେଲା । ତା’ର ସ୍ମୃତିକୁ ନଷ୍ଟ କରିଦେବାକୁ ଜୀବନ ବ୍ୟାପୀ ସାଧନ କରି ଆସିଲା । କାହିଁକି–କ’ଣ ନୀହାରର ଦୋଷ ?

 

ନୀହାର ଯେତେବେଳେ ବଦଳି ହୋଇ ସାଗରିକାଠାରୁ ଶେଷ ବିଦାୟ ନେଇ ଚାଲିଗଲା; ସେତେବେଳେ ତା’ ମୁଣ୍ତ ଉପରେ ବିରାଟ ଆକାଶ ଭାଜି ପଡ଼ିଥିଲା । ସେ କ’ଣ କରିବ, କୁଆଡ଼େ ଯିବ କିଛି ଭାବିପାରିଲାନି । ତାକୁ ଜଣାପଡ଼ିଲା ଯେମିତି ଚାରିଆଡ଼ ଅନ୍ଧାର; ଜନଶୂନ୍ୟ । ତା’ପାଇଁ ଆହା କରିବାକୁ କେହି ଜଣେହେଲେ ନାହିଁ । ବିଶାଳ ବିରାଟ ଧରଣୀ ବକ୍ଷରେ; କୋଟି କୋଟି ଜନତା ମେଳରେ ସେ ଯେପରି ଭାରୀ ଏକୁଟିଆ–ନିତାନ୍ତ ଅସହାୟ । ତା’ର ଆପଣାର ଲୋକ ଯିଏଥିଲା; ସିଏ କେତେ ଦୂରକୁ ଚାଲିଗଲାଣି । ସେ ନିଜକୁ ଭାରୀ ହତଭାଗିନୀ ଦୁଃଖିନୀ ମନେକଲା । ଘର ଭିତରେ ବାପା ବୋଉଙ୍କ ମେଳରେ ଥାଇ ମଧ୍ୟ ତାକୁ ଜଣାପଡ଼ିଲା କେହି ଯେପରି ତା’ର ହୃଦୟର କଥା ବୁଝାପାରୁ ନାହାନ୍ତି; ତା’ର ସୁଖ ଦୁଃଖର ସାଥୀ ତାକୁ ପଛରେ ଛାଡ଼ି ଚାଲିଗଲାଣି । ତା’ଛଡ଼ା ତାକୁ କେହି ଶାନ୍ତି ଦେଇ ପାରିବେନି; ତାକୁ କେହି ସୁଖ ଦେଇ ପାରିବେନି-। ସେ ଖାଲି ନୀହାରକୁ ଝୁରିଲା–ଖୁରି ଝୁରି କାନ୍ଦିଲା; ଦିନରାତି । ଖାଇବା ପିଇବା ଭୁଲିଗଲା-। ଯୁଆଡ଼ିକି ଚାହିଁଲେ ଚାହିଁଥାଏ–ଯାହା ଭାବିଲେ ଭାବୁଥାଏ । ସେ ପଥର ପାଲଟି ଗଲା-। ଦେବତାଙ୍କୁ ଡାକିଲା–‘‘ଭଗବାନ୍‌–ମୋ ଆଖିର ଲୁହ ନିଅ–ମୋତେ ଜଡ଼ କର, ପାଷାଣୀ କର; ହୃଦୟହୀନ କର । ଏତେ ଦୁଃଖ, ଏତେ କଷ୍ଟ ମୁଁ ସହି ପାରିବିନି ।’’ ବାପା ଜାଣିଲେ । ବୋଉ ଜାଣିଲେ । ସମସ୍ତେ ଜାଣିଲେ ସାଗରୀକାର କ’ଣ ହୋଇଛି । ତା’ ମନରେ ପୂର୍ବର ସରାଗ ନାହିଁ–ସୁଖ ନାହିଁ । ସବୁଦିନ ପାଇଁ ତା’ ମୁହଁରୁ ହସ ମରିଯାଇଛି । ଦିନେ ତାକୁ ଅତି ଆଦରରେ ପାଖକୁ ଡାକି ବାପା କହିଲେ–‘‘କୁନି–ତୁ ଆଜିକାଲି ଏମିତି ଉଦାସିଆ ଦିଶୁଛୁ କାହିଁକି ? ଆମେ ଥାଉଁ ଥାଉଁ କ’ଣ ତୋର ଦୁଃଖ କ’ଣ ତୋର ଚିନ୍ତା । ତୁ ଆମର ଗୋଟିଏ ବୋଲି ସନ୍ତାନ । ତୋର ସୁଖ; ତୋର ଆନନ୍ଦ ଦେଖିଲେ ସିନା ଆମେ ଖୁସି ହୁଅନ୍ତୁ । ଅଥଚ ତୁ ସଦାବେଳେ କ’ଣ ଏମିତି ଭାବୁଛୁ–ଲୁଚାଇ ଲୁଚାଇ କ’ଣ ପାଇଁ କାନ୍ଦୁଛୁ । ତୋର କ’ଣ ଦୁଃଖ, ତୋର କ’ଣ ଅଭାବ । ତୋ ମୁହଁରେ ହସ ନ ଦେଥିଲେ; ଆମକୁ କିଛି ଭଲ ଲାଗୁନାହିଁ ।’’ ସାଗରୀକା କିଛି କହିଲାନି । ମୁଣ୍ତ ପୋତି ଠିଆହେଲା ବାପାଙ୍କ ପାଖରେ ।

 

ବାପା ତା’ର ସବୁ ବୁଝିପାରିଛନ୍ତି, ସାଗର ଆଉ ନୀହାର ନାଁରେ ଏଥିପୂର୍ବରୁ ସେ କେତେ ବେନାମୀ ଚିଠି ପାଇଛନ୍ତି । କିନ୍ତୁ ସେଥିପ୍ରତି ଆଦୌ ଗୁରୁତ୍ୱ ଦେଇ ନାହାନ୍ତି । ସେ ଜାଣନ୍ତି ନୀହାର ନାଁ ପଡ଼ିଲେ; ସାଗରୀକାର ମୁହଁରେ ଅଜ୍ଞାତ ଆନନ୍ଦର ଢେଉ ଖେଳିଯାଏ–ସେ ଉଲ୍ଲସି ଉଠେ । ନୀହାରକୁ ଦେଖିଲେ ସେ ସବୁ ଦୁଃଖ କଷ୍ଟ ଭୁଲିଯାଏ । ସେଇଥି ଲାଗି ସାଗର ଆଉ ନୀହାର ଦୁହିଁଙ୍କ ବିରୁଦ୍ଧରେ ଯେତେ ବେନାମୀ ଚିଠି ଆସିଲେ ବି ସେ ସେଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଥରେ ସେ ରାତି ଆଠଟା ବେଳକୁ ଘରକୁ ଫେରିଲା ବେଳକୁ ଦେଖିଲେ ନୀହାର ଓ ସାଗର ଦୁହେଁ ବସି କ’ଣ କଥାବାର୍ତ୍ତା କରୁଛନ୍ତି । ନୀହାର ଉଠି ନମସ୍କାର କଲା । ସାଗର ଠିଆ ହେଲା । ସେ କିଛି ନ କହି ନିଜ ପକେଟ୍‌ରୁ ଖଣ୍ତେ ଚିଠି କାଢ଼ି ନୀହାର ହାତକୁ ବଢ଼ାଇ ଦେଇ ଭିତରକୁ ଚାଲିଗଲେ । ନୀହାର ପଢ଼ିଲା । ବେନାମୀ ଚିଠି । ସାଗରୀକାର ଚରିତ୍ର ଉପରେ ନାନା କୁତ୍ସିତ ଆକ୍ଷେପ ସେଥିରେ ଭରି ରହିଛି । ଶେଷକୁ ନାନା ପ୍ରକାର ଧମକ ବି ରହିଛି । ପଢ଼ିସାରି ସାଗରୀକା ହାତକୁ ବଢ଼ାଇ ଦେଲା । କମ୍ପିତ ହାତରେ ସେ ଚିଠି ପଢ଼ିସାରି ସାଗରୀକା ପଚାରିଲା–‘‘କ’ଣ କରିବା ।’’

 

କିଛି ନାହିଁ–ଏଥିରେ ଏତେ ବିଚଳିତ ହେବାର ବା ଦୁଃଖ କରିବାର କିଛି କାରଣ ତ ମୁଁ ଦେଖିପାରୁ ନାହିଁ ।

 

କିନ୍ତୁ ବାପା... ।

 

ସେ ଦାୟିତ୍ୱ ତୁମେ ନିଅ । ଜୀବନରେ ଯେଉଁମାନେ ଏତେ ବୀଭତ୍ସ ପତ୍ର ଲେଖି ପାରନ୍ତି, ତାଙ୍କର ଉଦ୍ଦେଶ୍ୟ ବାପା ଭଲ ଭାବରେ ବୁଝିଥିବେ ନିଶ୍ଚୟ ।

 

ତା’ପରେ ଦିନ ସାଗରୀକା କହିଲା ଯେ–‘‘ବାପା କିଛି ଭାବି ନାହାନ୍ତି । ବରଂ ଆମର ଏମିତି ମିଛ ବଦନାମ ଲାଗି ସେ ଦୁଃଖିତ । ତାଙ୍କର ଆମ ପ୍ରତି ଆଦୌ କୌଣସି ଖରାପ ଧାରଣା ନାହିଁ ।’’ ନୀହାର ଆଶ୍ୱସ୍ତ ହୋଇଥିଲା ସେ ଥର ।

 

ତେଣୁ ସାଗରୀକା ଜାଣେ ଯେ; ବାପା ତା’ର ନୀହାର ବିଷୟ ଭଲ ଭାବରେ ଜାଣନ୍ତି । ତା’ର ବଦଳି ପରେ ସେ ସାଗରୀକାର ଗତିବିଧି, ଚାଲିଚଳନ ଓ ହାବଭାବରୁ ତା’ର ମନ ଭିତରର କଥା ଠିକ୍‌ ଧରିପାରିଛନ୍ତି । ଯେଉଁ ନୀହାର ସହିତ ଟିକିଏ ଦେଖା ନ ହେଲେ ସାଗର ଅସ୍ଥିର ହୋଇ ଉଠେ; ତା’ର ଦୀର୍ଘ ଅନୁପସ୍ଥିତିରେ ସାଗରର ଏଇ କେତେ ଦିନର ଅସ୍ଥିରତା, ଦୁଃଖ ଓ ବେଦନା ଯଥେଷ୍ଟ ବଢ଼ି ଯାଇଛି । ଏହା ତା’ର ଚିନ୍ତାକ୍ଳିଷ୍ଟ ମୁଖମଣ୍ତଳ ଦେଖିଲେ ଯେ କେହି ବୁଝିପାରିବ । ବାପା ବୋଉଙ୍କ କଥା ତ ନ କହିଲେ ଚଳିବ । ତେଣୁ ସେ ଆପେ ଆପେ ବାପାଙ୍କ ପାଖରେ ଧରାପଡ଼ି ଯାଇଛି । ସେ ବାପାଙ୍କ ପ୍ରଶ୍ନର କିଛି ଉତ୍ତର ଦେଇ ପାରିଲାନି । ଲାଜରେ ବିଲ୍‌କୁଲ୍‌ ନଇଁଗଲା । ତଳକୁ ମୁହଁ କରି ପଥର ପରି ବାପାଙ୍କ ପାଖରେ ଠିଆହୋଇ ରହିଲା । ତା’ ପିଠି ଉପରେ ସ୍ନେହ ଆଉ ଆଦରରେ ହାତ ବୁଲାଉ ବୁଲାଉ ବାପା କହିଲେ–‘‘ଯା ମା’–ମନ ଖୁସିରେ ଆନନ୍ଦରେ ଚଳ । ଆମେ ଥାଉଁ ଥାଉଁ ତୁ ଦୁଃଖ କଲେ କ’ଣ ଭଲ ହେବ, ସୁନ୍ଦର ଦିଶିବ ।’’

 

ସାଗରୀକା ଗୋଡ଼ ଚିପି ଚିପି ସେଠୁଁ ଚାଲିଆସି, ଉପରକୁ ପଳାଇଗଲା । ବାପାଙ୍କ କଥା ଶୁଣି ସେ କେତେ କ’ଣ ଭାବିଲା । ଠିକ୍‌ କଲା ଏଥର ସେ ହସିବ । ବାପା ବୋଉଙ୍କୁ ସୁଖୀ କରିବାକୁ, ତାଙ୍କ ମୁହଁରେ ଆନନ୍ଦ ଦେବାକୁ ସେ ନିଜର ଦୁଃଖସତ୍ତ୍ୱେ ସୁଖୀ ବୋଲି ଅଭିନୟ କରିବ । ହସିବ, ଖେଳିବ, ଆନନ୍ଦ ଓ ଉଲ୍ଲାସରେ ଦିନ କାଟିବ । ତା’ର ଦୁଃଖ ଲାଗି ସେ ଏତେ ଲୋକଙ୍କୁ କାହିଁକି ଦୁଃଖ ଦେବ । ନିଜ ଆଥିରେ ଲୁହ ଆଣି ବାପା ବୋଉଙ୍କ ଆଖିରୁ କାହିଁକି ଲୁହ ବୁହାଇବ । ସେ ଠିକ୍‌ କଲା ତା’ର ଜୀବନର ଗତି ବଦଳାଇ ଦେବ ।

 

ଜୀବନର ଗତି ବଦଳି ଗଲା ତା’ର । ନୀହାର ଚାଲି ଯିବାର କେତେ ଦିନ ପର୍ଯ୍ୟନ୍ତ ବାର ଲୋକଙ୍କର ବାର କଥା ଲାଗି ସେ ଘରୁ ବାହାରିପାରୁ ନଥିଲା । କେତେ ଅପବାଦ ନିନ୍ଦା ଓ କୁତ୍ସିତ ଝଡ଼ ତା’ର ଛୋଟ ମୁଣ୍ତଟି ଉପରେ ବହିଗଲା । ଝଡ଼ ଆସିଲା ଆଉ ଚାଲିଗଲା । ସେ ପୁଣି ପୂର୍ବପରି ରାସ୍ତାରେ ଚାଲିବାକୁ ଆରମ୍ଭ କଲା । ତା’ର ଚାରି ପଟେ ସେମିତି ଅନେକ ସଖ୍ୟକାମୀ ବନ୍ଧୁ ଭିଡ଼ ଜମାଇଲେ । ସେତେବେଳେ ନୀହାର ଥିଲା–ତା’ ପାଖରେ ଆଉ କେହି ପଶିବାକୁ ସାହସ କରୁନଥିଲେ । କିନ୍ତୁ ନୀହାରର ଅନୁପସ୍ଥିତିରେ ସମସ୍ତେ ଚାହିଁଲେ ସେଇ ଶୂନ୍ୟସ୍ଥାନ ପୂରଣ କରିବାକୁ । କେତେ ରୂପରେ କେତେ ଭଳିରେ ପତଙ୍ଗ ଆସିଲେ–ନିଆଁର ସୁନ୍ଦର ଶିଖାରେ ଲୁବ୍‌ଧ ହୋଇ; ଆରମ୍ଭ କଲେ ତାରି ଚାରିପାଖରେ ମନୋମୃଗ୍‌ଧକର ନୃତ୍ୟ । ନିଆଁ ଜଳିଲା–ଆହୁରି ଜଳିଲା । ପ୍ରଶଂସା ମୁଖର ପତଙ୍ଗମାନଙ୍କର ସ୍ତୁତି, ଗାନ ଓ ବନ୍ଦନାରେ ନିଆଁର ଶିଖା ଉଚ୍ଚକୁ ଉଠିଲା-। ଆହୁରି ଉଚ୍ଚକୁ । ଛାତି ଫୁଲେଇ, ଗର୍ବ ଓ ଅଭିମାନରେ ନିଆଁ ଜଳିଲା । ରୂପର ନିଆଁ; ଯୌବନର ନିଆଁ ।

 

ଆପଣାକୁ ଜାଳି ସେ ନିଆଁ ଜଳିଲା । ନିଜର ଅତୀତକୁ ଜାଳିବାକୁ ଲାଗିଲେ ସାଗରୀକା-। ସୁଖ ପାଇଁ, ଆନନ୍ଦ ପାଇଁ, ହସ ପାଇଁ ସେ ବର୍ତ୍ତମାନକୁ ତା’ର ସର୍ବସ୍ୱ କରି ଗ୍ରହଣ କରିନେଲା-। ତା’ର ଏହି ଆନନ୍ଦ ଆଉ ସୁଖଲାଭ ପିପାସାର ସର୍ବଗ୍ରାସୀ-ଅଗ୍ନିଶିଖା ମଧ୍ୟରେ ସେ ନିଜକୁ, ନିଜର ଅତୀତକୁ ଆଉ ନୀହାରକୁ ଅତି ନିଷ୍କରୁଣ ଭାବରେ ଜାଳିବାକୁ ଆରମ୍ଭ କରିଦେଲା । ସେଇ ଜ୍ୱଳନ ଭିତରେ ସେ ଖୋଜିଲା ଆନନ୍ଦ, ଶାନ୍ତି, ତୃପ୍ତି ଓ ସୁଖ । ମୁହୂର୍ତ୍ତର ଭୂମିକାରେ ସେ ଶାଶ୍ୱତକୁ ଭୁଲିଲା-। ବର୍ତ୍ତମାନର ଦୀପ୍ତିରେ ମୁଗ୍ଧ ହୋଇ ଅତୀତକୁ ଅନ୍ଧକାର ଭିତରେ ଫିଙ୍ଗିଦେଲା । ନୀହାରର ଶୂନ୍ୟସ୍ଥାନ ପୂରଣ କଲେ ଅନେକ ।

 

ଅନେକ ପୁରୁଷ ଆସିଲେ । ସେ ସମସ୍ତଙ୍କର ସାନ୍ନିଧ୍ୟରେ, ସାଗରୀକା ଅତୀତକୁ ଭୁଲିବାକୁ ବସିଲା । ସେମାନେ ତା’ର କେତେ ପ୍ରଶଂସା ଗାନ କଲେ; ତାରି ଛୋଟ ଜୀବନର ଅନ୍ଧକାର ଭିତରୁ କେତେ ଅଦ୍ଭୁତ ତଥ୍ୟ ଆବିଷ୍କାର କରି ତାକୁ ଜଣାଇ ଦେଲେ । ସେଥିରେ ସେ ମୁଗ୍ଧ ହେଲା–ଲୁବ୍‌ଧ ହେଲା–ପାଗଳିନୀ ହେଲା । ଆସ୍ତେ ଆସ୍ତେ ସେ ସବୁକୁ ଭୁଲିବାକୁ ଲାଗିଲା । ଯେମିତି ମଦ-ନିଶାରେ ମଦ୍ୟପ ସବୁ ଭୁଲିଯାଏ–ତା’ର ଦୁଃଖ, ତା’ର ଲକ୍ଷ୍ୟ ତା’ର ଜୀବନ ସବୁ ।

 

ବସନ୍ତର ଚମ୍ପା ପରି ଫୁଟିଛି ତରୁଣୀ । ତା’ର ସୌରଭର ସୁରା-ଗନ୍ଧରେ କେତେ ଉପବନରୁ କେତେ ଅଳି ଆସିଲେ । ରୂପ-ବିଳାସୀଙ୍କର ପ୍ରଶସ୍ତି ଗାନରେ ସେ ମୁଗ୍ଧ ହେଲା; ଲୁବ୍‌ଧ ହେଲା । ତା’ର ଗୋପନ ଅନ୍ତରରେ ପୁଲକର ଢେଉ ଉଠିଲା । ରୂପର ଗର୍ବରେ ପ୍ରେମର ସ୍ପର୍ଶରେ ସେ ହସିଲା; ମୃଦୁ-ମନ୍ଦ ହସ । ତା’ର କୁଞ୍ଜବନରେ ଅଗଣିତ କଣ୍ଠର ମଞ୍ଜୁ ଧ୍ୱନି । କିଏ ତା’ର ବେକରେ ମାଳା ଲମ୍ୱାଇ ଦେଲା–କିଏ ତା’ର ଗଣ୍ତରେ ଚୁମ୍ୱନର ରକ୍ତଛଟା ଆଙ୍କିଦେଲା । ସମସ୍ତଙ୍କର ସ୍ପର୍ଶରେ ବସନ୍ତର ଫୁଟନ୍ତ ଚମ୍ପା, ହସିଲା, ଲୋଟିଲା ଆଉ ମଳୟ ପବନରେ ଖାଲି ଉଡ଼ି ବୁଲିଲା । ସେ ଭୁଲିଗଲା ଶ୍ରାବଣର ଅମାରାତି ଅଛି, ଦୁଃଖ ଅଛି । ତା’ର ପ୍ରକୃତ ପ୍ରେମିକ ଅଛି । ଯେ କି ବସନ୍ତର ବାସନ୍ତୀ ବେଳାରେ; ଶତ ମଧୁପ ମେଳରେ ଆସେନା । ଜୀବନର ସୁଖ ବିଳାସ ସରିଗଲେ ଦୁଃଖର ଅମାଘୋର ଅନ୍ଧକାରରେ ସେ ଆସେ । ଜ୍ୟୋତ୍ସ୍ନା ରଜନୀରେ ଅନ୍ୟର ମାଳା କଣ୍ଠରେ ପିନ୍ଧି ସୁଖରେ କାଳ କାଟିଲାବେଳେ ସେ ଆସେନା । ସେ ଦୁଃଖିନୀର ବନ୍ଧୁ, ପ୍ରିୟ ଓ ପ୍ରେମିକ । ରୂପର-ଆରତୀ ଲିଭିଗଲେ, ଯୌବନର ଅଗଣିତ ମଧୁବ୍ରତ ବିଦାୟ ନେଲେ; ଘନ-ତିମିର କୋଳରେ ବରଷା-ନିଶିରେ ସେ ଆସେ । ଶ୍ରାନ୍ତ କ୍ଳାନ୍ତ ଦେହ-ବଲ୍ଲରୀକୁ ନିଜ ଛାତି ଉପରକୁ ଟାଣିନିଏ । କିନ୍ତୁ ଯୌବନର ଏ ଉଦ୍ଦାମ ଆବେଗଭରା ପାଗଳ ମୁହୂର୍ତ୍ତରେ ସେ ଆସେନା–ଦୂରରେ ରହେ ।

 

ଦୂରରେ ରହିଲା ନୀହାର । ପାଗଳିନୀ ହେଲା ସାଗରୀକା । ବହୁ ପୁରୁଷଙ୍କର ସାନ୍ନିଧ୍ୟ, ଚାଟୁ ଗୁଞ୍ଜନ, ପ୍ରଶସ୍ତିରେ ସେ କସ୍ତୁରୀ-ମୃଗ ପରି ନିଜର ସୌରଭରେ ନିଜେ ମୁଗ୍ଧ ହେଲା । ସେ ସବୁ ଭୁଲିଲା । କେତେପ୍ରକାର ଘଟଣାର ଆବର୍ତ୍ତ ଭିତରେ ଅସହାୟ ଶୁଷ୍କ ପତ୍ର ପରି ସେ ଘୂରିବାକୁ ଲାଗିଲା । ତାକୁ ଥରେ ବିନୋଦ କହିଲା–‘‘ଜାଣ ସାଗରୀକା ! ନୀହାର ଭୀଷଣ ଖରାପ ଲୋକ । ତୁମ ପରି ସୁନ୍ଦର ସରଳ ଝିଅ ଯେ କାହିଁକି ତା’ପରି ଖରାପ ଚରିତ୍ରର ଲୋକ ସହିତ ମିଶୁଥିଲା; ଏଥିରେ ଆମେ ସମସ୍ତେ ଭାରୀ ଆଶ୍ଚର୍ଯ୍ୟ ହେଉଥିଲୁ । ସେ ବରଂ ତୁମ ଲାଗି ସବୁ ଅପବାଦ, ନିନ୍ଦା ସୃଷ୍ଟି କରି ଯାଇଛି ।’’ ବିସ୍ମୟ ବିସ୍ଫାରିତ ଆଖିରେ ଚାହିଁରହେ ସାଗରୀକା । ସେ ଅତୀତର ସବୁ କିଛି ଭୁଲିଯାଇ ବିଶ୍ୱାସ କରେ ବିନୋଦର କଥାରେ । ଠିକ୍‌ ସେମିତି ଆଉ ଦିନେ ତାକୁ ରତିକାନ୍ତ କହିଲା–‘‘ତୁମେ ନୀହାର ନିକଟକୁ ଯେତେ ଚିଠି ସବୁ ଲେଖ; ସେ ସବୁ ଅନ୍ୟମାନଙ୍କୁ ପଢ଼ିବାକୁ ଦିଏ-। ତୁମେ ଖୁବ୍‌ ସହଜରେ ଧରା ଦିଅ ବୋଲି ତୁମ ପଛରେ ତୁମ ନାଁରେ ପ୍ରଚାର କରେ ।’’ ସାଗରୀକା ରାଗରେ ଦାନ୍ତ କାମୁଡ଼ିଲା । ଏଡ଼େ ନୀଚ୍ଚ, ଏଡ଼େ ବିଶ୍ୱାସଘାତକ ନୀହାର । ତଥାପି ସେ ରତିକାନ୍ତଙ୍କୁ ପଚାରି ଦେଲା–‘‘ଆଚ୍ଛା–ମୁଁ କ’ଣ ସବୁ ଲେଖିଥିଲି କହିଲ ।’’ ଏଇ ପ୍ରଶ୍ନରେ ସେ ହଡ଼ବଡ଼େଇ ଗଲା-। ତଥାପି ମୁହଁଟାଣ କରି କହିଲା–‘‘ଏଇତ ସବୁ ଏଣୁତେଣୁ କରି ଗୁଡ଼ାଏ ଲେଖିଥିଲ । ମୋର ସବୁ କ’ଣ ମନେଅଛି । କ’ଣ ସେଗୁଡ଼ାକ କହିବି ।’’ ଏମିତି ଯେ ତା’ ପାଖକୁ ଆସିଲା; ସମସ୍ତେ ନୀହାର ବିରୁଦ୍ଧରେ ତା’ ଆଗରେ ଗରଳ ଉଦ୍‌ଗାର କଲେ । ସମସ୍ତେ ଭାବୁଥିଲେ ନୀହାର ହିଁ ସେମାନଙ୍କର ଶତ୍ରୁ । ସେଇହିଁ ସେମାନଙ୍କର ପଥରେ ଏକମାତ୍ର ପ୍ରତିବନ୍ଧକ । ତାକୁ କୌଣସି ମତେ ସାଗରୀକାର ମନ ମଧ୍ୟରୁ ହଟାଇ ଦେଇ ପାରିଲେ; ଆଉ କୌଣସି ଅସୁବିଧା ନାହିଁ-। ଏହିପରି ନାନା ମନଗଢ଼ା କାହାଣୀ ଗଢ଼ାହୋଇ ସାଗରୀକା ଆଗରେ କୁହା ଚାଳିଲା । ନୀହାର ଥିଲାବେଳେ ଯେଉଁମାନେ ତା’ର ଛାଇ ସ୍ପର୍ଶ କରିବାକୁ ଭୟ କରୁଥିଲେ, ସେମାନେ ତା’ର ଅନୁପସ୍ଥିତି ଓ ସାଗରୀକାର ସରଳତା ଓ ଐକାନ୍ତିକତାର ସୁଯୋଗ ନେଇ ସେମାନଙ୍କର ବିଭିନ୍ନ ଅସ୍ତ୍ର ପ୍ରୟୋଗ କଲେ ତା’ର ମନ ଉପରେ । ସେ ଅସ୍ତ୍ର ପ୍ରୟୋଗ ମଧ୍ୟ ବ୍ୟର୍ଥ ହେଲାନି । ସାଗରୀକା ମନରେ ତାହା ଠିକ୍‌ କାମ ଦେଲା । ସେ ଅକାରଣରେ ନୀହାର ପ୍ରତି ପରାନ୍‌ମୁଖ ହୋଇ ଉଠିଲା-। ଏତେ ନୀଚ୍ଚ, ଏଡ଼େ ବିଶ୍ୱାସଘାତକ ନୀହାର; ଏଇ ଧାରଣାର ବଶବର୍ତ୍ତୀ ହୋଇ ସେ ତା’ର ଅତୀତକୁ ଏକ ବିରାଟ ଭୁଲ୍‌ ବୋଲି ଧରିନେଲା । ଗୋଟାଏ ପରେ ଗୋଟିଏ କରି କେତେ ଚିଠି ଦେଲା ନୀହାର; କିନ୍ତୁ ନିଷ୍ଠୁରା ସାଗରୀକା କୌଣସି ଗୋଟିକର ହେଲେ ଉତ୍ତର ଦେଲାନାହିଁ-। ତା’ର ଅନ୍ତର କିପରି ଏକ ଅବ୍ୟକ୍ତ ଘୃଣାରେ ପୂରିଉଠିଲା । ସେ ଭାବିଲା ତା’ର ସବୁ ଦୁଃଖ, ଦୁର୍ଦ୍ଦଶା ପାଇଁ ନୀହାର ହିଁ କେବଳ ଦାୟୀ । ତା’ର ପ୍ରେମ, ସ୍ନେହ, ମମତା ସବୁ ହଠାତ୍‌ ସାଗରୀକା ଆଖିରେ ନୀଚ୍ଚ ହୋଇଗଲା । ତାକୁ ଭୁଲିବା ପାଇଁ ସେ ବନ୍ଧୁ ଖୋଜିଥିଲା । ନିଜ ମୁହଁରେ ହସ ଫେରାଇ ଆଣିବା ପାଇଁ ସେ ତା’ ଜୀବନର ଗତି ବଦଳାଇ ଦେଇଥିଲା । କିନ୍ତୁ ଏଇ ପରିବର୍ତ୍ତିତ ଜୀବନ ଭିତରେ ନୀହାରର ଆଉ ସ୍ଥାନ ରହିଲା ନାହିଁ-। ଅଗଣିତ ବନ୍ଧୁମାନଙ୍କଠାରୁ ନୀହାର ବିରୁଦ୍ଧରେ ଶୁଣି ଶୁଣି ତା’ର ମନ ଏପରି ଶେଷକୁ ହୋଇଗଲା ଯେ ସେ ନୀହାର କଥା ଭାବିବାକୁ ବି ଘୃଣା କଲା । ତା’ପରେ ବା ତାକୁ ଭାବିବାକୁ ସମୟ ମିଳିଲା କୁଆଡ଼ୁ ? ତା’ ହୋଇଥିଲେ ସେ ବୋଧହୁଏ ନୀହାରକୁ ଅସ୍ୱୀକାର କରିବାକୁ ସାହସ କରିନଥାନ୍ତା-। ବୁଝିପାରିଥାନ୍ତା ସବୁ ଈର୍ଷା ଓ ଅସୂୟାର ଉଦ୍ଭାବନ । ନୀହାର ଏତେ ଛୋଟ ନୁହେଁ; ସେ ବିରାଟ, ମହାନ୍‌, ସାଧାରଣ ମନୁଷ୍ୟଠାରୁ ବହୁତ ଉଚ୍ଚରେ । ଅନେକଥର ସେ ନୀହାରଠାରୁ ଶୁଣିଛି–‘‘ତୁମେ ନିଶ୍ଚିନ୍ତ ରହ ସାଗରୀକା–ତୁମ ପ୍ରେମର କୌଣସି ଅସମ୍ମାନ ହେବନାହିଁ । ତାହା ତୁମେ ଉପଯୁକ୍ତ ପାତ୍ରରେ ଦେଇଛି ।’’

 

ସେ ସବୁ କଥା ଭୁଲିଗଲା ସାଗରୀକା । ବର୍ତ୍ତମାନ ତାକୁ ଦିଶିଲା ଖୁବ୍‌ ସୁନ୍ଦର, ଲୋଭନୀୟ ଆଉ ରମଣୀୟ । ସେ ଅତୀତ କଥା ଭାବିବାକୁ, ଚିନ୍ତା କରିବାକୁ ଆଦୌ ବେଳ ପାଇଲା ନାହିଁ । ଯୌବନର ଉଦ୍ଦାମ ଆବେଗରେ ସେ ସବୁ କିଛି ଭୁଲିଯାଇ, ଯାହା ପାଇଲା ତାହା ଗ୍ରହଣ କରିନେଲା । ଅତୀତ ଗଲା–ଆସିଲା ବର୍ତ୍ତମାନ । ଅତୀତର ନୀହାର ଦୂରରେ ହଜିଗଲା–ଏକ ଗଲା; ଆସିଲେ ଅନେକ । ନିଜର ଯୌବନର ଏହି ବିଭବରେ ବିହ୍ୱଳା ସାଗରୀକା ଅନ୍ଧ ପାଲଟି ଗଲା । ଜୀବନର ବାସ୍ତବ ରୂପ ନ ଦେଖି ସେ ଦେଖିଲା ସ୍ୱପ୍ନ–ରଙ୍ଗ ବେରଙ୍ଗର; ଭୁଲ୍‍ ଭ୍ରାନ୍ତିର ସ୍ୱପ୍ନ । ଅଥଳ ଜୀବନ ସାଗରରେ ଭାସି ଚାଲିଲା ସାଗରୀକା–ଦୂରକୁ ବହୁତ ଦୂରକୁ; ତରଙ୍ଗର ଦୋଳାରେ ଝୁଲି ଝୁଲି–ମଳୟର ମାଦକିତ ସ୍ପର୍ଶରେ ଉଲ୍ଲସିତ ହୋଇ ।

 

ଶିହରି ଉଠିଲା ସାଗରୀକା । ବାହାରେ କଳା କିଟିକିଟି ରାତି ଜମାଟ ବାନ୍ଧିଛି । କେଉଁଠି ଟିକିଏ ହେଲେ ଆଲୁଅର ସତ୍ତା ନାହିଁ । ଏ ରାତି କେଡ଼େ ନିବିଡ଼–ଏ ଅନ୍ଧାର କେତେ ସାନ୍ଦ୍ର । ୟା ଭିତରେ ପ୍ରକୃତରେ ବାଟ ଚାଲିବା କ’ଣ ଏଡ଼େ ସହଜ ? ଏଇ ଅନ୍ଧାର ରାତିରେ ବାଟ ଚାଲିଲା ବେଳେ କେତେ କିଏ ବାଟ ଭୁଲି ଅବାଟରେ ଯାଇନଥିବେ । କିନ୍ତୁ ବାଟହରା ବାଟୋଇର ଦୁଃଖ କେତେଜଣ ବୁଝିଲେ ? କେତେଜଣ ଶୁଣିଲେ ତା’ର ବୁକୁର ବ୍ୟାକୁଳ ଆର୍ତ୍ତନାଦ । ଏଇପରି ଅନ୍ଧାର ରାତି; ଉପରେ ଅନନ୍ତ ଆକାଶ ତଳେ ବିରାଟ ବିସ୍ତୃତ ପୃଥିବୀ । ତାରି ଭିତରେ ଉଦ୍ଦାମ ଯୌବନ ଆଉ ଅସରନ୍ତି ଆଶା ଆକାଂକ୍ଷାର ଉଦ୍ବେଳିତ ସମାରୋହ ଭିତରେ ବାଟ ଚାଲୁ ଚାଲୁ ସେ ବାଟ ଭୁଲି ଯାଇଥିଲା । ତା’ର ଭୁଲ୍‌ ହୋଇଥିଲା । କିନ୍ତୁ କିଏ ବୁଝିଲା ତା’ର ହୃଦୟର ବ୍ୟଥା–ବେଦନାର ଅସ୍ପଷ୍ଟ ସଙ୍ଗୀତ । ତାକୁ ଲାଗିଲା ସେ ଯେମିତି ଏକୁଟିଆ । ଖୁବ୍‌ ଏକୁଟିଆ । ତା’ର କେହି ନଥିଲେ–କେହି ନାହାନ୍ତି; ଭବିଷ୍ୟତ ପାଇଁ ବି କେହି ଆସିବେନି । ସମଗ୍ର ଜୀବନ ତାକୁ ଏମିତି ଅନ୍ଧାର ରାତିରେ, ବର୍ଷା-ବତାସିଭରା ଦୁର୍ଦ୍ଦିନରେ ଏକୁଟିଆ ଚାଲିବାକୁ ପଡ଼ିବ । ଏହି ଐକାନ୍ତିକତା ତାକୁ ଆଜିକାଲି ଭୀଷଣ ଭାବରେ ଆକ୍ରମଣ କରୁଛି; କେଜାଣି କାହିଁକି ? ଜୀବନରେ ଏହି ଅସହାୟ-ପରିସ୍ଥିତିରୁ ରକ୍ଷା ପାଇବାକୁ ସେ କେତେ ବନ୍ଧୁ ସୃଷ୍ଟି ନ କରିଛି । ସଦାବେଳେ ବନ୍ଧୁବାନ୍ଧବ ସଖା ସଙ୍ଗିନୀମାନଙ୍କ ମେଳରେ ରହି ନିଜର ଏହି ନିଃସଙ୍ଗତାକୁ ଘୋଡ଼ାଇ ଦେବାକୁ କେତେ ଚେଷ୍ଟା ନ କରିଛି ସେ ? ପ୍ରତି ମୁହୂର୍ତ୍ତରେ ତଥାପି ସେ ଯେପରି ଅନୁଭବ କରିଛି ଏହି ବିରାଟ ସଂସାରରେ ସେ ଏକାନ୍ତ ଏକାକୀ । ଯେତେ ପ୍ରବୋଧନା ଦେଲେ ବି ତା’ର ଅମାନିଆଁ ମନ କୌଣସି କଥା ମାନି ନାହିଁ । କେବଳ ତା’ର ମନେପଡ଼େ ନୀହାର । ଯେ କି ତା’ ଜୀବନର ଏକମାତ୍ର ସାଥୀ ଥିଲା । ସବୁ ସୁଖ ଦୁଃଖ ଭିତରେ ସେ ପାଖରେ ଥିଲାବେଳେ ତା’ର ମନେ ହେଉଥିଲା ସେ ଏକାକୀ ନୁହେଁ; ତା’ର ପାଖେପାଖେ ଅତି ଆପଣାର, ନିଜର ଲୋକ ଜଣେ ଠିଆହୋଇଛି । ତାରି ସୁଖରେ ସେ ହୃଦୟଭରି ହସିବ; ତାରି ଦୁଃଖରେ ଲୁହ ଢାଳି ତାକୁ ସାନ୍ତ୍ୱନା ଦେବ । ଥରେ ତାକୁ ନୀହାର କହିଥିଲା–‘‘ମୋ ଛଡ଼ା ତୁମ ଜୀବନରେ କୌଣସି ଶାନ୍ତି ନାହିଁ–କି ତୁମ ଅଭାବରେ ମୋ ଜୀବନର କୌଣସି ମୂଲ୍ୟ ନାହିଁ ।’’ ଆଜି ଲାଗିଲା ନୀହାରର ସେଦିନର କଥା ନିତାନ୍ତ ସତ । ତାକୁ ଭୁଲିବାକୁ ସେ କେତେ ଚେଷ୍ଟା ନ କରିଛି । ତଥାପି ହାରିଗଲା ଶେଷରେ ।

 

ଯେତେବେଳେ ଅନେକ ଚିଠି ଲେଖିସାରି ନୀହାର ସାଗରୀକାଠାରୁ କୌଣସି ଉତ୍ତର ପାଇଲାନି; ସେତେବଳେ ଚାରି ମାସ ପରେ ସେ ନିଜେ ଆସିଥିଲା । କିନ୍ତୁ କି ନିଷ୍ଠୁର ଭାବରେ ସାଗରୀକା ତାକୁ ଫେରାଇ ନ ଦେଇଛି ସେଦିନ । ତାକୁ ଫେରାଇ ଦେଇ, ସେଇ ଦୁଃଖକୁ ଭୁଲିବାକୁ–ସେଇ ଚିନ୍ତାରୁ ନିଜକୁ ଦୂରରେ ରଖିବାକୁ ସେ ନିଜକୁ କେତେ କାମରେ, ଭିନ୍ନ ଭିନ୍ନ ବନ୍ଧୁ ମେଳରେ ହଜାଇ ଦେଇଛି । ଡ୍ରାମାରେ ପାର୍ଟ କରିଛି; ଛାତ୍ର-ୟୁନିଅନ୍‌ର ଗ୍ରୀଷ୍ମ-ଶିବିରରେ ଯୋଗ ଦେଇଛି–ଦ୍ୱାର ଦ୍ୱାର ବୁଲି ସେ ଲାଗି ଚାନ୍ଦା ସଂଗ୍ରହ କରିଛି;ଏବଂ ଏକ ନୂତନ ଦୃଷ୍ଟିକୋଣରୁ ଜୀବନକୁ ଗଢ଼ିବାକୁ ଯାଉଛି ବୋଲି ଆପେ ନିଜ ମନକୁ ସାନ୍ତ୍ୱନା ଦେଇଛି । କେବଳ ନୀହାର–ସେଇ ଜଣକୁ ଭୁଲିବାକୁ ସେ ଅଗଣିତ କର୍ମପନ୍ଥା ଗ୍ରହଣ କରିନେଇଛି–ଅନେକ ଲୋକଙ୍କ ମେଳରେ ତାକୁ ଭୁଲିଯିବାକୁ ଚେଷ୍ଟା କରିଛି । କିନ୍ତୁ କ’ଣ ହେଲା ତା’ର ପରିଣତି ? ସବୁ କାର୍ଯ୍ୟ ବ୍ୟସ୍ତତା, ଅଗଣିତ ବନ୍ଧୁବାନ୍ଧବ, ଅସରନ୍ତି ଜୀବନ ଭିତରେ ନିଜକୁ ହଜାଇ ଦେବା ସତ୍ତ୍ୱେ ବି ତାକୁ ଭୁଲି ହେଲାନାହିଁ । ସେ ଆସେ । ଅତି ନିଭୃତରେ, ଅସତର୍କ ମୁହୂର୍ତ୍ତରେ ତା’ର ହୃଦୟକୁ ଛୁଇଁଦେଇ ପୁଣି କୁଆଡ଼େ ହଜିଯାଏ । ସେଇ ସ୍ପର୍ଶରେ ତା’ର ଜୀବନର ବୀଣା-ତାରରେ ହଠାତ୍‌ ଉଠେ କି ଏକ ଝଙ୍କାର–କି କରୁଣ, ମର୍ମ୍ମସ୍ପର୍ଶୀ ସେଇ ସ୍ୱର । ସେଇ ଶବ୍ଦରେ ଚମକି ପଡ଼େ ସାଗରୀକା । ତା’ର ଦେହ ଥରିଯାଏ–ଆଖି ଛଳ ଛଳ ହୋଇ ଉଠେ । ସେ ସବୁ ସାହସ, ଦମ୍ଭ ହରାଇ ପଛ ଜୀବନକୁ ଆଖି ଫେରାଏ । ଜୀବନର ପ୍ରତି ନିର୍ଜନ ମୁହୂର୍ତ୍ତରେ ହେଉ ବା ଜନଗହଳି ଭିତରେ ହେଉ ସେ ଆସେ, ଆଉ ଯାଏ । ସେଇ କେତୋଟି ମୁହୂର୍ତ୍ତ ପାଇଁ ସାଗରୀକାକୁ ଥରାଇ ଦେଇଯାଏ ତା’ର ସ୍ମୃତି-

 

ସାଗରୀକାର ଦ୍ୱାର ମୁହଁରୁ ଫେରିଗଲା ପରେ ଆଉ ନୀହାର ଆସିନି । ସେ ବହୁ ଲୋକଙ୍କଠାରୁ ତା’ ବିଷୟରେ କେତେ କଥା ଶୁଣିଛି; କୌଣସିଟିରେ ବିଶ୍ୱାସ କରିନି । ବରଂ କିପରି ତା’ ବିଷୟରେ କୌଣସି ଖବର ତା’ କାନରେ ନ ପଡ଼ିବ ସେଥିଲାଗି ସେ ବରାବର ଚେଷ୍ଟା କରି ଆସିଛି । ଅଥଚ ବିଭିନ୍ନ ବାଟଦେଇ, ବହୁ ଲୋକଙ୍କ ମାଧ୍ୟମରେ ତା’ ନିକଟରେ ନାନା ଅଦ୍ଭୁତ ଖବର ପହଞ୍ଚେ । ସେ ଶୁଣେ । ଚୁପ୍‌ ରହେ । କେବଳ ନୀରବରେ ନିଜକୁ ନିଜେ ବିଶ୍ଳେଷଣ କରେ-। କ’ଣ ତା’ର ଭୁଲ୍‌। କ’ଣ ତା’ର ଦୋଷ ? କାହିଁକି ଅଳ୍ପ କେତୋଟି ଦିନ ମଧ୍ୟରେ ସାଗରୀକାର ଏପରି ଅଦ୍ଭୁତ ପରିବର୍ତ୍ତନ ହୋଇଗଲା । ସେ ତ ଏପରି ନଥିଲା–ଏ ପ୍ରକାର ଜୀବନ ସେ ବରଣ ଯେ କରିନେବ ସେ ଆଶଙ୍କା ତ କେଭେଁ କରିନଥିଲା ନୀହାର । ତଥାପି ତା’ର ସବୁ ଚିନ୍ତାକୁ ଓଲଟ ପାଲଟ କରି ଏସବୁ କ’ଣ ଏମିତି ଘଟିଗଲା । ଏଇ ଚିନ୍ତାରେ ସ୍ତମ୍ଭୀଭୂତ ହୋଇଯାଏ ନୀହାର । ସେ କିଛି ଭାବି ପାରେନା । ତାକୁ ଜଣାପଡ଼େ ଯେପରି ତା’ ଚାରିପଟର ବିରାଟ ପୃଥିବୀ ତା’ର ଏଇ ନିର୍ବୋଧତା ଓ ଦୁର୍ବଳତା ଲାଗି ଉପହାସ କରୁଛି । ତା’ ବନ୍ଧୁମାନେ ତାକୁ ସବୁ କିଛି ଭୁଲିଯିବାକୁ ବାରମ୍ବାର ଚେତାଇ ଦେଇ ଯାଆନ୍ତି । କିନ୍ତୁ ସେ ପାରେନା । ଯେତେବେଳେ ତାକୁ ଟିକିଏ ଅବସର ମିଳେ ସେ ଚେଷ୍ଟା କରେ ତା’ର ଅତୀତର କଥା ଭାବିବାକୁ । ତା’ର ଜୀବନରେ ସେତିକି ମାତ୍ର ଶାନ୍ତି ଆଉ ଆଶ୍ୱାସନା ।

 

ଅତୀତର ସବୁ କଥା ଗୋଟି ଗୋଟି କରି ମନେ ପକାଇବାକୁ ଚେଷ୍ଟା କଲା ସାଗରୀକା-। ଯେଉଁ ଅତୀତକୁ ସେ ଆଜକୁ ଏତେ ଦିନ ଧରି ପାସୋରି ଦେବାକୁ ଉଦ୍ୟମ କରି ଆସୁଥିଲା, ଆଜି ହଠାତ୍‌ ସେଇ ଅତୀତ ପାଇଁ ତା’ର ପ୍ରାଣ ଅତିମାତ୍ରାରେ କରୁଣା କୋମଳ ହୋଇ ଉଠିଲା-। ଅତୀତର ସବୁ ଅନୁଭୂତି ଗୋଟିକ ପରେ ଗୋଟିଏ କରି ମନେ ପକାଇବାକୁ ଚେଷ୍ଟା କଲା ସେ-। ତା’ର ମନେପଡ଼ିଗଲା ସବୁ କଥା । ଅତୀତ ତା’ପ୍ରତି ଅଭିମାନ କଲା ନାହିଁ–ସାଗରୀକା ଅବହେଳା କରିଥିଲା ବୋଲି ଦୂରେଇ ଗଲାନି । ବରଂ ଆପେ ଆପେ ଆସି ତା’ର ଚିନ୍ତାରେ ଦେଖାଦେଲା, ଅତି ସ୍ପଷ୍ଟ ଭାବରେ । ସତେ ଯେପରି ଛୋଟ ଶିଶୁଟିଏ ମା’ର ହତାଦର ପାଇଁ ଦୂରରେ ଠିଆହୋଇ କଇଁ କଇଁ ହୋଇ କାନ୍ଦୁଥିଲା; ଏବଂ ଯେଉଁ ମୁହୂର୍ତ୍ତରେ ମା’ର ସ୍ନେହ ଅନୁରାଗ ବୋଳା ପଦେ ଡାକ ତା’ କାନରେ ବାଜିଛି; ସଙ୍ଗେ ସଙ୍ଗେ ଧାଇଁ ତା’ର ମା’ ପାଖକୁ । ଠିକ୍‌ ସେମିତି ସାଗରୀକାର ଅତୀତ ଦୀର୍ଘ ବହୁବର୍ଷ ଧରି ଅନାଦୃତ ହୋଇ ପଡ଼ିରହିଥିଲା; ତା’ର ସାମାନ୍ୟ ସହାନୁଭୂତିରେ ସେଇ ଅତୀତ କେତେ ପ୍ରାଣବନ୍ତ ହୋଇ ଉଠିଲା । ସାଗରୀକା ଚାହିଁଲା ତା’ର ଅତୀତ ଭିତରକୁ । ସବୁ ଗୋଟି ଗୋଟି ହୋଇ ଦିଶୁଛି । ସେଦିନ କେତେ ସୁନ୍ଦର–କେତେ ଲୋଭନୀୟ–କେତେ ଚମତ୍କାର-। ବର୍ତ୍ତମାନର ଆବିଳ-ପୃଷ୍ଠ ଭୂମିରୁ ଅତୀତର ଦୃଶ୍ୟ ଦେଖି ସେ ଉଲ୍ଲାସରେ ଥରିଉଠିଲା-। ମନେମନେ ଗର୍ବ ଅନୁଭବ କଲା ଯେ ତା’ର ଦିନେ ଏଇପରି ଅତୀତ ଥିଲା–ସୁନାର ଅତୀତ । ଆଜି ସିନା ନାଇଁ–ଦିନେ ଥିଲା । ଯଦି ସେ କେବଳ ସେଇ ଅତୀତକୁ ସମ୍ବଳ କରି ବଞ୍ଚିରହିଥାନ୍ତା; ତା’ହେଲେ ବୋଧେ ତା’ ଜୀବନରେ କିଛି ଦୁଃଖ ଆସିନଥାନ୍ତା । ନିଜର ପ୍ରେମ ଉପରେ ଅଟଳ ରହି ସେ ଆଗେଇ ପାରିଥାନ୍ତା ।

 

ଥରେ କଟକରୁ ତାକୁ ଗୋଟିଏ ଚିଠିରେ ନୀହାର ଲେଖିଥିଲା–‘‘ପ୍ରାଣର-ପ୍ରତ୍ୟୟ ନେଇ ପ୍ରେମର ସୃଷ୍ଟି । ପ୍ରତ୍ୟୟ ଆଉ ପ୍ରୀତିର ପ୍ରତିକ ହେଉଛି ସ୍ପର୍ଶ । ଏବଂ ତୁମେ ମୋତେ ଯେଉଁ ନୂତନ ସ୍ପର୍ଶ ଦେଇଛ ତା’ର ଭବିଷ୍ୟତ ତୁମରି ହାତରେ ।’’ ସେଦିନ ନୀହାରର ଏ ଚିଠିର ପ୍ରତିବାଦ କରିଥିଲା ସାଗରୀକା–ସେ ଉତ୍ତର ଦେଇଥିଲେ–‘‘ତୁମେ କ୍ରମଶଃ ମୋ ପ୍ରେମ ଉପରୁ ବିଶ୍ୱାସ ହରାଉଛ ନୀହାର–ମୋ ଉପରୁ ତୁମର ପ୍ରତ୍ୟୟ କାହିଁକି କେଜାଣି କମି ଯାଉଛି । ନ ହେଲେ ତୁମେ ଏପରି କାହିଁକି ଲେଖିଥାନ୍ତ ? ପୁଣି କି ଭୁଲ୍‍ ଧାରଣା ତୁମର । ତୁମେ କ’ଣ ଏତିକି ଜାଣିନ ଯେ ଭବିଷ୍ୟତ ତୁମ ହାତରେ ବୋଲି ।’’ ଆଜି ମନେହେଲା; ସେଦିନ ସେ ଯାହା ଲେଖିଥିଲା ସବୁ ମିଛ । ନୀହାରର ଆଶଙ୍କା ଅକ୍ଷରେ ଅକ୍ଷରେ ସତ ହୋଇଛି । ଯେଉଁ ସ୍ପର୍ଶ ଦିନେ ନୀହାର ଆଉ ସାଗରୀକା ଦୁହିଁଙ୍କ ଜୀବନରେ ନୂତନ ତରଙ୍ଗ ଛୁଟାଇ ଥିଲା, ତା’ର ଭବିଷ୍ୟତକୁ ଅତି ନିଷ୍ଠୁର ଭାବରେ ନିଜ ହାତରେ ନଷ୍ଟ କରିଦେଇଛି ସାଗରୀକା । ସେ କିମିତି ଏତେ କଠୋର, ଏତେ ନିର୍ଦ୍ଦୟ ହୋଇପାରିଲା, ତା’ ସେ ନିଜେ ବି ଜାଣିପାରିଲାନି । ଅତୀତର ସାଗରୀକା, ତାକୁ ଉପହାସ କରି ଉଠିଲା । ସେ ଆଶ୍ଚର୍ଯ୍ୟ ହୋଇ ଖାଲି ନିଜକୁ ନିଜେ ଚାହିଁରହିଲା । କ’ଣ ତା’ର ଏମିତି ହୋଇଗଲା, ସେ ଏତେ ବଦଳି ଗଲା କିପରି ? ଥରେ ସେ ନୀହାରକୁ ଲେଖିଥିଲା–‘‘ତୁମେ ଭାବୁଛ ମୁଁ ତୁମକୁ ଭୁଲିଯିବି ବୋଲି; କିନ୍ତୁ ମୁଁ ତୁମକୁ ଭଲ ନ ପାଇବି କାହିଁକି ? ମୋର କୁମାରୀ ଜୀବନରେ ଏକ ନୂତନ ସ୍ପନ୍ଦନ ସୃଷ୍ଟି କରିଛ ତୁମେ । ତା’ କ’ଣ କେବେ ଭୁଲି ହୁଏ ? ଯାହା ହେବ ସେ ତୁମ ଆଡ଼ୁ । କାହିଁକି ତୁମର ଏତେ ସନ୍ଦେହ ଏତେ ଆଶଙ୍କା ? ମୋର ଅସୁବିଧା, ମୋର ବେଦନା, ମୋର ଅପମାନ ଅପବାଦ ଯଦି ତୁମେ ମୋର ଜୀବନ ସର୍ବସ୍ୱ ହୋଇ ନ ବୁଝିବ, ମୋତେ ସାନ୍ତ୍ୱନା ନ ଦେବ; ତା’ହେଲେ ମୁଁ କାହାକୁ କହିବି ? ମୁଁ ମୋର ବାପା ବୋଉ ସମସ୍ତେ ଥିବାସତ୍ତ୍ୱେ ତୁମକୁହିଁ ସବୁଠୁଁ ବେଶୀ ଭଲପାଏ; ହୃଦୟ ଦେଇ ଲହୁ ଲୁହ ଦେଇ, ପ୍ରାଣର ସମସ୍ତ ଆବେଗ ଓ ଉନ୍ମାଦନା ନେଇ ଭଲପାଏ । ସଦାବେଳେ ତୁମକୁ ପାଖରେ ପାଇବା ପାଇଁ; ତୁମ ସେବାରେ ନୀଜକୁ ନିୟୋଜନ କରିବା ପାଇଁ ଚାହେଁ । ମୋର ଜୀବନର ସବୁ ସୁଖ, ଶାନ୍ତି ଏପରି କି ଜୀବନ ବିନିମୟରେ ବି ମୁଁ ତୁମକୁ ଚାହେଁ । ସୁନ୍ଦର ହେଉ ବା ଅସୁନ୍ଦର ହେଉ ଏ ଦେହ, ଯୌବନ ବା ରୂପ ଯାହା କିଛି କହ; କ’ଣ ହେବ ସେ ସବୁ ତୁମ ବିନା ? ଯାହାଙ୍କୁ ମୋର ଜୀବନର ସାଥୀ, ଜୀବନ-ସର୍ବସ୍ୱ ଓ ହୃଦୟର ପ୍ରିୟତମ ରୂପେ ହସି ହସି ବରଣ କରିନେଇଛି ତାଙ୍କରି ପଦତଳେ ହିଁ ମୋର ଶାନ୍ତି । ତୁମେ ଯେତେ ଭୁଲ୍‌ ବୁଝିଲେ ବି ମୁଁ ତୁମର । କାହାର ଅଧିକାର ନାହିଁ ଆତ୍ମାରୁ ଆତ୍ମାକୁ, ହୃଦୟରୁ ହୃଦୟକୁ, ରକ୍ତରୁ ରକ୍ତକୁ ଛଡ଼ାଇ ନେବାକୁ । କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗେ କାହିଁକି ତୁମେ ମୋତେ ବେଳେ ବେଳେ ଏମିତି ଅବିଶ୍ୱାସ କର । ତୁମେ ମୋତେ କୋଉ ଦୃଷ୍ଟିରେ ଦେଖ କେଜାଣି; ଜନ୍ମାଷ୍ଟମୀ ଦିନଠାରୁ ମୁଁ ତୁମକୁ ମୋର ଜୀବନର ସାଥୀ ରୂପେ ଗ୍ରହଣ କରି ସାରିଛି । ମୋର ଇଚ୍ଛାହୁଏ, ସଦାବେଳେ ତୁମ ପାଖରେ ବସି, ତୁମ ମୁହଁରୁ କଥା ଶୁଣୁଥାନ୍ତି କି ? କିନ୍ତୁ କ’ଣ କରିବି-? ପରିସ୍ଥିତି ଓ ପରିବେଶକୁ ତ ନେଇ ପୁଣି ଚଳିବି ।

 

ମୁଁ ଜାଣେ ଅତି ଅଳ୍ପ ସମୟ ମଧ୍ୟରେ; ଅତି ଆକସ୍ମିକ ଭାବରେ ଆମ ଦୁହିଁଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ପ୍ରତିଷ୍ଠିତ ହୋଇଛି । ଏଥିରୁ ମୋତେ ଲାଗୁଛି ବୋଧେ ଏହା ପଛରେ ବିଶ୍ୱନିୟନ୍ତା ଭଗବାନ୍‌ଙ୍କର ଏକ ପ୍ରଚ୍ଛନ୍ନ ଆଶୀର୍ବାଦ ରହିଛି । ମୁଁ ତ ଆଜିକାଲି ଗୋଟିଏ ଧାଡ଼ି ବି ପଢ଼ିପାରୁନାହିଁ-। ଖାଇବା, ଶୋଇବା, ପଢ଼ିବା ସବୁବେଳେ ତୁମେ ମନେପଡ଼ୁଛ । ବହିକି ଚାହିଁଲେ ସେଥିର ପ୍ରତି ଅକ୍ଷରଗୁଡ଼ାକ ତୁମର ଗୋଟିଏ ଗୋଟିଏ ସୁନ୍ଦର ଚେହେରା ନେଇ ଠିଆ ହେଉଛି । ତାରି ଭିତରେ ମୁଁ ଦେଖୁଛି ତୁମକୁ । ଆଉ ପଢ଼ିବି କ’ଣ ?

 

ଏଣିକି ତୁମର ଯାହା ମୋତେ କହିବାର ଥିବ; ସବୁ ଲେଖି କରି ଦେଲେ ଭଲ ହେବ । କାରଣ ତୁମେ ତ ଏଡ଼େ ଅଭଦ୍ର ଯେ ତୁମ ଘରେ ମୋତେ କିଛି କହିବାକୁ ଦେବନି କି ନିଜେ ବି କିଛି କହିବନି । ଆଉ ଆସିଲା ବେଳକୁ ଖାଲି କହିବ–‘‘ବହୁତ କଥା କହିବାକୁ ଥିଲା, କିଛି କହିପାରିଲିନି-।’’ ଇଏ କୋଉ ପ୍ରକାର ଷ୍ଟାଇଲ୍‌ କେଜାଣି ? ତୁମ ଘରକୁ ଯାଇ ଘଣ୍ଟା ଘଣ୍ଟା ରହିଲା ପରେ ବି ମୁଁ ଯେ କ’ଣ କଥାବାର୍ତ୍ତା ହୁଏ; ତୁମେ ଯେ କ’ଣ କୁହ ମୁଁ କିଛି ଜାଣିପାରେ ନାହିଁ । ତେଣୁ ଏଥର ସବୁ ଲେଖି ପଠାଇ ଦେବ; କାରଣ ତୁମ ପକ୍ଷରେ ମୋତେ ସାକ୍ଷାତରେ କିଛି କହିବା ବୋଧେ ସମ୍ଭବ ହେବନି ।

 

ମୁଁ ତୁମକୁ କଥା ଦେଉଛି ଆଜୀବନ ମୁଁ ତୁମର ହୋଇ ରହିବି । ଏତେ ସନ୍ଦେହ କାହିଁକି-? ତୁମେ ହୁଏତ କୌଣସି ମିଥ୍ୟା ପ୍ରଚାରରେ ମୋତେ ଭୁଲ୍‌ ବୁଝି ପଚାରି ନପାର; କିନ୍ତୁ ତୁମ ସହିତ ଅତି ନିବିଡ଼ ଭାବେ ମିଶିଥିବା ମୋର ଏ ଶରୀରକୁ ତ ମୁଁ ଆଉ କାହାକୁ ଦେଇପାରିବି ନାହିଁ । ତୁମ ପାଇଁ ଉଦ୍ଦିଷ୍ଟ ବସ୍ତୁ ତୁମର ପସନ୍ଦ ହୋଇପାରେ; ନ ହୋଇପାରେ । କିନ୍ତୁ ଏ ଦେହ, ମନ, ପ୍ରାଣ ତୁମର ହୋଇ ରହିଛି ଓ ଚିର ଦିନ ରହିବ । ଲୌକିକ ରୀତିରେ ଆମର ବିବାହ ହୋଇନଥିଲେ ବି ହୃଦୟ ସହିତ ହୃଦୟର ମିଳନ ହୋଇଯାଇଛି । ତୁମେ ବି ନିଜେ ଦିନେ କହୁଥିଲ–‘‘ବିବାହ କରିଥିଲେ ଆମେ କ’ଣ ଅଧିକା କରିଥାନ୍ତେ ।’’ ମୁଁ ମଧ୍ୟ କହେ ଓ କହିବି ମଧ୍ୟ ମୋର ହକ୍‌ ଦାବି ନେଇ ଯେ ଆପଣ ମୋର ସ୍ୱାମୀ, ନାରୀ ଜୀବନର ଗତି-ମୁକ୍ତିଦାତା, ଇହକାଳ ଓ ପରକାଳର ସାଥୀ, ଜୀବନ ସର୍ବସ୍ୱ ।

 

ମୁଁ ଜାଣେ ଏବଂ ମୋର ଆତ୍ମା ଜାଣେ ଯେ ମୁଁ କେତେଦୂର ଠିକ୍‌ କିମ୍ୱା ଭୁଲ୍‌। ଜଣେ ଯୁବକକୁ ନିଜର ଯୌବନ ପୂର୍ଣ୍ଣଭାବରେ ଦାନ କରି ସାରିଲା ପରେ ଆଉ କେଉଁ ନିରୀହ ଯୁବକକୁ ମୋର ସେ ଉଚ୍ଛିଷ୍ଟ ଯୌବନକୁ କିପରି ତୋଳିଦେବି ? କାହିଁକି ଜଣେ ପବିତ୍ରମନା ଯୁବକ ତା’ର ସ୍ତ୍ରୀର ପବିତ୍ର ସ୍ନେହ, ପ୍ରୀତି ଭୋଗ ନ କରିବ ? ସେ ତ କିଛି ଦୋଷୀ ନୁହେଁ । ଜୀବନରେ ତୁମକୁ ବିବାହ କରିନପାରିଲେ ଆଜୀବନ ଅବିବାହିତା ରହିବି ବୋଲି ସ୍ଥିର କରି ସାରିଛି । ତା’ପରେ ମୋର ବି ବିବାହ ପାଇଁ ଆଉ ବିଶେଷ ଆଗ୍ରହ ନାହିଁ । ଏ ଜୀବନରେ ଯାହା ଖୋଜିଥିଲି–ସବୁ ପାଇ ସାରିଛି । ଥରେ ସବୁ ଦେଇ ସାରିଲା ପରେ ଆଉ ମୋର ହୋଇ କିଛି ନାହିଁ । ଦାନ କରିଥିବା ହୃଦୟ କ’ଣ ପୁଣି ଦାତା ପାଖକୁ କେବେ ଫେରି ଆସେ ?

 

ମୋ ରାଣ–ମୋ ଉପରେ ରାଗିବନି । ସବୁବେଳେ ତୁମକୁ ସନ୍ତୁଷ୍ଟ କରିବାକୁ ମୁଁ ଚେଷ୍ଟା କରିବି । ଧରିତ୍ରୀଠାରୁ ଶତ ଗୁଣରେ, ସହସ୍ର ଗୁଣରେ ସହିଷ୍ଣୁ ହୋଇପାରିବି । ମାୟାଦେବୀଙ୍କଠାରୁ କୋଟି ଗୁଣରେ ଉଚ୍ଚ ହୋଇପାରିବି । ମୁଁ ଜାଣେ ତୁମେ ବି ମୋତେ ଅନୁରୂପ ପ୍ରତିଦାନ ଦେବ । ଏଇ ବିଶ୍ୱାସ ମୋର ଅଛି ।

 

ଆଜି ତା’ର ସବୁ ଗୋଟି ଗୋଟି ହୋଇ ପୁଣି ମନେପଡ଼ିଗଲା । ଚିଠିର ପ୍ରତିଟି ଅକ୍ଷର ତାକୁ ଅତି ସ୍ପଷ୍ଟ, ପରିଷ୍କାର ଭାବରେ ଜଳ ଜଳ ହୋଇ ଦେଖାଗଲା । ସେ ନିଜ ପାଖରେ କେତେ ଛୋଟ ହୋଇଗଲା, ନିଜେ । ତାକୁ ଲାଗିଲା, ତା’ର ସମସ୍ତ ଶପଥ ପ୍ରତିଶ୍ରୁତି ଓ ପ୍ରତିଜ୍ଞା ଭଙ୍ଗ କରି କି ବିରାଟ ଭୁଲ୍‌ ନ କରିଛି ସେ । କୋଉ ସଇତାନ୍‌ର ଅଦୃଶ୍ୟ ଇଙ୍ଗିତରେ ସେ ବାଟ ଭୁଲିଲା; ଭୁଲ୍‍ କଲା; ନିଜକୁ ନିଜେ ଠକିଲା, ନିଜ ସାଥିରେ ପ୍ରତାରଣା କଲା । ସେଇଥି ଲାଗି ଆଜି ତା’ର ଆଖିରେ ଲୁହ ଭରି ରହିଛି । କ’ଣ ସତେ ହୋଇଗଲା ତା’ର ? ଯେଉଁ ନୀହାରକୁ ସେ ଏତେ ଭଲ ପାଉଥିଲା କିମିତି ପୁଣି ତାକୁ ସେ ଭୁଲ୍‌ ବୁଝିଲା–ତା’ର କେତୋଟି ଦିନ ଅନୁପସ୍ଥିତି ଭିତରେ ତା’ପ୍ରତି କେଡ଼େ ନିଷ୍ଠୁର ହୋଇ ନ ଉଠିଲା ସେ । ଯେଉଁମାନଙ୍କ ମିଛ କଥାରେ ଭାସିଯାଇ; ସେ ନୀହାରକୁ ହତାଦର କରିଥିଲା, ତା’ର ପବିତ୍ର ପ୍ରଣୟକୁ ପଦାଘାତ କରି ତା’ର କୌଣସି ଚିଠିର ଉତ୍ତର ଦେଇନଥିଲା ଆଉ ତାକୁ ଅତି ନିର୍ମମ ଭାବରେ ନିଜ ଦୁଆର ମୁହଁରୁ ଫେରାଇ ଦେଇଥିଲା; ସେମାନେ ଆଜି କେଉଁଠି ? ଅଥଚ ତା’ର ବିରାଟ ଅତୀତର ସବୁ ଶ୍ରମର-ସମ୍ପଦକୁ ସେ ସେଇମାନଙ୍କ କଥାରେ ଗୋଡ଼ରେ ଆଡ଼େଇ ଦେଇ, ଆଜି ଦୀନ ଦରିଦ୍ର ନିଃସହାୟ ଭଳି ବସି ଲୁହ ଢାଳୁଛି । କିନ୍ତୁ ନୀହାର-?

 

ସେ ଦୃଢ଼ ରହିଛି । ତା’ର ବାଟରୁ ସେ ପାଦେ ହେଲେ ଖସି ଯାଇନାହିଁ । ସାଗରୀକା ଘରଠାରୁ ଅପମାନିତ ହୋଇ ଫେରିଗଲା ପରେ ବି ସେ ଚିଠି ଦେଇଛି, ତା’ର କର୍ତ୍ତବ୍ୟରେ ହେଳା କରିନାହିଁ–କି ତା’ ପ୍ରେମକୁ ମିଛ ଅଭିମାନ ଓ ଅହମିକାର କାଳିମାମୟ ସ୍ପର୍ଶରେ କଳୁଷିତ କରିନାହିଁ-। ସେ ନିଜେ ଦିନେ ଯାହା କହିଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରି ଆସିଛି । ସାଗରୀକା ଜାଣେ ନୀହାର ଭାରୀ ଅଭିମାନୀ । କଥା କଥାକେ ସେ ଅଭିମାନ କରେ । ତଥାପି ନିଜ ପ୍ରେମର ମହତ୍ତ୍ୱ ବଜାୟ ରଖିବାକୁ ଯାଇ, ତା’ ଜୀବନର ଏଇ ସାମାନ୍ୟ ସମ୍ବଳ ଅଭିମାନ ଟିକକ ବି ସେ ଛାଡ଼ି ଦେଇଛି । ଆଉ ଯେ ହୋଇଥିଲେ ସେଦିନ ସନ୍ଧ୍ୟା ପରଠୁଁ ବୋଧହୁଏ ସାଗରୀକା ନାଁ ଶୁଣିଲେ ଘୃଣା କରିବାକୁ ଛାଡ଼ି ନଥାନ୍ତା–ତା’ ନାଁରେ କେତେ ଅପପ୍ରଚାର କରିଥାନ୍ତା । କିନ୍ତୁ ନୀହାର ସବୁ ସହିନେଲା । ତା’ର ଦୁଃଖ କଷ୍ଟ ସବୁକୁ ଅନ୍ତର ଭିତରେ ଚାପିରଖି ସେ ପ୍ରମାଣ କରିଦେଲା ଯେ ସାଗରୀକାକୁ ସେ କେତେ ଭଲପାଏ; କେତେ ସ୍ନେହ କରେ । ସେଦିନ ଫେରି ଆସିଲା ପରେ ବି ସେ ଅନେକ ଚିଠି ଲେଖିଛି ସାଗରୀକା ପାଖକୁ । ତା’ର ଏଇ ପରିବର୍ତ୍ତନର କାରଣ କ’ଣ ବାରମ୍ୱାର ପଚାରିଛି । ନିଜ ଜୀବନର ଦୁଃଖ, ଅଶ୍ରୁ ଓ ଆନନ୍ଦର ଖବର ଗୋଟି ଗୋଟି କରି ଜଣାଇଛି । କିନ୍ତୁ ତା’ର ସବୁ ଚେଷ୍ଟାସତ୍ତ୍ୱେ ସେ ସାଗରୀକାକୁ ଟଳାଇ ପାରିନାହିଁ । ସେ ସେମିତି ଅଟଳ ଅଚଳ ରହି ନୀହାରକୁ ଅପେକ୍ଷା କରି ଆସିଛି । ଶେଷରେ ଥକି ପଡ଼ିଛି ନୀହାର । ଗତ ପ୍ରାୟ ବର୍ଷେ ହେଲା ଆଉ କୌଣସି ଚିଠି ପତ୍ର ଦେଇନାହିଁ ।

 

କିନ୍ତୁ ଆଜି ଅଟଳ ଅଚଳ ପାଷାଣ ବକ୍ଷରେ ଜାଗିଛି ସ୍ପନ୍ଦନ । ସାଗରୀକା ଆଖି ଆଗରୁ ପରଦା ଘୁଞ୍ଚି ଯାଇଛି । ମରିଚୀକା ପଛରେ ଧାଇଁ ଧାଇଁ ସେ ଆଜି ଫେରି ଆସିଛି । ଯେଉଁ ଜୀବନ ପଛରେ ପ୍ରଲୁବ୍‌ଧା ହରିଣୀ ପରି ସେ ଦିନେ ଧାଉଁଥିଲା; ଆଜି ତା’ର ସେ ଆଗ୍ରହ ଆଉ ନାହିଁ । ତା’ର ମନେହେଲା ଏଇ ଦୀର୍ଘ ଦିନର ନିରବଚ୍ଛିନ୍ନ ପ୍ରତୀକ୍ଷା ଆଉ ସାଧନା ଭିତରେ ନୀହାର ଯେପରି ଆହୁରି ବିରାଟ ପାଲଟି ଯାଇଛି । ସମାନ୍ୟ ଉତ୍ତେଜନାରେ ନିଜକୁ ସଂଯତ କରିନପାରି ସେ ଯେଉଁ ଭୁଲ୍‌ କରିଛି–ନୀହାର ନିକଟରେ ସେଥିଲାଗି ସେ କ୍ଷମା ମାଗିବ । ଦୋଷ ସ୍ୱୀକାର କରିନେବ । ପ୍ରକୃତରେ ନୀହାର ଓ ସେ ଦୁହେଁ ପରସ୍ପରଙ୍କର । ତାଙ୍କୁ ଭିନ୍ନ କରିଦେବାକୁ ଦୁନିଆରେ କୌଣସି ଶକ୍ତି ନାହିଁ । ଭାଗ୍ୟର ନିର୍ଦ୍ଦେଶରେ ଯାହା ଘଟିଯାଇଛି ସେଥିଲାଗି ସେ ଅନୁତାପରେ ଆପେ ଜଳି ପୋଡ଼ି ମରୁଛି ସିନା !

 

କିନ୍ତୁ ନୀହାରର ପ୍ରାୟ ସବୁ ଚିଠି ପଢ଼ିସାରି ଚିରିଦିଏ ସାଗରୀକା । ସେ ଚିଠିର ଉତ୍ତର ଦେବାକୁ କି ତାକୁ ସାଇତି ରଖିବାକୁ ତାକୁ ଭଲ ଲାଗୁ ନଥିଲା । ସେ ବେଳେ ବେଳେ ବରଂ ନୀହାର ଉପରେ ବିରକ୍ତ ହୁଏ କାହିଁକି ସେ ତା’ ନିକଟକୁ ଚିଠିଦେଇ ଅଯଥା ତାକୁ ବିବ୍ରତ କରୁଛି ବୋଲି । ତା’ର ଚିଠି ସେ ପଢ଼େ, କିନ୍ତୁ ତା’ର ଭାବ ତାକୁ ସ୍ପର୍ଶ କରିପାରେନା । ସେ କେମିତି ପଥର ହୋଇଯାଇଥିଲା–ନୀହାର ଲାଗି ତା’ ହୃଦୟର ସବୁ ଦ୍ୱାର କେଉଁ ଏକ ଅଜ୍ଞାତ ଝଡ଼ର ଆଘାତରେ, ଅତି ଆକସ୍ମିକ ଭାବରେ ବନ୍ଦ ହୋଇଯାଇଥିଲା । ସେତେବେଳେ କି ଏକ ନିଶାରେ ସେ ତାକୁ ସଦାବେଳେ ଏଡ଼ାଇ ଦେବାକୁ ଚେଷ୍ଟା କରି ଆସୁଥିଲା; ଏବଂ ଅତୀତକୁ ପୂରାପୂରି ପାସୋରି ଦେଇଥିଲା ।

 

ନୀହାର ବଦଳି ହୋଇ ଚାଲି ଯିବାର ପରବର୍ଷ ସେ ପୁରୀ ଛାଡ଼ି କଟକ ପଢ଼ିବାକୁ ଚାଲିଗଲା । ତାକୁ ସେଇ ପୁରୁଣା ସହର ଆଉ ଭଲ ଲାଗୁ ନଥିଲା; ସେଠାରେ ବି ଅତୀତର ବେଳ ବେଳକର ସ୍ମୃତି ତା’ ନୂତନ ଜୀବନ ପଥରେ ଅନ୍ତରାୟ ହେଉଥିଲା । କୌଣସି ଦୁର୍ବଳ ମୁହୂର୍ତ୍ତରେ ତା’ ଆଖି ଆଗରେ ଅତୀତର ରୂପ ନେଇ ନୀହାର ଠିଆହୋଇ ଯାଉଥିଲା । ତେଣୁ ସେ ସ୍ଥିର କରିଥିଲା ପୁରୀ ଛାଡ଼ି ଦୂରକୁ ଚାଲିଯିବ । ଯେଉଁଠି କି ଆଉ ତା’ର ଅତୀତ ନଥିବ; ଭୟ ଦେଖାଇବାକୁ କି ବିହ୍ୱଳ-ଭାବାବେଗରେ ଭସାଇ ନେବାକୁ । ନୂଆ ଜାଗାରେ ସେ ସମ୍ପୂର୍ଣ୍ଣ ନୂତନ ଜୀବନ ଆରମ୍ଭ କରିବ–ସେଠି ଅତୀତ ନଥିବ କେବଳ ଥିବ ବର୍ତ୍ତମାନ, ସୁନ୍ଦର ସବୁଜ ସରସ ବର୍ତ୍ତମାନ ।

 

ସେ ଦୂରକୁ ଚାଲିଗଲା । ଅତି ସହଜ ଭାବରେ ଜୀବନରେ ପ୍ରତିଟି ବିଭବକୁ ଗ୍ରହଣ କରିନେଇ ସେ ଚିତ୍ରିତା ପ୍ରଜାପତି ପରି ଉଡ଼ି ବୁଲିଲା । କ୍ଲାସରୁ ବାହାର, ହଷ୍ଟେଲ୍‍ରୁ ନଈକୂଳ, ସିନେମା ହଲ୍‍ରୁ ପାର୍କ, ସବୁଆଡ଼େ ତା’ର ଅବାଧ ଅପ୍ରତିହତ ଗତି । ସବୁଠି ତା’ର ରୂପ ମୁଗ୍ଧ ପ୍ରଶଂସକର ଦଳ । ସେ ସୁନ୍ଦରୀ, ରୂପବତୀ, ଗୁଣବତୀ ଆଉ ବେଶ୍‍ ସୋସିଏବଲ୍‍, ଅପ୍‍-ଟୁ-ଡେଟ୍‍ । ଚାରିଆଡ଼େ ତାରି କଥା; ତାରି ପ୍ରଶଂସା । ସେ ଭାବିଲା ଏଇ ହିଁ ତା’ର ଜୀବନର ଗୌରବ; ଚରମ କୃତିତ୍ୱ । ସମସ୍ତଙ୍କ ସହିତ ସେ ହସି ହସି କଥାବାର୍ତ୍ତା କରେ; ଅତି ନିଃସଙ୍କୋଚରେ ମିଶେ । କଲେଜ ଡ୍ରାମାରେ ଆଗଭର ହୋଇ ପାର୍ଟ ନିଏ । ତା’ର ବନ୍ଧୁମାନେ ତାକୁ କହନ୍ତି–‘‘ତୁମେ ନଥିଲେ ସାଗରୀକା–କଲେଜ ଡ୍ରାମା ଆଦୌ ହୋଇପାରନ୍ତାନି । ତୁମରି ଉପସ୍ଥିତି ହିଁ ଏହାର ସଫଳତା ପାଇଁ ସମ୍ପୂର୍ଣ୍ଣ ଦାୟୀ ।’’ ସେ କଲେଜ ଡ୍ରାମାଟିକ-ସୋସାଇଟିର ସଭ୍ୟ । ସବୁ କଥାରେ ଅଗ୍ରଣୀ । ତା’ର ଅଭିନୟ, ତା’ର କଥା, ତା’ର ଭାଷା, ଲକ୍ଷ-ହୃଦୟରେ ଚମକ ଆଣେ । ସେ ହସେ; ଅନ୍ୟମାନେ ହସନ୍ତି । ତାକୁ ଜଣାପଡ଼େ, ଏ ଜୀବନରେ ଯେପରି ଦୁଃଖ ନାହିଁ; ଶୋକ ନାହିଁ ଅଛି ଖାଲି ଆନନ୍ଦ ଓ ଉଲ୍ଲାସର ଅଫୁରନ୍ତ ଧାରା ।

 

ସେଦିନ ‘ଜନନୀ’ ଡ୍ରାମାର ଅଭିନୟ ପରେ ଗ୍ରୀନରୁମ୍ ବାହାରେ ତା’ର ହାତକୁ କମ୍ପିତ କରରେ ଧରି ପକାଇ ଅଧ୍ୟାପକ ଜଳଧର କହିଲେ–‘‘କି ସୁନ୍ଦର ତୁମେ ଅଭିନୟ କରିପାର ସାଗରୀକା–କି ଚମତ୍କାର ଏକ୍‍ସପ୍ରେସନ୍ ତୁମର । ମୋର ମନେହେଲା କୌଣସି ପ୍ରଫେସନାଲ୍ ଆର୍ଟିଷ୍ଟ ବି ତୁମଠୁଁ ଭଲ କରି ପାରିବେ ନାହିଁ ।’’ ଗର୍ବରେ ଛାତିଫାଟି ପଡ଼ିଲା ସାଗରୀକାର । ସେ କେବଳ ଟିକିଏ ହସିଲା । ଭାବର ଆବେଗରେ ଆଉ କେତେ କ’ଣ ପ୍ରଶଂସା କରିଗଲେ ଜଳଧର । ଠିଆହୋଇ ସବୁ ଶୁଣୁଥିଲା ସାଗରୀକା । ଡ୍ରାମା ସରିଲାଣି । କିଏ କୁଆଡ଼େ ଗଲେଣି । ଉପରେ କେବଳ କେତେ ଜଣଙ୍କର ପାଟି ତୁଣ୍ଡ ଶୁଭୁଛି । ଗ୍ରୀନ୍ ରୁମରେ କିଏ ଜଣେ ଅଧେ ଅଛନ୍ତି । ଜଳଧର ଆଉ ସେ । ପାଖରେ କେହି ନାହାନ୍ତି । ଚାରିଆଡ଼ ନିର୍ଜନ, ନୀରବ । ରାତି ବାରଟାରୁ ଅଧିକ ହେଲାଣି । ଜଳଧର ସାଗରୀକାର ହାତ ଧରିଲେ । କହିଲେ–ବହୁତ ଡେରି ହେଲାଣି–ଘରକୁ ଯିବ ପରା ?’’ ସାଗରୀକା ସମ୍ମତି ଦେଲା । ସେ ପୁଣି କହିଲେ–‘‘ଆସ ତେବେ–କଲେଜ ଗ୍ରାଉଣ୍ଡ ବାଟେ ବୁଲି କରି ଯିବା ।’’ ସାଗରୀକା ତାଙ୍କ କଥା ମାନିଲା ।

 

ସେ ଦୁହେଁ କଲେଜ ପଛ ପଟ ରାସ୍ତାରେ ପାଖା ପାଖି ଚାଲିବାକୁ ଆରମ୍ଭ କଲେ । ଧୀରେ ଧୀରେ ଜଳଧର ତା’ ପିଠି ପଟେ ହାତ ବୁଲାଇ ଆଣି କହିଲେ–‘‘ତୁମକୁ ତ ଭାରି କ୍ଳାନ୍ତ ଲାଗୁଥିବ–ଯଦି ଆପତ୍ତି ନଥାଏ ଆସ ଏଇଠି ଟିକିଏ ବସିବା ।’’ ସାଗରୀକା କିଛି କହିଲାନି । କଲେଜ ପଡ଼ିଆର ପ୍ରାୟାନ୍ଧକାରାଚ୍ଛନ୍ନ ଗୋଟିଏ କୋଣର ସିମେଣ୍ଟ ଚେୟାର ଉପରେ ଦୁହେଁ ବସିଲେ । ଉପରେ ଜହ୍ନ ଇଷତ୍ ନିଷ୍ପ୍ରଭ–ଦୂର ଦେବଦାରୁ ଗଛର ଛାଇ ଲମ୍ବା ଲମ୍ବା ହୋଇ ପଡ଼ିଛି । ଚାରିଆଡ଼ ସୁପ୍ତ । ପାଖା ପାଖି ଦୁଇଟି ଦେହ । ଉତ୍ତେଜନାରେ ସାଗରୀକାର ଓଷ୍ଠ ଚୁମ୍ବନ କଲେ ଜଳଧର । ଛାଇ ଆଉ ଅନ୍ଧାର । ଅନ୍ଧାର ଆଉ ରାତି । ରାତି ଆଉ ଜହ୍ନ । ସାଗରୀକା ଆଉ ଜଳଧର । ସବୁ ସମାନ; ସବୁ ଏକ । ବାକି ସବୁ ମିଛ ।

 

ସାଗରୀକା ଘରକୁ ଫେରିଗଲା । କିନ୍ତୁ ସେଇ ଦିନ ସେଇ ରାତିରେ ତା’ର ମନେପଡ଼ିଥିଲା ନୀହାର । ତା’ର ଜୀବନର ପ୍ରଥମ-ପ୍ରେମିକ ନୀହାର । ସେଇ ପ୍ରଥମେ ତା’ର କୁମାରୀ ଜୀବନରେ ପ୍ରେମର–ସ୍ପନ୍ଦନ ଉଠାଇ ଥିଲା–ଯୌବନର–ମାଧୁର୍ଯ୍ୟ ଚଖାଇ ଥିଲା । ଜୀବନର ପ୍ରତି ପାଦରେ ସେଇ ମନେପଡ଼ିବ । ଦେହର–ମନ୍ଦିରରେ ସେଇ ଅଶରୀରୀ ଦେବତାର ପଦଧ୍ୱନି ଶୁଭିବ । ଯେତେବେଳେ ସେ ଦେବାଳୟ ଦୁଆର ମୁହଁରେ ଆଉ କାର ପଦ ପଡ଼ିବ ଠିକ୍ ସେତିକିବେଳେ ଅନ୍ତତଃ ଥରକ ପାଇଁ ହେଲେ ତା’ର ସ୍ପର୍ଶରେ ସେ ଶିହରି ଉଠିବ । ତା’ର ସେଇ ମଧୁର ଜନ୍ମାଷ୍ଟମୀ ତିଥିର ବହୁ-ପ୍ରତୀକ୍ଷିତ ସନ୍ଧ୍ୟା । ସେଇ ସନ୍ଧ୍ୟାର ଅନ୍ଧକାର ଭିତରେ ଅନ୍ତରର ଯେଉଁ ଉଦବେଳ ଆବେଗ ରୂପ ପାଇଥିଲା; ଯେଉଁ ଅପୂର୍ବ ସଙ୍ଗୀତ ସୃଷ୍ଟି ହୋଇଥିଲା; ତାହାରି ସୌନ୍ଦର୍ଯ୍ୟ ଆଉ ସ୍ୱର ଝଙ୍କାରରେ ସେ ମୁଗ୍‍ଧ ହେବ । ସେଇ ସ୍ୱର ହିଁ ପ୍ରଥମ ଆଉ ନୂତନ–ବାକି ସବୁ ପୁରୁଣା–ତାରି ବିକୃତ ପ୍ରତିଧ୍ୱନି ।

 

ନୀହାର ସବୁ ଜାଣେ । ସବୁ ତା’ କାନରେ ପଡ଼ିଛି । ତଥାପି ଏସବୁ ବିଷୟ ନେଇ; ସେ ଦିନେ ହେଲେ ଆଘାତ ଦେଇ, ତା’ ପାଖକୁ ଚିଠି ଲେଖିନି । ସାଗରୀକା ଜାଣେ ନୀହାର କେଡ଼େ ଅଭିମାନୀ । ଥରେ ତାଙ୍କ ଘରେ ନୀହାର ଆଉ ସେ ଦୁହେଁ ବସି କଥାବାର୍ତ୍ତା କରୁଥିଲେ । ନୀହାର ସେଦିନ ବରହମପୁରର ଗୋଟିଏ ସାହିତ୍ୟ ସଭାରେ ଯୋଗଦେଇ ଫେରିଲା ପରେ ତାଙ୍କ ଘରଠାକୁ ଆସିଥିଲା । ସେମାନେ ବସି କେତେ କୁଆଡ଼ର ଗପରେ ତନ୍ମୟ ହୋଇ ପଡ଼ିଥିଲେ । ଏହି ସମୟରେ ସାଗରୀକା ଘର ପାଖ ପଡ଼ିଶାରେ ରହୁଥିବା ଜଣେ ଭଦ୍ରଲୋକ ଭିତରକୁ ପଶି ଆସିଲେ-। ସେ ଜଣେ କୋପରେଟିଭ ଇନ୍‍ସପେକ୍ଟର । ତାଙ୍କ ସହିତ ନୀହାରର ପରିଚୟ ନାହିଁ । ନୀହାର ଆଉ ସାଗରୀକା ଦୁହିଁଙ୍କୁ ଦେଖି ସେ ଟିକିଏ ଅପ୍ରସ୍ତୁତ ହୋଇ ପଡ଼ିଲେ ତଥାପି ସାଗରୀକାକୁ ତା’ର ପେନ୍‍ଟା ମାଗିଲେ । ସାଗରୀକା ତା’ର ଗୋଟାଏ ପୁରୁଣା ପେନ୍ ଦେଲାରୁ କହିଲେ–‘‘ଏଇଟା କ’ଣ ମ ? ସେ ଭଲ ନୂଆ ପେନ୍‍ଟା ଦିଅ ।’’ ଏଇ କଥା ଶୁଣି ସାଗରୀକା ଚମକି ପଡ଼ିଲା । କାରଣ ସେଇଟା ନୀହାର ତାକୁ ତା’ ଜନ୍ମଦିନରେ ଉପହାର ଦେଇଥିଲା । ସେ ଚାହେଁନି; ତା’ର ଉପହାର–ପେନ୍ ସାଗରୀକା ଛଡ଼ା ଆଉ କାହା ହାତକୁ ଯାଉ । କିନ୍ତୁ ନୀହାର ଆଗରେ ସେ ଭଦ୍ର ଲୋକଙ୍କର ଅନୁରୋଧ ରକ୍ଷା କରିବା ତ ଦୂରର କଥା; ଅନୁରୋଧ ଶୁଣି ବିବ୍ରତ ହୋଇପଡ଼ିଲା ସାଗରୀକା । ସେ କହିଲା–‘‘ନାଇଁ–ସେ ପେନ୍‍ଟା କେଉଁଠି ରହି ଯାଇଛି; ଏଇଟା ନିଅନ୍ତୁନା ।’’ ସେ ଚାଲିଗଲା ପରେ ସାଗରୀକା ଆଉ ନୀହାର ମୁହଁକୁ ଚାହିଁପାରିଲାନି । ମୁହୂର୍ତ୍ତକ ପୂର୍ବରୁ ଯେଉଁ ନୀହାର ବେଶ୍ ପ୍ରଫୁଲ୍ଲ ଥିଲା; ସେ ହଠାତ୍ ଗମ୍ଭୀର ହୋଇଗଲା ଯେପରି । ସେ କିଛି କହିଲାନି । ନୀରବ ଗମ୍ଭୀର ଭାବରେ କିଛି ସମୟ ବସି ରହି କହିଲା–‘‘ଆଚ୍ଛା ସାଗର–ମୁଁ ଯାଉଛି ।’’ ସାଗରୀକା ଏଇ ଅପ୍ରତ୍ୟାଶିତ ପରିସ୍ଥିତିରେ ପ୍ରାୟ ବିଚଳିତ ହୋଇପଡ଼ି କହିଲା–‘‘କାହିଁ–କ’ଣ ଏମିତି କାମ ଅଛି କି ? ବସୁନ-। ତୁମ କଥା ଅଧା ହୋଇଛି ଯେ ।’’ ନୀହାର ହସିଲା । କହିଲା–‘‘ମୁଁ ଏଠି ରହିଲେ ତୁମର ବନ୍ଧୁ–ତୋଷଣରେ ବାଧା ଆସିବ ସାଗର । ମୁଁ ମୋର ହୃଦୟର ଏକାନ୍ତ ଆବେଗ ଓ ସ୍ନେହ ପ୍ରେମର ପ୍ରତୀକ ରୂପେ ତୁମକୁ ଯାହା ଦେଇପାରେ; ତାକୁ ଅନ୍ୟ ହାତକୁ ଦେଲାବେଳେ ତୁମେ ମୋ’ପ୍ରତି ଯେ କେଡ଼େ ନିର୍ବ୍ଦୟ ଭାବରେ ଅବିଚାର କର, ତା’ କଳ୍ପନା କରିପାରୁଛ ତ ?’’

 

ସାଗରୀକା କ’ଣ କହିବ; କିଛି ଭାବିପାରିଲାନି । ନୀହାରର ଅଭିମାନ ଭାଙ୍ଗିବାକୁ ସେ କେତେ ପରିଶ୍ରମ ନ କରିଛି, କେତେ କଷ୍ଟ ସ୍ୱୀକାର ନ କରିଛି । ଅଥଚ ସେଇ ଅଭିମାନୀ ନୀହାର; ଯେ କି ଥରେ ସନ୍ଧ୍ୟାବେଳେ ଜଣେ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ସାଗରୀକାକୁ ବସି ଥିବାର ଦେଖି ରାଗ, ଅଭିମାନ ଓ ଦୁଃଖରେ ତା’ ଘରଠୁ ଫେରି ଯାଇଥିଲା; ସେ ପୁଣି ତା’ ବିଷୟରେ ଏତେ କଥା ଶୁଣିଲା; ଅଥଚ ସେ ବିଷୟ ଉଲ୍ଲେଖ କରି, ଦିନେହେଲେ ତା’ ପାଖକୁ ଧାଡ଼ିଟିଏ ଲେଖିଲାନି । କାହିଁକି ? କାହିଁକି ସେ ଏତେ ବଦଳି ଗଲା । ଯେ କୌଣସି କଥାକୁ ଭ୍ରୁକ୍ଷେପ କରୁ ନଥିଲା, ସେ ପୁଣି ଏତେ ଅସହାୟ ଭାବରେ, ନିଜ ମନ ଭିତରର ଦୁଃଖ ବେଦନାକୁ ଲୁଚାଇ ରଖିଛି କାହିଁକି ? କାହିଁକି ଆଜି ନିଜ ହାତଲଗା ନିଆଁରେ ନିଜକୁ ଜାଳି ଦେଉଛି ନୀହାର ? କ’ଣ ତା’ର ନାଇଁ–କ’ଣ ତା’ର ଅଭାବ ? ସେ ତ ସାଗରୀକାକୁ ଭୁଲିଯାଇ ପାରିଥାନ୍ତା–ସୁଖ ଶାନ୍ତି ଓ ଆନନ୍ଦରେ ନୂତନ ଜୀବନ ଗଢ଼ିପାରି ଥାନ୍ତା–କିନ୍ତୁ କାହିଁକି; କାହା ପ୍ରତି ଅଭିମାନ କରି ସେ ନିଜର ସୁନ୍ଦର ଜୀବନକୁ ଏପରି ତିଳ ତିଳ କରି ଜାଳି ପୋଡ଼ି ଛାରଖାର କରିଦେଲା ? କ’ଣ ପାଇଁ କାହିଁକି ? କ’ଣ ବା ପାଇଲା ସେ ?

 

ଥରେ ତା’ର ଜଣେ ବନ୍ଧୁ ପ୍ରସନ୍ନ କୁମାରଙ୍କ ସହିତ ନୀହାରର ଅତି ଅଦ୍ଭୁତ ଭାବରେ ସାକ୍ଷାତ ଓ ପରିଚୟ ହୋଇଥିଲା । ସେ ଆସି ତା’ ବିଷୟ ସାଗରୀକା ଆଗରେ କହୁଥିଲେ । ସେଇ କଥାରୁ ସାଗରୀକା ବୁଝିଥିଲା ନୀହାରର ଅବସ୍ଥା । ଲେଖକ–ସମ୍ମିଳନୀରେ ଯୋଗ ଦେବାକୁ କଟକରୁ ରିଜର୍ଭ–ବସରେ ଭୁବନେଶ୍ୱର ଯାଉଥାନ୍ତି ପ୍ରସନ୍ନ କୁମାର । ଯଦିଓ ସାହିତ୍ୟିକ ନୁହନ୍ତି, କି ଲେଖକ–ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇ ନଥାନ୍ତି; ତଥାପି କେତେକ ବନ୍ଧୁଙ୍କ ଅନୁରୋଧକ୍ରମେ ସେ ଯାଉଥାନ୍ତି । ବସରେ ତାଙ୍କ ପାଖରେ ଜଣେ ସୌମ୍ୟଦର୍ଶନ ଯୁବକ ବସି କ’ଣ ଗୋଟାଏ ସାହିତ୍ୟ–ପତ୍ରିକାରେ ମନୋନିବେଶ କରିଥାନ୍ତି । ବସ୍ ଚାଲିବାର କିଛି ସମୟ ପରେ; ସେ ଯୁବକ ଜଣକ ପତ୍ରିକା ପଢ଼ା ବନ୍ଦ କରି, ବାହାରକୁ ଚାହିଁଲେ । କିଛି ସମୟ ପରେ ବସ୍‍ ଭିତରେ ଆଖି ବୁଲାଉ ବୁଲାଉ ପ୍ରସନ୍ନ କୁମାରଙ୍କ ଉପରେ ତାଙ୍କରି ଦୃଷ୍ଟି ପଡ଼ିଲା । ଦୁହେଁ ଦୁହିଁଙ୍କର ସମ୍ପୂର୍ଣ୍ଣ ଅପରିଚିତ । ସେ ଯୁବକ ଜଣକ ସାମାନ୍ୟ ସ୍ମିତ ହସି ପଚାରିଲେ–

‘‘ଆପଣ କ’ଣ ସାହିତ୍ୟ–ସମ୍ମିଳନୀକୁ ଯାଉଛନ୍ତି ?’’

‘‘ଆଜ୍ଞା...’’

‘‘ଆପଣ କ’ଣ କରନ୍ତି ।’’

‘‘ମୁଁ ଏଇଠି ଜଣେ ଅଧ୍ୟାପକ । ରାଜନୀତି ବିଜ୍ଞାନରେ ।’’

‘‘ଲେଖାଲେଖି କରନ୍ତି ।’’

‘‘ନା ।’’

‘‘ଜମା କିଛି ଲେଖନ୍ତିନି ।’’

‘‘ନାଇଁ–ସେମିତି । ତେବେ ଆଜିକାଲି ଗୋଟାଏ ଗୋଟାଏ କବିତା ଲେଖୁଛି । ପ୍ରାୟ ପ୍ରେମ–କବିତା ।’’

‘‘ପ୍ରେମ–କବିତା–କାହିଁକି ? ହସି କରି ପଚାରିଲେ ଯୁବକ ଜଣକ ।’’

‘‘ହଁ–ସେମିତି; ଗୋଟେ ପ୍ରେମରେ ପଡ଼ିଯାଇଛି । ସେ ଝିଅଟିର ଇଚ୍ଛା ଯେ ମୁଁ କବିତା ଲେଖିବା ଉଚିତ୍ ।’’

‘‘ବାଃ–ବଡ଼ ଚମତ୍କାର ଇଚ୍ଛା ତ ?’’

‘‘ହଁ–ସେ ଝିଅ ଯେତେବେଳେ ପୁରୀରେ ପଢ଼ୁଥିଲା ତା’ର କବି ନୀହାର ରଞ୍ଜନଙ୍କ ସହ ପ୍ରେମ ଥିଲା । ସେଇ ପ୍ରଭାବ ରହିଯାଇଛି । ଆପଣ କ’ଣ ସେ ଖବର ଶୁଣି ନଥିବେ କି ?’’

‘‘ମୁଁ ?’’ ହଠାତ୍ ଗମ୍ଭୀର ହୋଇଗଲେ ଯୁବକ ଜଣକ ।

‘‘ହଁ–ସେ ଖବର ଚାରିଆଡ଼େ ଚହଳ ପକାଇ ଥିଲା ସେତେବେଳେ । ଭାରି କଦର୍ଯ୍ୟ ଲୋକ ନୀହାର ରଞ୍ଜନ ଆଜ୍ଞା । ଏକଦମ୍ ନଷ୍ଟ ଚରିତ୍ର । ଲୋକଟାର ସାଧାରଣ ବିଚାର ବୁଦ୍ଧି ବା ହିତାହିତ ଜ୍ଞାନ ବି ନାହିଁ । ଏ କଥା ସମସ୍ତେ ଜାଣନ୍ତି ।’’

ହସିଲେ ଯୁବକ ଜଣକ । ଟିକିଏ ବ୍ୟଙ୍ଗ କଲା ଭଳି କଣ୍ଠରେ କହିଲେ–‘ହୋଇଥିବ । ‘‘ତଥାପି ଆମେ ଦୁହେଁ ପରସ୍ପରକୁ ବିବାହ କରିବୁ ବୋଲି ସ୍ଥିର କରି ସାରିଚୁ’’ କହିଲେ ପ୍ରସନ୍ନ କୁମାର । ଯୁବକ ଜଣକ ପୁଣି ଟିକିଏ ହସି କହିଲେ–‘‘ଭଲ କଥା ।’’

 

ଜଣେ ଦରଦୀ ବନ୍ଧୁ ପାଇଲା ପରି ସେଇ ଯୁବକ ଜଣକ ଆଗରେ ପ୍ରସନ୍ନ କୁମାର ନିଜର ସମସ୍ତ ପ୍ରେମାନୁଭୂତି ଅତି ନିଃସଙ୍କୋଚରେ ପ୍ରକାଶ କଲେ । ସେ କେତେ ଭଲ ପାଆନ୍ତି ସାଗରୀକାକୁ–ସାଗରୀକା ବି ତାଙ୍କୁ କେମିତି ହୃଦୟ ଦେଇ ଭଲପାଏ; ଆଉ ସେ ଅତୀତରେ ନୀହାର ରଞ୍ଜନଙ୍କ ସହ ତା’ର ସମ୍ପର୍କ ଲାଗି ଯେ କେତେ ଦୁଃଖିତ ଓ ଅନୁତପ୍ତ, ଏହା ସବୁ କଥା ଭିତରେ ଭୁବନେଶ୍ୱରରେ ଆସି ବସ୍ ପହଞ୍ଚିଲା । ଲେଖକ–ସମ୍ମିଳନୀର ପ୍ରଥମ ଅଧିବେଶନ କବି–ସମ୍ମିଳନୀ । ପ୍ରସନ୍ନ କୁମାର ଓ ସେ ଯୁବକ ଦୁହେଁ ଯାଇ ପାଖାପାଖି ବସିଲେ । ବିଭିନ୍ନ କବିମାନେ ଆବୃତ୍ତି କରୁଥିବା କବିତା ଉପରେ ଛୋଟ ଆଲୋଚନା ଚାଲିଲା ।

 

ଏହି ସମୟରେ ସଭାପତି ଆହ୍ୱାନ କଲେ–ଶ୍ରୀଯୁକ୍ତ ନୀହାର ରଞ୍ଜନ ମହାପାତ୍ରଙ୍କୁ ତାଙ୍କ କବିତା ଆବୃତ୍ତି ପାଇଁ । ପ୍ରସନ୍ନ କୁମାରଙ୍କ ନିକଟରେ ବସିଥିବା ଓ ତାଙ୍କ ସହିତ କଟକରୁ ଆସିଥିବା ସେଇ ଯୁବକ ଜଣକ ଉଠି ମାଇକ୍ ପାଖକୁ ଗଲେ; ଓ ନିଜର କବିତା ଆବୃତ୍ତି କରି ନିଜ ସ୍ଥାନକୁ ଫେରି ଆସିଲା ବେଳକୁ ଦେଖିଲେ ପ୍ରସନ୍ନ କୁମାରଙ୍କ ମୁହଁ ଗ୍ଳାନି ଓ ବିସ୍ମୟରେ କଳା ପଡ଼ି ଯାଇଛି । ସେ କହିଲେ–

 

‘‘ଆଜ୍ଞା–ଆପଣ ବାଟ ସାରା ଯାହା ଉପରେ ଏତେ ନିର୍ବ୍ଦୟ ନିଷ୍କରୁଣ ଭାବରେ ଅଜସ୍ର ବାଣ ବର୍ଷଣ କରିଗଲେ ମୁଁ ସେଇ ନୀହାର ରଞ୍ଜନ । ଆପଣଙ୍କର କହିବା ଉଚିତ୍–ମୋର ବି ମଧ୍ୟ ସବୁ ସହିବା ଦରକାର ।’’ ଦୁହେଁ କିଛି ସମୟ ନୀରବ ରହିଲେ । ନୀହାର ରଞ୍ଜନ ପୁଣି କହିଲେ–‘‘ଆପଣ ସାଗରକୁ ବିବାହ କରନ୍ତୁ । ତା’ ସହିତ ଆପଣ ସୁଖୀ ହେବେ ଏ ବିଶ୍ୱାସ ମୋର ଅଛି । ସେ ନିଶ୍ଚୟ ଆପଣଙ୍କୁ ସୁଖୀ କରିବ ଓ ନିଜେ ସୁଖରେ ରହିବ । ତାକୁ ଭୁଲ୍ ବୁଝିବେ ନାହିଁ ।’’

 

ଏଇ କଥା ଫେରି ଆସି ପ୍ରସନ୍ନ କୁମାର କହିଥିଲେ ସାଗରୀକାକୁ । ସେ ଆଶ୍ଚର୍ଯ୍ୟ ହୋଇଥିଲା ଏସବୁ କଥା ଶୁଣି । ନିହାର ଚାହେଁ ସାଗରୀକା ଅନ୍ୟକୁ ବିବାହ କରୁ–ସୁଖରେ ରହୁ–ଅନ୍ୟକୁ ସୁଖୀ କରୁ । ଆଉ ସେ ନିଜେ? ଖାଲି ଜଳୁଥିବ । ଏମିତି ଅନ୍ୟଠୁଁ ନିନ୍ଦା ଅପବାଦ ଶୁଣି ବଞ୍ଚି ରହିଥିବ । ପାଟି ଫିଟାଇ ପ୍ରତିବାଦ କରିବନି–କି ସାଗରୀକାକୁ ଦୋଷ ଦେବନି–ଗାଳି ଦେବନି-। କାହିଁକି? କାହିଁକି ଏମିତି ଉଦାସ, ନିର୍ବିକାର ହୋଇଯାଉଛି ନୀହାର । ଏତେ ଶୀଘ୍ର ଏତେ ପରିବର୍ତ୍ତନ ହୋଇଗଲା ତା’ର ? ସେ ଯଦି ପ୍ରସନ୍ନ କୁମାରଙ୍କ କଥାରେ ତୀବ୍ର ପ୍ରତିବାଦ କରିଥାନ୍ତା; ତାଙ୍କ କଥାର ଠିକ୍ ପ୍ରତ୍ୟୁତ୍ତର ଦେଇଥାନ୍ତା, ତା’ହେଲେ ବୋଧହୁଏ ସେ ଭାରି ଖୁସି ହୋଇଥାନ୍ତା-। କିମିତି ଏତେ ନିର୍ଲ୍ଲଜ ଭାବରେ ପ୍ରସନ୍ନ କୁମାର କହି ପାରିଲେ ସେ ସାଗରୀକାକୁ ପ୍ରେମ କରନ୍ତି ବୋଲି । କିନ୍ତୁ କାହିଁ ନୀହାର ତ ତା’ ଅତୀତ ବିଷୟରେ ପଦେ କହିଲାନି । ସାଗରୀକା ବିଷୟରେ ଏତେ କଥା ଶୁଣି ତାକୁ ଦୋଷ ଦେଲାନି, ଗାଳି ଦେଲାନି, ନିଜ ଜୀବନର ସବୁ ଦୁଃଖ ଦୁର୍ବ୍ଦଶା, ନିନ୍ଦା, ଦୁଶ୍ଚିନ୍ତା ପାଇଁ ତାକୁ ଦାୟୀ କଲାନି । ସବୁ ନୀରବରେ ସହିନେଲା କାହିଁକି ? କାହିଁକି ସେ ଏମିତି ଜାଳି ପୋଡ଼ି ଛାରଖାର କରି ଦେଉଛି ନିଜ ଜୀବନକୁ–ନିଜ ଉପରେ ନିଜେ କାହିଁକି ଏ ପ୍ରତିଶୋଧ ନେଉଛି ନୀହାର !

 

ସାଗରୀକାର ମନ ପ୍ରସନ୍ନ କୁମାର ଉପରେ ବିରକ୍ତ ହୋଇ ଉଠିଲା । କି ଅଦ୍ଭୁତ ଏଇ ଲୋକଟା । ତାକୁ ଟିକିଏ ମିଳା ମିଶାର ସୁଯୋଗ ଦେଇଛି ବୋଲି, ମନେମନେ ଲୋକଟା ବିଭା ହେବାକୁ ବି ନିଷ୍ପତ୍ତି କରି ସାରିଲାଣି । ଭାରି ବାହା ହେଲାବାଲା । ସାଗରୀକା ଯାଉଥିଲା ଏମିତି ଫଫିସ୍‍ଟାକୁ ବାହା ହେବାକୁ । ଧୁଃତ୍–ଖାଉଥା ମନେମନେ ଉଖୁଡ଼ା–ବାହା ହେବ ? ସତେ ଯେମିତି ସାଗରୀକାକୁ ବାହା ହେବାକୁ ଆଉ ଲୋକ ମିଳିବେନି । ବଜଉଥା ନାଗରା ଚାରିଆଡ଼େ । ଜାଣିବୁ ଶେଷକୁ !!

 

ସେ ବିଭା ହେବ ନୀଳଚନ୍ଦ୍ର ମିଶ୍ରକୁ । ମନେମନେ ସେ ସ୍ଥିର କରିଛି ତାକୁ । ତା’ର ଜଣେ ବନ୍ଧୁଙ୍କ ଘରେ ପ୍ରଥମ ସାକ୍ଷାତ ହୁଏ ତା’ ସହିତ ସାଗରୀକାର । ସେଇ ଦିନ ଠାରୁ କ୍ରମଶଃ ସେମାନେ ପରସ୍ପରର ନିକଟତର ହୋଇଛନ୍ତି । ଏପରିକି କଲେଜରେ ଟିକିଏ ସମୟ ମିଳିଲେ ସେ କଲେଜ ନିକଟରେ ନୀଳଚନ୍ଦ୍ରର ଜଣେ ବନ୍ଧୁଙ୍କ ଘରକୁ ଚାଲିଯାଏ । ସେଇଠିକି ନୀଳ ଆସେ । ନିର୍ଜନରେ ନିଭୃତରେ ଦୁହେଁ ପରସ୍ପରକୁ ବୁଝିବାକୁ ଅଧିକରୁ ଅଧିକ ସୁଯୋଗ ପାଆନ୍ତି । ସମ୍ପର୍କ ନିବିଡ଼ରୁ ନିବିଡ଼ତର ହୁଏ । ଯେଉଁ ଦିନ ନୀଳର ଆସିବାର ଥାଏ, ସେ ଆଗରୁ ଖବର ଦେଇଥାଏ ସାଗରୀକାକୁ । ଅନେକ ପୂର୍ବରୁ ଆସି କଲେଜ ନିକଟବର୍ତ୍ତୀ ତା’ର ସେଇ ବନ୍ଧୁଙ୍କ ବସାରେ ଅପେକ୍ଷା କରିଥାଏ । ସାଗରୀକା କଲେଜରୁ ସିଧା ଯାଏ ତା’ ପାଖକୁ । ଏମିତି ଦିନ ଗଡ଼ି ଚାଲେ ।

 

ଏମିତି ଦିନ ଗଡ଼ି ଚାଲିଥିଲା ସାଗରୀକାର । ସେ ବି.ଏ.ପାସ୍ କଲା, ଏମ୍. ଏ. ପଢ଼ିଲା । ତା’ର ବନ୍ଧୁମାନେ କ୍ରମଶଃ କିଏ କୁଆଡ଼େ; ତା’ର ଅଜାଣତାରେ ଗୋଟି ଗୋଟି ହୋଇ ଖସି ଚାଲିଗଲେ । ସେ ଦିନେ ହଠାତ୍ ଦେଖିଲା ବେଳକୁ ପ୍ରଥମ ଯୌବନର ସମାରୋହରେ ତା’ର ଚାରିପଟରେ ଯେଉଁମାନେ ଦିନେ ରୁଣ୍ଡ ହୋଇଥିଲେ ସେମାନଙ୍କ ଭିତରୁ ଆଉ କେହି ନାହାନ୍ତି । କିଏ କୁଆଡ଼େ ଗଲେଣି । ସେ ରହିଯାଇଛି ଏକାକୀ । ଜୀବନର ରଙ୍ଗମଞ୍ଚ ତା’ର ଶୂନ୍ୟ, ନୀରବ ।

 

ଅଭିନୟ ସରି ଯାଇଛି । ଗୋଟି ଗୋଟି ହୋଇ ସବୁ ଅଭିନେତାମାନେ ପୋଷାକ ବଦଳାଇ, ମୁହଁର କୃତ୍ରିମ–ରଙ୍ଗ ପ୍ରସାଧନ ଧୋଇ ଦେଇ ନିଜ ନିଜ ରୂପରେ କୁଆଡ଼େ ଗଲେଣି । ସେଦିନର ଜଳଧର, ପ୍ରସନ୍ନ କୁମାର, ନୀଳଚନ୍ଦ୍ର ଆଜି ସମସ୍ତେ ଯେଝା ବାଟରେ ଫେରି ଗଲେଣି । ନିଜ ନିଜର ସଂସାର ପାତି ସେମାନେ କିଏ କେତେ ଦୂରରେ ଅଛନ୍ତି । ଆଉ ସେମାନେ ଆସିବେନି–ଆସିବାର ସମ୍ଭାବନା ବି ନାହିଁ । ସେ ବି ଅଭିନୟ କରି କରି କ୍ଳାନ୍ତ, ଶାନ୍ତ । ତା’ର ଆଉ ଶକ୍ତି ନାହିଁ । ସେ ଖୋଜୁଛି ଆଶ୍ରୟ; ସେ ଖୋଜୁଛି ଏ କୃତ୍ରିମ ଜଞ୍ଜାଳରୁ ମୁକ୍ତି । କିନ୍ତୁ କାହିଁ କିଏ ? କିଏ ଦେବ ଆଶ୍ରୟ; କେଉଁଠି ପାଇବ ସେ ମୁକ୍ତି ।

 

ଏମ୍. ଏ. ପାସ୍ କରିସାରି ସେ ଚାକିରି କଲା । ବାରିପଦା ହାଇସ୍କୁଲରେ ଶିକ୍ଷୟିତ୍ରୀ । ତାକୁ ଜଣାପଡ଼ିଲା କେତେ ଋକ୍ଷ କର୍କଶ । ସେ ଦିନେ ଭାବିଥିଲା ନିଜେ ଅଭିନୟ କରିବ । ନିଜର ଅଭିନୟ ଚାତୁରୀରେ ଅନ୍ୟକୁ ଭୁଲାଇ ଦେବ । କିନ୍ତୁ ହାୟ–ସେ ହାରିଗଲା । ଅନ୍ୟକୁ ଭୁଲାଇବା ଦୂରରେ ଥାଉ–ସେ ନିଜେ ସବୁ ଭୁଲିଗଲା; ଆଉ ତାକୁ ସମସ୍ତେ ଭୁଲାଇ ଦେଲେ । ସେ ଭାବିଥିଲା ଦୁନିଆକୁ ଉପଭୋଗ କରିଯିବ–କିନ୍ତୁ ଦୁନିଆ ତାକୁ ଉପଭୋଗ କରିସାରି ଫିଙ୍ଗି ଦେଇଛି । ସେ ଆଜି କିଛି ନୁହେଁ–ଯେଉଁମାନେ ଚାଲିଗଲେ ସେମାନଙ୍କର ପଦଧ୍ୱନି ଆଉ ତା’ କୁଟୀର ଦ୍ୱାରରେ ଶୁଭିବ ନାହିଁ । ଯେଉଁମାନେ ଆସିବେ; ସେମାନେ କେବଳ ତାକୁ ଠକିବାକୁ ଅଧିକ ଦୁଃଖ ଦେବାକୁ ଆସିବେ । ସେମାନେ ବି ଯିବେ; କଦାପି ରହିବେନି । ସେମାନେ ତାକୁ ଦୟା ଦେଖାଇବାକୁ ଆସିବେ; ସହାନୁଭୂତି ଜଣାଇବାକୁ ଆସିବେ; କିନ୍ତୁ ତା’ର ଦୁଃଖରେ ଭାଗ ନେବେ ନାହିଁ । ତାର ସବୁ ଦୋଷ କ୍ଷମାଦେଇ ତାକୁ ନିଜର କରିନେବେ ନାହିଁ ।

 

ଯେ ତାକୁ ନିଜର ବୋଲି ତୋଳି ନେଇଥିଲା–ସେଇ ନୀହାରକୁ ସେ କେବେଠୁଁ ସାତପର ଠାରୁ ହୀନ କରିଦେଇଛି । ତା’ର ଚିଠି ପାଇ; ନ ପାଇଲା ଭଳି ରହିଛି । କଥା ଶୁଣି, ନ ଶୁଣିବାର ଛଳନା କରିଛି । ନିଜ ଚଲା ବାଟର କଣ୍ଟା ପରି ସେ ତାକୁ ଉଠାଇ ଦୂରକୁ ଫିଙ୍ଗି ଦେଇଛି-

 

ତା’ର ମନେପଡ଼ିଲା କେତେ ଆଦର ଯତ୍ନରେ ତା’ର ଚିଠିଗୁଡ଼ିକ ସାଇତି ରଖେ ନୀହାର-। ସେ ନିଜେ ଦେଖିଛି ନୀହାରର ସୁଟକେଶ୍ ଭିତରେ ତା’ର ପ୍ରତିଟି ଚିଠି ଅତି ଯତ୍ନରେ ସୁରକ୍ଷିତ । ନୀହାର କହେ–‘‘ମୋ ଜୀବନର ଏଇତକ ହେଉଛି ଶ୍ରେଷ୍ଠ ସମ୍ପଦ । ଜୀବନର ସବୁ କିଛି ଦେଇ ମୁଁ ଏତିକି ମାତ୍ର ପାଇଛି । ଏ ଆଖିର ଲୁହ, ମନର ବେଦନା ସବୁର ବିନିମୟରେ ଏଇତକ ମୋର ଏକାନ୍ତ ନିଜସ୍ୱ । ୟାକୁଇ ନେଇ ମୁଁ ବଞ୍ଚିବି । କାଲି ହୁଏତ ତୁମେ କେତେ ଦୂରରେ ହଜି ଯାଇପାର, ବା ମୋତେ ଭୁଲି ଯାଇପାର । କିନ୍ତୁ ଏ ଚିଠିଗୁଡ଼ିକ ସବୁଦିନ ପାଇଁ ମୋର ନିଜର ହୋଇ ରହିବ-। ଏହାରି ଭିତରେ ମୋର ସୁଖ ଦୁଃଖର, ବିରହ ମିଳନର, ନିତ୍ୟ–ନୂତନା ପ୍ରେମିକା ବଞ୍ଚି ରହିଛି-। ତାକୁ ଛାଡ଼ି ମୁଁ ବଞ୍ଚି ପାରିବି ନାହିଁ । ଯେଉଁ ଦିନଗୁଡ଼ିକ ମୋ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ; ତାରି ସ୍ମୃତିର ସ୍ୱାକ୍ଷରରେ ଏହି ପ୍ରତ୍ୟେକଟି ଚିଠି ପ୍ରାଣବନ୍ତ–ଏହି ମୋର ବନ୍ଧୁ–ନିସ୍ୱ ଜୀବନର ଏକମାତ୍ର ସମ୍ପଦ–ଅଶାନ୍ତ ମୁହୂର୍ତ୍ତର ଶାନ୍ତି–ପରାଜିତ ପ୍ରାଣର ମଧୁର ଆଶ୍ୱାସନା ।’’ ଫଳରେ ସାଗରୀକା ଅନେକଥର ତା’ ଚିଠି ସବୁ ତାକୁ ଫେରାଇ ଦେବାକୁ ଅନୁରୋଧ କରି ନିଷ୍ଫଳ ହୋଇଛି-। ଅତି ନିଷ୍ଠୁର ଭାବରେ କହିଛି–‘‘ ସେ ଚିଠି ବ୍ୟତୀତ ତୁମେ ଆଉ ଯାହା ଚାହଁ–ତାହା ମାଗ-। ମୁଁ ଦେବାକୁ ରାଜି ଅଛି । କିନ୍ତୁ ତା’କୁ ଦେଇପାରିବିନି । ଯେଉଁ କେତୋଟି ମୁହୂର୍ତ୍ତରେ ତୁମେ ମୋତେ ଏକାନ୍ତ ଭାବରେ ଭଲ ପାଇଛ; ସ୍ନେହ କରିଛ; ଏହି ଚିଠିଗୁଡ଼ିକ ସେହି ପରମ ଗୌରବାବହ ମୁହୂର୍ତ୍ତର ଜୀବନ୍ତ ପାଣ୍ଡୁଲିପି ।’’ ସାଗରୀକା ହାରିଯାଇଛି ବାରମ୍ବାର ତା’ ପାଖରେ । ସେ ଜାଣେ ଯେତେବେଳେ ନୀହାର ଏକୁଟିଆ ଅନୁଭବ କରେ; କି ତା’ ପ୍ରାଣ କୌଣସି ଦୁଃଖ ବେଦନାର ଆଘାତରେ ବିବ୍ରତ ହୋଇଉଠେ; କି ସେ ନୈରାଶ୍ୟ ଓ ପରାଜୟର ଗ୍ଳାନିରେ ଅଧୀର ହୋଇଉଠେ; ସେତିକିବେଳେ ସେଇ ଚିଠିଗୁଡ଼ିକ ସେ ପଢ଼େ । ତା’ର ପ୍ରାଣ ଅପୂର୍ବ ଶକ୍ତିରେ ପରିପୂର୍ଣ୍ଣ ହୋଇଉଠେ । ଜୀବନର ସବୁ ଦୁଃଖ ବେଦନା ଓ ବିଫଳତାର ଗରଳ ସମୁଦ୍ର ମଧ୍ୟରେ ଥାଇ ସେ ଅମୃତର–ସ୍ୱପ୍ନ ଦେଖେ । ସବୁ ଦୁଃଖ କଷ୍ଟ ମଧ୍ୟରେ ଧୈର୍ଯ୍ୟ ଧରି ଅସୀମ ସାହସରେ ସେ ମୁଣ୍ଡଟେକି ଚାଲେ । ତାକୁ ସଂସାରର କୌଣସି ପରିସ୍ଥିତି ଡରାଇ ପାରେନି । ସେ ଅଗ୍ରସର ହୁଏ; ଆଗକୁ ଆଗକୁ । ସାଗରୀକାର ମନେପଡ଼ିଲା ନୀହାରର ଗୋଟିଏ କବିତା–‘‘ମୁଁ ତୁମକୁ ଭୁଲିଯିବି ବୋଲି କେତେ ଭାବିଛି । ଅଭିମାନ କରିବି ବୋଲି ଭାବିଛି । ସ୍ଥିର କରିଛି; ତୁମର ସବୁ ସ୍ମୃତିକୁ ପୋଡ଼ି ଜାଳି ନଷ୍ଟ କରିଦେବି ବୋଲି । କିନ୍ତୁ ପାରିଲିନି । ହାରିଗଲି ।

 

ଜୀବନରେ ଯେତେବେଳେ ଅଦିନିଆ ବତାସି ଉଠିଛି; ସେତେବେଳେ ତୁମେ ମନେ ପଡ଼ । ସବୁ ଆପଦ ବିପଦରେ କିଏ ଜଣେ ସାହା ଥିଲା ପରି ଜଣାପଡ଼େ । ଜୀବନର ନିଛାଟିଆ ରାଜ ପଥରେ ଏକୁଟିଆ ଚାଲୁଥିଲା ବେଳେ ଡର ଲାଗେନି; କି କ୍ଳାନ୍ତି ଜଣା ପଡ଼େନି । ମନେହୁଏ କିଏ ସତେ ଯେମିତି ମୋ ସାଙ୍ଗରେ ଚାଲିଛି । ସେ ହେଉଛି ମୋର ଲୋକ–ନିନ୍ଦିତା, ଅଭିମାନିନୀ ରାଧା । ସେ ମୋ ପାଖେ ପାଖେ ଅଛି–ଅଥଚ ମୁଁ ତାକୁ ଦୁନିଆ ସାରା ଖୋଜୁଛି ।

 

ଦୁନିଆର ଦୁଃଖ ଶୋକରେ କେବେ ବିଦୀର୍ଣ୍ଣ ହେଲେ ମୁଁ ତୁମର ଚିଠି ପଢ଼େ । ତୁମ ଅନାବିଳ ହୃଦୟର ପ୍ରୀତି ଢଳ ଢଳ ଭାଷା; ସବୁ ନିନ୍ଦା ଅପମାନ ଭୁଲାଇ ଦିଏ । ସବୁ ଦୁଃଖ ଶୋକ ମୁହୂର୍ତ୍ତକ ମଧ୍ୟରେ ପାସୋରି ଯାଏ । ପୁଣି ଉର୍ଦ୍ଧ୍ୱ–ଅଭିସାର ପାଇଁ ନୂତନ ଉନ୍ମାଦନା ଜାଗ୍ରତ ହୁଏ । ତୁମେ ଦୂରରେ ଅଛ । କିନ୍ତୁ ମୋରି ପାଖରେ, ଏଇ ଚିଠିତକ ଭିତରେ ମୁଁ ତୁମକୁ ବନ୍ଦୀ କରି ରଖିଛି-।’’

 

ଅନେକ କବିତା ଲେଖିଛି ନୀହାର । ସବୁ ମାସରେ ଅଧିକାଂଶ ପତ୍ରିକାରେ ତାରି କବିତା-। ସାଗରୀକା ପଢ଼େ । ସେ ତାକୁ ଖୋଜୁଛି । କେଉଁ ଦୂର ଦୂରାନ୍ତରର ବଣ ଜଙ୍ଗଲ, ପାହାଡ଼ ପର୍ବତ, ନଇ ନାଳ ଆର ପଟରୁ ନୀହାରର କଣ୍ଠ ସ୍ୱର ତା’ର କାନରେ ବାଜେ । ତା’ ସହିତ ପ୍ରଥମ ସାକ୍ଷାତ ହେଲାବେଳେ ନୀହାର ଯେମିତି ଥିଲା; ଆଜି ବି ସେମିତି ରହିଛି । ସେହି ଆନ୍ତରିକତା, ସେଇ ନିଷ୍ଠା ଓ ଉବ୍ଦାମ ଆବେଗ ନେଇ ସେ ଏବେ ବି ବଞ୍ଚିଛି । ଅଥଚ ତା’ର କେତେ ପରିବର୍ତ୍ତନ ହୋଇଗଲାଣି-

 

ନୀହାରର ସବୁ ଚିଠି ସେ ପ୍ରାୟ ଚିରି ଦେଇଛି । କିନ୍ତୁ ତା’ର ମନେହେଲା ବୋଧେ ତା’ର ଖଣ୍ଡେ ଦି’ ଖଣ୍ଡ ପୁରୁଣା ଚିଠି ତା’ ସୁଟକେଶ ଭିତରେ ପଡ଼ିଚି । ଥରେ କେବେ ସୁଟକେଶ୍ ସଜାଡ଼ିଲା ବେଳେ ତା’ ଆଖିରେ ପଡ଼ିଥିଲା । ସେ ବିଶେଷ ଗୁରୁତ୍ୱ ନଦେଇ ତାକୁ ଯେମିତି ଥିଲା, ସେମିତି ରଖି ଦେଇଥିଲା ।

 

ସେ ଉଠିଲା । ଆଜି ତା’ର ଭାରି ମନ ହେଉଛି–ନୀହାରର ସେଇ ପୁରୁଣା ଚିଠି ପଢ଼ିବାକୁ । ଥରେ ସେ ନୀହାରକୁ କହିଥିଲା–‘‘ତୁମ ଚିଠି ଭିତରେ ମୁଁ ତୁମରି ସ୍ପର୍ଶ ପାଏ ।’’ ନୀହାରର ସେଇ ସ୍ପର୍ଶ ପାଇଁ ବ୍ୟାକୁଳ ହୋଇ ଉଠିଲା ସାଗରୀକା । ସେ ସୁଟକେଶ ଖୋଲି; ଚିଠି ଖୋଜିଲା । ପାଇଲା ଗୋଟିଏ ଚିଠି; ବହୁତ ଦିନ ତଳର । ସେ କଟକ ଆସିଲା ପରେ ନୀହାର ଥରେ କେବେ ପୁରୀ ଆସିଥିଲା । ସେଇଠୁଁ ସେ ଚିଠିଟି ଲେଖିଛି । ଏଇ ଗୋଟିକ ଚିଠି କିମିତି ତା’ର ରହି ଯାଇଛି । ବାକି ସବୁ ସାଗରୀକାର ନିଷ୍ଠୁର ହାତ ନଷ୍ଟ କରିଦେଇଛି । ସାଗରୀକାର ମନେହେଲା ତା’ର ସବୁ ସମ୍ପଦ ନଷ୍ଟ ହୋଇଯାଇଛି–କେବଳ ରହିଯାଇଛି ଗୋଟିଏ ଅମୂଲ୍ୟ ରତ୍ନ; ଯାହାର ମୂଲ୍ୟ ସେ ବୁଝିପାରି ନଥିଲା । ସେ ତାକୁ ଆବେଗରେ ଛାତିରେ ଜାକି ଧରିଲା–ଆଖିରୁ ତା’ର ଅମାନିଆଁ ଭାବରେ ଧାର ଧାର ଲୁହ ବୋହି ଆସି ତା’ର ଗାଲ ଓଦା କରିବାକୁ ଲାଗିଲା । ସେହି ଲୁହ ଭିତରେ ତାକୁ ସବୁ ଜାଲଜାଲୁଆ ଦିଶିଲା । ତଥାପି ସେ ଅତି ଆବେଗରେ ଚିଠି ଖୋଲି ପଢ଼ିଲା; ସତେ ଯେମିତି ସେ ଚିଠି ତାକୁ ଆଜି ମିଳିଛି; ବହୁ ଉତ୍କଣ୍ଠାକୁଳ ପ୍ରତୀକ୍ଷା ପରେ ।

 

ପ୍ରିୟଦର୍ଶିନୀ ସାଗରୀକା

 

ଆଦରଣୀୟାଷୁ;

 

ବହୁତ ଦିନ ପରେ ଆଜି ହଠାତ୍ ତୁମ ପାଖକୁ ଚିଠି ଲେଖିବାକୁ ଇଚ୍ଛା ହେଲା, ତା’ର କାରଣ ଅବଶ୍ୟ ମୁଁ କିଛି ଠିକ୍ ଭାବରେ କହି ପାରିବିନି । କିନ୍ତୁ ମୋତେ ଲାଗୁଛି ମୋର ଆକସ୍ମିକ କାମନାର ଅନ୍ତରାଳରେ କ’ଣ ଯେପରି ବିରାଟ ଗୋଟାଏ କିଛି କାରଣ ରହିଛି–ଆଉ ସେଇଟା ତୁମେ ହିଁ କେବଳ ଜାଣ ।

 

ରାତି ଦୁଇଟା ହେଲାଣି । ପୁରୀ ଷ୍ଟେସନର ପ୍ରଥମ ଶ୍ରେଣୀ ବିଶ୍ରାମାଗାରାରେ ବସି ଏ ଚିଠି ଲେଖୁଛି । ଆସି ପହଞ୍ଚିଲା ବେଳକୁ ପାସେଞ୍ଜର–ଟ୍ରେନ୍ ପୁରୀ ଛାଡ଼ି ଦେଲାଣି–ୟା ପର ଗାଡ଼ି ଛାଡ଼ିବାକୁ ଅନେକ ଡେରି । ସତରେ ସାଗର–ମୋ ଜୀବନରେ ଏଇ ଦୁର୍ଘଟଣାଟା ଗୋଟାଏ ଧରାବନ୍ଧା ନିୟମ ହୋଇ ରହିଗଲା । ମୁଁ ପହଞ୍ଚିବା ପୂର୍ବରୁ ମୋ ଜୀବନର ସବୁ ଗାଡ଼ି ଗୋଟି ଗୋଟି ହୋଇ ଷ୍ଟେସନ ଛାଡ଼ି ଚାଲି ଯାଉଛି । ମୁଁ ଏକୁଟିଆ ପଡ଼ିଛି–ମୋର କ’ଣ ଉପାୟ କହିଲ । ମୁଁ ଜାଣିପାରୁନି ଏ ମୋର ପୂର୍ବାଜିତ କର୍ମ–ଫଳ; ନା କେଉଁ ନିର୍ମମ ଅପଦେବତାର ଅନନ୍ତ ଅଭିଶାପ ।

 

ଦୁରରୁ ସମୁଦ୍ରର ଗର୍ଜନ ଶୁଭୁଛି । ତୁମେ ଶୋଇଥିବ ବୋଧେ ! ବହୁତ ଦିନ ପରେ ଆଜି ପୁଣି ପୁରୀ ଆସିଥିଲି । କିଛି ବିଶେଷ କାମ ଥିଲା ବୋଲି ନୁହେଁ । ସେମିତି; ଗୋଟାଏ ଖିଆଲରେ । ଯେତେ ଦୂରରେ ଥିଲେ ବି ଏଇ ଜାଗାଟା ପ୍ରତି ମୋର କିମିତି ଗୋଟାଏ ଅହେତୁକୀ ମମତା ଆସି ଗଲାଣି । ମୋର ବେଳେବେଳେ ଭାରି ପ୍ରବଳ ଇଚ୍ଛା ହୁଏ ପୁଣି ଏଇ ମାଟି ଉପରକୁ ଫେରି ଆସିବାକୁ । ଏଠାର ଗଛ ଲତା, କୋଠା ବାଡ଼ି, ଧୂଳି ମାଟି ସବୁ ଯେମିତି ମୋର ଅତି ପ୍ରିୟ, ଅତି ଆପଣାର । ଏହାର ରାଜ ପଥରେ ଅନିର୍ଦ୍ଦିଷ୍ଟ ଭାବରେ ଘୂରି ବୁଲିବାକୁ ମୋତେ ଭାରି ଭଲ ଲାଗେ-। ଅଥଚ କାହିଁକି ମୋର ଏ ମମତା, ଏ ଆକର୍ଷଣ ମୁଁ କିଛି ବୁଝିପାରେନା । ମୁଁ ଏଠୁଁ ପାଇଛି କ’ଣ-? କେବଳ ନିନ୍ଦା, ଅପବାଦ, ଅପଯଶ ବ୍ୟତୀତ । ତଥାପି ଏଇ ମାଟିର ମୋହ କ’ଣ ତୁଟାଇ ପାରଲି ? ଦେଖିଲି ଏଇ ଛଅ ବର୍ଷ ମଧ୍ୟରେ ପୁରୁଣା ପୁରୀ ଯେମିତି ଥିଲା ଠିକ୍ ସେମିତି ଅଛି । କିଛି ବଦଳିନି । ସମୁଦ୍ର କୂଳର ସେଇ ଦିଗବାରଣ ଖୁଣ୍ଟି ସେମିତି ମୂକ ଅଥର୍ବଙ୍କ ଭଳି ଠିଆହୋଇଛି; ଅଥଚ ତାରି ପଦ ଦେଶରେ ଲୋକ ଚଞ୍ଚଳ ମହାସିନ୍ଧୁ ଜୀବନ ଭାରାରେ ଭାଙ୍ଗି ପଡ଼ୁଛି ବାରମ୍ବାର । କେତେ ରୂପ, ରଙ୍ଗ ଓ ରସର ସମନ୍ୱୟ ଓ ସମାରୋହରେ ବେଳାଭୂମି ବରବର୍ଣ୍ଣିଳ ହୋଇ ଉଠୁଛି-। କିଛି ବଦଳିନି ମ ସତେ ! ମରିଚୀକୋଟ୍ ଗଳି ଛକ ପାଖରେ ସେମିତି ପୂର୍ବ ପରି ଅନେକ ସିନେମା–ପୋଷ୍ଟର ମରିଛି–ତୁମେ ଆଉ ମୁଁ ଥିଲାବେଳେ ଯେମିତି ଥିଲା; ସବୁ ଠିକ୍ ସେମିତି ଅଛି-। ଅଥଚ ଆମେ ଦୁହେଁ କେତେ ବଦଳି ଗଲେଣି–ତୁମେ ଆଉ ମୁଁ–ନୁହେଁ ?

 

ତେବେ ମୋତେ ସେଠି ଆଉ କେହି ଚିହ୍ନି ପାରିଲେନି । କେତେ ଶୀଘ୍ର ଭୁଲିଗଲେ ମ ? ଯେଉଁମାନେ ଦିନେ ଆମକୁ ପାଦେ ପାଦେ ଜଗିବସି; ତିଳକୁ ତାଳ କରି ଡେଙ୍ଗୁରା ପିଟୁଥିଲେ; ସେମାନେ ଆଜି କାହାନ୍ତି ? କେଉଁଠି ସେମାନେ ? କାହିଁ ଜଣକୁ ତ ଦେଖିଲିନି । ତୁମେ ଯଦି ଥା’ନ୍ତ ନା ତା’ହେଲେ ଦୁହେଁ ରିକ୍ସାରେ ବସି ଘେରାଏ ବୁଲିଥାନ୍ତେ ।

 

ଆଚ୍ଛା; ସାଗର ! ତୁମର ମନେଅଛି ? ଆମେ ଦୁହେଁ ଜୀବନରେ ମାତ୍ର ଥରକ ପାଇଁ କେବଳ ରିକ୍‍ସାରେ ବସି ବୁଲିଥିଲେ । ସେତେବେଳେ ରାସ୍ତାରେ ଭାରି ଗହଳି ହୋଇଥାଏ । କି ଗୋଟାଏ ସମ୍ମିଳନୀ ବସିଥାଏ ନା କ’ଣ ? ଠିକ୍ ସେଇ ସମୟରେ ରାତି ପ୍ରାୟ ନ’ଟା ବେଳେ ତୁମେ ଆଉ ମୁଁ ଦୁହେଁ କିଛି ସମୟ ବୁଲି ବାହାରି ଥିଲେ । ମନେ ବୋଧେଥିବ–ମୁଁ ସେତିକି ବେଳେ କହିଥିଲି ନା, ‘‘ଏଇ ହୁଏତ ଆମ ଜୀବନର ପ୍ରଥମ ଓ ଶେଷ ଅନୁଭୂତି ହୋଇପାରେ । ସତରେ–ଶେଷକୁ ସେଇ କଥାଟା ପୁଣି କାଳ କାଳକୁ ସତ ହୋଇ ରହିଗଲା । କିଏ ଜାଣିଥିଲା ? ଅଜାଣତରେ, ଅକସ୍ମାତ୍ ଗୋଟାଏ ଖିଆଲରେ, ଯେଉଁ କଥା ପାଟିରୁ ବାହାରି ଆସିଥିଲା ସାରା ଜୀବନ ପାଇଁ ସେଇଟା ସତ ପାଲଟି ରହିଯିବ ବୋଲି ? ଯଦି ଜାଣିଥାନ୍ତି ନା–ତା’ହେଲେ... !

 

ଆଜି ଚନ୍ଦ୍ର ଉଇଁଛି; ଆକାଶରେ ମେଘ ନାଇଁ । ତୋଫା ଜହ୍ନ କିରଣ ବିଞ୍ଚି ହୋଇ ପଡ଼ିଛି ପୃଥିବୀ ଉପରେ । ତୁମେ ଶୋଇଥିବ । ଝରକା ବାଟେ ତୁମ ଶାୟିତ–ତନ୍ତୁ ଉପରେ ଅତି ଅସଂଯତ ଭାବରେ ପଡ଼ିଥିବ ଜହ୍ନ କିରଣ । ଜହ୍ନ କ’ଣ ସେ ଲୋଭ ସମ୍ବରଣ କରି ପାରିବ ସାଗର ? ତା’ର ସେ ଶକ୍ତି କାଇଁ ?

 

ବୁଗନଭେଲିଆ ଜହ୍ନ ଆଲୁଅରେ ହସୁଛି । ରକ୍ତ ଝରୁଛି ତା’ର ଓଠରୁ । ଓଠର ରକ୍ତ, ପୁଣି ଦେହରେ ଏମିତି ନିଆଁ ଲଗାଏ ? ଏତେ ଜ୍ଜ୍ୱାଳା, ଏତେ ଦାହ ପୁଣି ସେଥିରେ ? ଆଃ–ତୁମ ଦେହରେ କେବେ ନିଆଁ ଲାଗିଛି ସାଗର । କିମିତି ଲାଗେ; କିମିତି ସହିପାର ? କିନ୍ତୁ ଆଉ ଜଣକୁ ତ ବେଶ୍ ଜାଳିଦେଇ ପାର । କାହିଁକି ମୋର ଅପରାଧ ?

 

ସମୁଦ୍ର ଗର୍ଜୁଛି । ଦୂରରୁ ଶୁଭୁଛି ତା’ର ଅଶାନ୍ତ ଗର୍ଜନ । କାହାକୁ ଖୋଜୁଛି ସେ ? ନୀରବରେ ଏଇ ସାରା ରାତି ଧରି ମୁଁ ଭାବୁଛି ସେ କାନ୍ଦୁଛି । କି କରୁଣ ଅଥଚ ଆରଣ୍ୟ ତା’ର ରୋଦନ । ଅତୃପ୍ତ ଶିଶୁ ଭଳି କାହିଁକି କାନ୍ଦେ ସମୁଦ୍ର–ଫୁଲି ଫୁଲି, ଥରି ଥରି, ତୁହାଇ ତୁହାଇ କାହିଁକି ସେ କାନ୍ଦେ ? କ’ଣ ସେ କହେ ? କାହିଁକି ବାରମ୍ବାର କୂଳକୁ ଧାଇଁ ଆସେ ? ବ୍ୟଥା, ବିଫଳତା ଓ ବେଦନାର ଆତ୍ମ ପୀଡ଼ନରେ ଅଧୀର ହୋଇ ବେଳାଭୂମିରେ ମଥା ପିଟି ଫେରିଯାଏ; ପୁଣି ଧାଇଁ ଆସେ କୂଳକୁ । ହାୟ କେତେ ଦିନ ସେ ଆଉ ଏମିତି ଫେରୁଥିବ; ଆଉ ଆସୁଥିବ । କ’ଣ ସେ ଖୋଜୁଛି–କ’ଣ ସେ ମାଗୁଛି ? ଏତେ ଥାଇ ସୁଦ୍ଧା କ’ଣ ତା’ର ନାଇଁ; ଏତେ ପ୍ରାଚୁର୍ଯ୍ୟ ଭିତରେ କ’ଣ ତା’ର ଅଭାବ । ହାୟ ! ଦୁନିଆ ସିନା ଖାଲି ବାହାର ଦେଖେ; କିନ୍ତୁ ମନର କଥା କିଏ ବୁଝେ ? କିଏ ବା ମନ କଥା ବୁଝି ପାରନ୍ତା ?

 

ବହୁ ଦିନ ପରେ ଏଠାକୁ ଆସିଥିଲି ସାଗର; ଆଜି ଫେରି ଯାଉଛି । ପୁଣି ଜାଣେନା ଆଉ କେବେ ଏଠାକୁ ଆସିବି; ଆସିବାର ସୁଯୋଗ ମିଳିଲେ ତ ? ତା’ପରେ ଆସିଲେ ଯେ ତୁମେ ଏଠିଥିବ; ତୁମ ସହ ଦେଖାହେବ ତା’ର ବି କୋଉମାନେ ଅଛି । ଥିଲେ ବି; ଗୋଟାଏ ଭାବପ୍ରବଣ ଅତୀତକୁ ତୁମେ କାହିଁକି ସଙ୍ଖାଳୀ କରି ଯୁଗ ଯୁଗ ବସିଥିବ ? ତା’ହେଲେ କ’ଣ ବା ଲାଭ ?

 

ମୋର ମନେ ପଡ଼ୁଛି ତୁମେ ବୋଧେ ଥରେ କହିଥିଲ ପ୍ରତି ମାସରେ ଥରେ ତୁମକୁ ଦେଖି ଯିବାକୁ । ‘‘କିଛି ନ ଦିଅ ପଛେ’’ ଖାଲି ଥରଟିଏ ଦେଖିଯିବ–ଯେତେ ଦୂରରେ ଥାଅ । ତୁମେ କହିଥିଲ, ମୁଁ ହଁ ଭରିଥିଲି । ହାୟ; ମୋର ସେ ପ୍ରତିଶ୍ରୁତି ଭଳି ତୁମର ସେ ଅନୁରୋଧ ବି କେଡ଼େ ଦୁର୍ବଳ, କେଡ଼େ ଅସହାୟ ଆଉ ମୂଲ୍ୟହୀନ । ତୁମର ସେଇ ଟିକିଏ ଅନୁରୋଧ; ତା’ରି ଭିତରେ ଭାସି ଭାସି ମୁଁ କେତେ ଦୂରକୁ ଚାଲି ନ ଯାଇଛି ସତେ ! ଆଜିର ଆସିବା ମୂଳରେ କ’ଣ ସେଇ ନିରୋଳା ଦ୍ୱିପ୍ରହରର ଅନୁରୋଧ ରହିଛି । ମଣିଷ ଏମିତି ଅନୁରୋଧ କାହିଁକି କରେ; ଯାହାକୁ କି ପରେ ସେ ଆଉ କୌଣସି ମୂଲ୍ୟ ଦିଏନା । କାହିଁକି ରାତି ହେଲେ ସମୁଦ୍ର ଏମିତି ତୁହାଇ ତୁହାଇ କାନ୍ଦେ । କିଏ ଜାଣେ, କିଏ ବୁଝେ, କିଏ ଶୁଣେ ? କିଏ ବା ବୁଝନ୍ତା ?

 

ସାଗର ! ଏଠାକୁ ଆସିଲା ପରେ ତୁମ ବେଶୀ ମନରେ ପଡ଼ୁଛ ନା ବେଶୀ ତୁମେ ମନେପଡ଼ ମୁଁ ଏଇଠି ଆସି ପହଞ୍ଚିଲି, ସେ କଥା ମୁଁ ଠିକ୍ କରି କହି ପାରିବିନି । ତେବେ ମୁଁ ଏଠାକୁ ଆସିବାଟା ଯେମିତି ସତ; ଠିକ୍ ସେହିପରି ଆଉ ଗୋଟାଏ ନିରାଟ ସତ କଥା ହେଉଛି ଯେ ‘‘ତୁମେ ମୋର ମନେ ପଡ଼ ।’’ ଆଉ ଅତି ମାରାତ୍ମକ ଭାବରେ ମନେ ପଡ଼, ଏଇଭଳି ଗୋଟିଏ ଗୋଟିଏ ରାତିରେ । ଆକାଶରେ ଜହ୍ନ–ପବନରେ ନାଁ ଅଜଣା ଫୁଲର ପୁଲକ–ଭରା ବାସ୍ନା–ଆଉ ଦୂରରେ ଅଶାନ୍ତ ସମୁଦ୍ରର ଅନ୍ୱେଷଣ–ସଙ୍ଗୀତ । ନହେଲେ କଳା କିଟିକିଟି ଅନ୍ଧାର ରାତିରେ–ଝରଝର ବର୍ଷା–ସୁ ସୁ ପବନ–ଦୂରରେ ବହି ଯାଉଥିବା ପାଣିର ଅସ୍ପଷ୍ଟ ଶବ୍ଦ । ଏଇପରି ରାତି–କଳ୍ପନା କରି ପାରୁଛ ? ତା’ରି ଭିତରେ ଅତୀତର ସବୁ ପରଦା ଖୋଲିଯାଏ–ଅୟୂତ ଯୋଜନ ବ୍ୟାପୀ ଦୂରତାର ସବୁ ବ୍ୟବଧାନ ଘୁଞ୍ଚିଯାଏ–ସେଇ ଜହ୍ନ ଭିତରେ ହେଉ ବା ଅନ୍ଧାର ଭିତରେ ହେଉ; ମୋର ମନେପଡ଼େ; ବହୁ ଦିନ ତଳର ଛପି ଯାଇଥିବା କେତୋଟି ଜ୍ୟୋସ୍ନା ଆଉ ଅନ୍ଧାର ରାତିର ସ୍ମୃତି ।

 

ଥରେ ଥରେ ଅନ୍ଧାର ରାତିରେ ତୁମ ଘରୁ ଫେରିଲାବେଳେ ମୁଁ କି ଅସୁବିଧାରେ ନ ପଡ଼ିଛି । ସେଇ ଗଳି କି ସଂକୀର୍ଣ୍ଣ, କେତେ ଅନ୍ଧାରୁଆ । ତୁମେ ଦୁଆର ମୁହଁରେ ଠିଆହୋଇ ଚାହିଁ ରହିଥାଅ; ଗଳି ମୁଣ୍ଡରେ ପ୍ରଧାନ ରାସ୍ତାରେ ମୁଁ ମିଶିଯିବା ପର୍ଯ୍ୟନ୍ତ । ତା’ପରେ ଘରେ ବସି ଚିଠି ଲେଖ । କେତେ ଲୁହ, କେତେ ହସ, କେତେ ଅଭିମାନ ପୁଣି କେତେ ଉପଦେଶ ! ଆଜି ବି କେତେ ଚିଠି କୁଆଡ଼େ ଲେଖୁଥିବ (ଯଦିଓ ମୁଁ ସେ ଅନୁଗ୍ରହରୁ ବଞ୍ଚିତ) କିନ୍ତୁ ସେ ଦିନମାନଙ୍କ ପରି ରାତି ଅଧରେ; ଏତେ ଆବେଗ, ଉଷ୍ମତା ଓ ଉତ୍ତେଜନା ନେଇ ଦୀର୍ଘ କୋଡ଼ିଏ ପୃଷ୍ଠାର ଚିଠି ଆଉ କେବେ କାହା ପାଖକୁ ଲେଖି ପାରିଛ ସାଗରୀକା ? ଆଉ ଜହ୍ନ ରାତିରେ ମୁଣ୍ଡରେ ମିଛି ମିଛିକା ଓଢ଼ଣା ଦେଇ; ଦେହରେ ଦେହ ଲଗାଇ କାହା ସହିତ ଏକୁଟିଆ ରାଜପଥରେ ଚାଲି ପାରିଛ କେବେ ? ହାୟ–ସେଦିନ ଆଉ ଫେରିଲା ନାହିଁ–ମୁଁ ଜାଣେ ଆଉ ଫେରିବ ନାହିଁ–ତଥାପି ଆଶା ଅଛି ।

 

ଆଶା ତ ରହିବ । ସବୁ ଚାଲିଗଲା ପରେ ତାକୁଇ ସମ୍ବଳ କରି ତ ଆମେ ବଞ୍ଚୁ । ତା’ ନହେଲେ ବିଚାରା ନଗଣ୍ୟ ମନୁଷ୍ୟର ଆଖି ଲୁହଭରା କିଏ ପୋଛିଦେଇ ପାରିବ ?

 

ଆଜି ମୋର ମନେ ପଡ଼ୁଛି ଆମର ସେଇ ଅତୀତ । ସତରେ ମ; ସେ ଅତୀତଟାକୁ କେତେ ଭଲ ପାଉ ନଥିଲେ ଆମେ ଦୁହେଁ । କେତେ ସ୍ନେହ କରୁନଥିଲେ । ସେଦିନ କ’ଣ ଜାଣିଥିଲେ ସେ ଅତୀତ ଏମିତି କରୁଣ ଭାବରେ ମରିଯିବ ବୋଲି । ଆମର ଏତେ ସ୍ନେହ ଏତେ ମମତାର ପରିଣତି ହେଲା କ’ଣ ? ସେ କୋମଳ ସୁନ୍ଦର, ସୁକୁମାର ଅତୀତକୁ ପଳେ ପଳେ ତଣ୍ଟି ଚିପି ହତ୍ୟା କରି ଆଜି ହସୁଛି ବଳିଷ୍ଠ ବର୍ତ୍ତମାନ । ଆହା ବିଚାରା–କିଏ ସେ ଅତୀତଟିକୁ ଆଉ ମୋ ହାତକୁ ଫେରାଇ ଦେବ । କହିଲ ସାଗର ! ଆମେ ଯେ ବଞ୍ଚିଲେ କିମିତି କହିଲ ? ତୁମେ ପରା କହୁଥିଲ ଦିନଟାଏ ଦେଖା ନହେଲେ, କ’ଣ ହୋଇଯାଏ ତୁମର ବୋଲି । କାଇଁ ଆଜିକୁ ତ ଛଅ ବର୍ଷ ହେଲା ଦେଖା ସାକ୍ଷାତ ନାହିଁ । କ’ଣ ହେଲା ତୁମର ଅବା ! ସେଦିନ ତା’ହେଲେ କ’ଣ ମିଛ କହୁଥିଲ ?

 

ମୋତେ କ୍ଷମା ଦିଅ ସାଗର । ଆଜି ତୁମର ଯେତେ ଯାହା ପରିବର୍ତ୍ତନ ହେଉ ପଛକେ; ମୁଁ ଭଲ କରି ଜାଣେ ସେଦିନ ତୁମେ ସତ କହିଥିଲ । ସେଥିରେ ମିଛ ନଥିଲା–ଛଳନା ନଥିଲା । ସେଇ ଅତୀତରେ ତୁମେ ମୁହୂର୍ତ୍ତକ ପାଇଁ ହେଲେ ମୋ ନିକଟରେ ଛଳନା କରିନ–ଅନ୍ତର ଖୋଲି ତୁମେ ମୋତେ ସତ କଥା କହିଥିଲ । ମୋର ଲାଗି ହସି ହସି କେତେ ନିନ୍ଦା, ଅପବାଦ, ଗାଳି ଲାଞ୍ଛନା ଶୁଣି; ପୁଣି ମୋର ଛାତିରେ ଲୋଟି ପଡ଼ୁଥିଲ । କହୁଥିଲ–‘‘ହଁ ମ–କେତେ ଦିନ ପାଇଁ ଏ ନିନ୍ଦା; କେତେ ଦିନ ଲାଗି ଏ ଅପବାଦ । ୟାରି ଡରରେ ତୁମଠୁଁ ଦୂରେଇ ଯିବି । ମୋରି ଆସିବାରେ ଯଦି ତୁମର ଏତେ ଆନନ୍ଦ ତା’ହେଲେ ପୋଡ଼ି ଜଳି ଯାଉ ମୋର ସେ ମାନ, ସମ୍ମାନ ଇଜ୍ଜତ ମହତ–ମୁଁ ଆସିବି । ଯିଏ ଯାହା କହିବ ସବୁ ସହିବି । ଗୋଡ଼ ଧରି ମାଗିବ ତୁମେ ଭଲରେ ଥାଅ ।’’ ସେଦିନ ଆଜି ଆଉ ନାହିଁ । କେଉଁ ନିଷ୍ଠୁର ଅପଦେବତାର ଅଭିଶାପରେ ମୁଁ ତୁମକୁ ହରାଇଛି । ସମୁଦ୍ର ବାଲି ଅଣ୍ଡାଳିଲେ ଶାମୁକା ମିଳିବ ସିନା–ସ୍ମୃତିର ଦିନ ଆଉ ଫେରିବ କୁଆଡ଼ୁ ? ଅତୀତ ମିଳିବ କିମିତି ? ତୁମର ମନେଅଛି–ମୁଁ ନଥିଲା ବେଳେ ମୋର ଟେବଲ୍ ଘାଣ୍ଟି ମୋର ଅଧାଲେଖା କବିତା ସବୁ କେମିତି ପଢ଼ୁଥିଲ–ଆଉ ମୁଁ ଆସିଲା ସାଙ୍ଗେ ସାଙ୍ଗେ କେତେ ଅଳି କରି ପଚାରୁ ଥିଲ ‘‘କାହାଲାଗି ଲେଖିଛ’’–ଆଜି କବିତା ବେଳେ ବେଳେ ଲେଖେ । କିନ୍ତୁ ପଚାରିବାକୁ ତ କେହି ନାହିଁ ।

 

ଆଜି କ’ଣ ହେଲା କେଜାଣି; କାହିଁକି ଏସବୁ କଥା ମୋର ଗୁଡ଼େଇ ତୁଡ଼େଇ ହୋଇ ମନେ ପଡ଼ୁଛି । ତୁମେ ଶୋଇଥିବ । ତୁମ କଥା ଏତେ ଭାବିଲେ କାଳେ ତୁମର ସୁଖନିଦ୍ରା ଭାଙ୍ଗିଯିବ–କେତେ ଗାଳି ନ ଦେବ ମୋତେ ତା’ହେଲେ ? ଦିନ ଥିଲା ସିନା–ଦିନ ରାତି ଅଣ୍ଟୁ ନଥିଲା । ପରୀକ୍ଷା ପାଇଁ ପଢ଼ିବା ବାହାନାରେ ରାତି ଅଧରୁ ଉଠି ଉଠି ଚିଠି ଲେଖୁଥିଲ–ଆଉ ମୁଁ ସକାଳୁ ଶେଯରୁ ଉଠିବା ପୂର୍ବରୁ ତୁମ ଚିଠି ଆସି ପହଞ୍ଚୁଥିଲା ! କିନ୍ତୁ ଆଜି । ଆଜି ତ ତୁମେ କେତେ ଦୂରକୁ ଚାଲି ଗଲଣି–ମୋ ଲାଗି ମୁହୂର୍ତ୍ତଟିଏ ନଷ୍ଟ ହେଲେ ତୁମର ଢେର ଦୁଃଖ ହେବ ବୋଧେ ! ନୁହଁ ? ଥରେ ତୁମ ଘରୁ ମୁଁ କ’ଣ ପାଇଁ ରାଗି କରି ଚାଲି ଆସିଥିଲି ବୋଲି ତା’ ପର ଦିନରାତି ନ ପାହୁଣୁ ଆସି ମୋ ପାଖରେ ପହଞ୍ଚି ଯାଇଥିଲ । କେତେ ଲୁହ, କେତେ ଅଭିମାନ ସବୁ ପାଣି ଫାଟିଗଲା । ସେମିତି ତୁମେ ବି ଥରେ ରାଗି କରି ମୋ ଘରୁ ଚାଲି ଯାଉଥିଲ–ପୁଣି ଅଧା ବାଟରୁ ଫେରାଇ ଆଣିଲି । ସେଇ ଦିନ ଜୀବନରେ ଗୋଟିଏ ଅଧ୍ୟାୟ । ସକାଳ ସାତଟାରୁ ରହୁ ରହୁ ରାତି ନଅଟା ହୋଇଗଲା । ସେଦିନ ମୋ ସହିତ ଖାଇ ବସିଲା ବେଳେ କେତେ ଫାଜିଲାମି କରିଥିଲ; ସବୁ ତୁମର ମନେଅଛି କି ନାହିଁ କେଜାଣି; ମୋର ସ୍ପଷ୍ଟ ସ୍ମରଣ ହେଉଛି । ଅଥଚ କିଏ ଜାଣିଥିଲା ସେଇଠି ସବୁ ସରିଗଲା ବୋଲି ! ତା’ପରେ ... ଅତି ସଂକ୍ଷିପ୍ତ ଆଉ କରୁଣ ସେ ଇତିହାସ । ମୋର ବଦଳି ହୋଇଗଲା ବହୁତ ଦୂରକୁ । ତୁମ ସହିତ ମୋର ଯେଉଁ ଶେଷ ଦେଖା–ସେ ଦିନର ସେଇ କରୁଣ ପରିସ୍ଥିତି ମୋର ମନେଅଛି । ଅତି ଅସହାୟ ଅବସ୍ଥାରେ ତୁମକୁ ଛାଡ଼ିଦେଇ ମୁଁ ଦୂରକୁ ଚାଲି ଯାଇଥିଲି ।

 

ତା’ପରେ ଥରେ ଯାଇଥିଲି । କିନ୍ତୁ ତୁମକୁ ଭଲ କରି ଦେଖିବା ପୂର୍ବରୁ ତୁମେ ମୋତେ ଫେରାଇ ଦେଲ । ଯେତେ ଅନୁରୋଧ କଲେ ବି କିଛି ଶୁଣିଲନି । ଖାଲି ଏକା ଜିଦ୍ ଧରିଲ ଫେରିଯାଅ ।

 

ମୁଁ ଫେରି ଆସିଲି । କିନ୍ତୁ କାହିଁକି ଫେରାଇ ଦେଲ ଆଜିଯାଏଁ ବି ଜାଣି ପାରିଲିନି । କାହିଁକି ହଠାତ୍ ଏତେ ବଦଳି ଗଲ; ମୋ’ପ୍ରତି ଏତେ ଅକରୁଣ ହୋଇ ଉଠିଲ ? ମୋର ଦୋଷ କ’ଣ ? ଭୁଲ୍‍ ମୋର କେଉଁଠି ? ଯଦି କିଛି ଭୁଲ୍ କରିଥାଏ; ବା ଦୋଷ ହୋଇଥାଏ; ତା’ହେଲେ ସେ ଲାଗି କ’ଣ କ୍ଷମା ନାହିଁ ?

 

ଜୀବନରେ କେହି କେବେ ଦୋଷ କରିବାକୁ ଚାହେଁନା; ଯେହେତୁ କାହାକୁ ଦୋଷ ବା ଭୁଲ୍ କରି ସେ ଲାଗି ଦଣ୍ଡ ଭୋଗିବାକୁ ବା ମନସ୍ତାପ କରିବାକୁ ଭଲ ଲାଗେନା । ପରିସ୍ଥିତିରେ ପଡ଼ି ମଣିଷ ଭୁଲ୍‍ କରେ । ଆଉ ନିଜର ଭୁଲ୍‍ ବେଳେ ବେଳେ ଭସ୍ମାସୁର ଭଳି ନିଜକୁ ଗ୍ରାସ କରି ବସେ । ତଥାପି ନାନା ଭୁଲ୍ ଭ୍ରାନ୍ତିର ଏଇ ପୃଥିବୀରେ ଭଲପାଇବା ଜୀଇଛି ବୋଲି କେହି କେହି କହିବାର ମୁଁ ଶୁଣିଛି ଏବଂ ସେଇ ସବୁ ଭୁଲ୍‍ର ବୋଝକୁ ମୁଣ୍ଡରେ ଥୋଇ ଆମେ ଦୁନିଆର ରାଜପଥରେ ପୁଣି ଆଗକୁ ପାଦ ବଢ଼ାଉଛେ । ଯାହାର ବୋଝ ଯେତିକି ବେଶୀ ଭାରି ସେ ଜୀବନ ବିଷୟରେ ସେତିକି ଜାଣେ । ତା’ର ଆଖିର ପ୍ରତି ଲୁହ ଟୋପା ଗୋଟିଏ ଗୋଟିଏ ସନେଟ୍; ତା’ର ପ୍ରତ୍ୟେକ ପଦ–ଚିହ୍ନ ଇତିହାସର ଗୋଟିଏ ଗୋଟିଏ ପୃଷ୍ଠା–ତା’ର ପ୍ରତିଟି ଚିଠି ମନୁଷ୍ୟ ଜୀବନର ଗୋଟିଏ ଲେଖାଏଁ ଜୀବନ୍ତ କାହାଣୀ ।

 

ମୁଁ ଅନେକ ସନେଟ୍ ଲେଖିଛି; କାହାଣୀ କହିଛି । ତଥାପି ମୋର ମନରେ ପୁଣି ଏ ବ୍ୟାକୁଳତା କାହିଁକି ? ଜୀବନରେ ଦୁଃଖର ମାତ୍ରା କ’ଣ ପୂର୍ଣ୍ଣ ହୋଇନି ଯେ ପୁଣି ମୁଁ ନିଜେ ଆମନ୍ତ୍ରଣ କରି ଆଣୁଛି–ତୁମେ ମୋତେ ହତାଦର କରି ଛାଡ଼ିଯିବା ପରେ ବି ତୁମକୁ ମନେ ପକାଇବା ଆଉ ଭଲପାଇବା ମୂଳରେ ଏହି ଦୁଃଖକୁ ବରଣ କରି ନେବାର ବ୍ୟାକୁଳତା ତୁମେ ଲକ୍ଷ୍ୟ କରି ପାରୁଛ; ସାଗର !

 

ବେଶ୍–ଜୀବନଟା ଖାଲି ଯଦି ଦୁଃଖର ଏକକାବ୍ୟ–ତା’ହେଲେ ସେହି କବିତା ଗାଇବାରେ ହିଁ ମୋର ଆନନ୍ଦ । ଭଲପାଇବା ଯଦି ବେଦନାର ଏକ ବୀଣା; ତା’ହେଲେ ସେହି ବୀଣାରେ ସ୍ୱର ତୋଳିବାରେ ହିଁ ମୋର ଗୌରବ । ଅଶ୍ରୁ ଯଦି ମନୁଷ୍ୟର ସର୍ବଶ୍ରେଷ୍ଠ ସମ୍ପଦ ତା’ହେଲେ ଅନ୍ୟର ଲାଗି ତାକୁଇ ଢାଳି ଯିବାରେ ହିଁ ମୋର ଚରମ ସାର୍ଥକତା । ସେ ସୁଯୋଗ ଦେଇ ମୋତେ ତୁମେ ଧନ୍ୟ କରିଛ ସାଗରୀକା । ତୁମର ସ୍ମୃତି ଶାଶ୍ୱତ ହେଉ–ମୋ ଜୀବନର ଛିନ୍ନ–ବିଚ୍ଛିନ୍ନ ଅନୁଭୂତି; ଅନ୍ତରର ରୁଦ୍ଧ ଆବେଗ ଓ ରୋରୁଦ୍ୟମାନ ହାହାକାର ନେଇ; ଧରାର–ଧୂଷର ରାଜପଥରେ ମିଶି ଯିବାକୁ ମୋତେ ଅନୁମତି ଦିଅ । ଭୁଲ୍ ବୁଝନାହିଁ–ଯଦି ତୁମର ଅବହେଳା ସତ୍ତ୍ୱେ ମୁଁ ଭଲପାଇବାର ସାମାନ୍ୟ ଗୌରବ ତୁମକୁ ଦେଇ ପାରିଛି; ତା’ହେଲେ ସେଇ ଦୁରବୀକ୍ଷଣ ବଳରେ ଜୀବନକୁ ଦେଖ–କି ବିରାଟ, କି ବିଚିତ୍ର, କି ସୁନ୍ଦର, କି ଭୟଙ୍କର ଏଇ ଆମର ଜୀବନ ।

 

ମୁଁ ଜାଣେ; ମୋତେ ପୁଣି ମୋ ପୁରୁଣା ଖୋଳ ଭିତରକୁ ଫେରି ଯିବାକୁ ପଡ଼ିବ । ଦୈନନ୍ଦିନ–ଜୀବନର ଚବିଶିଟି ଘଣ୍ଟା ଭିତରକୁ ସେଠି ବଣ୍ଟା ହୋଇ ରହିଛି; କିଛି ନୂଆ ନାହିଁ । ମେସିନ୍ ଚାଲିବ–କାମ ହେବ... ।

 

ମୁହୂର୍ତ୍ତକ ପାଇଁ ମେସିନ୍ ବିଗିଡ଼ି ଥିଲା–ଠିକ୍ ହୋଇଯିବ । ନ ହୋଇ ତା’ର ଗତି ନାହିଁ । ଜୀବନ ପୁଣି ତା’ର ଗତାନୁଗତିକ ସ୍ୱାଭାବିକ ଧାରାରେ ଗଡ଼ି ଚାଲିବ । ସେଠି ଭାବ ପ୍ରବଣତା, ଅତୀତ ପ୍ରତି ଏକ ଅହେତୁକ ଅନୁରକ୍ତି ଶୋଭନୀୟ ନୁହେଁ–ଓଃ–ଅତୀତ... ।

 

ବେଲ୍ ବାଜିଲାଣି । ଗାଡ଼ି ଛାଡ଼ିବାକୁ ଆଉ ଅଳ୍ପ ସମୟ ବାକି । ମୋତେ ବିଦାୟ ଦିଅ । ମୁଁ ଯାଏ; ସମୁଦ୍ର ଥମିଛି; ତା’ର ରୋଦନ ଟିକିଏ କମିଛି ନା କ’ଣ ? ଆଉ ପୁଣି କେବେ ଫେରିବ କେଜାଣି–ତଥାପି ପୁଣି ଥରେ ଫେରିବାର ଆଶା ନେଇ ଆଜି ଦୂରକୁ ଯାଉଛି–ଇତି–

 

ତୁମର

‘ନୀହାର’

 

ସାଗରୀକା ଖାଲି କାନ୍ଦୁଥିଲା, କଇଁ କଇଁ ହୋଇ । ଅନ୍ତରର ରୁଦ୍ଧ ଆବେଗରେ ତୁହାଇ ତୁହାଇ କୋହ ଉଠୁଥିଲା ତା’ ଭିତରୁ । ଲୁହରେ ଛାତି ଉପରର ଲୁଗାରୁ ଅଧେ ଓଦା ହୋଇଗଲାଣି, ସେଥିପ୍ରତି ତା’ର ଦୃଷ୍ଟି ନାହିଁ । ଟୋପା ଟୋପା ଲୁହ ପଡ଼ି ଚିଠିର ଅକ୍ଷର ସବୁ ଠାଏ ଠାଏ ଧୋଇଯାଇ ଲିଭି ଗଲାଣି, ସେ ଆଡ଼େ ତା’ର ଖିଆଲ ନାହିଁ । ସେ ଖାଲି କାନ୍ଦୁଥିଲା ।

 

ବହୁ ଦିନ ପରେ ଆଜି ବୁଝିଲା ସାଗରୀକା ଜୀବନ କ’ଣ ? ସେ ଆଜି ପର୍ଯ୍ୟନ୍ତ ମରିଚୀକା ପଛରେ ଧାଇଁଥିଲା । ତା’ର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ତା’ ଆଖିରୁ ରଙ୍ଗ ବେରଙ୍ଗର ଚଷମା ଖସି ପଡ଼ିଛି । ସେଇ କଥା ଆଜି ସ୍ୱପ୍ନରେ ଚେତାଇ ଦେଇଗଲା ନୀହାର ।

 

ତଥାପି ଏ ବିରାଟ ଦୁନିଆରେ ସେ ଏକାକୀ ନୁହେଁ । ତା’ର ଅତି ଆପଣାର, ଅତି ନିଜର ଜଣେ ଅଛି । ସେ ତା’ର ସବୁ ଦୋଷ କ୍ଷମା କରି, ନିଜ କୋଳକୁ ଉଠାଇ ନେବ । ତା’ର ସ୍ପର୍ଶରେ ଜୀବନର ସବୁ ଆଘାତ, ଦୁଃଖ, ଗ୍ଳାନି ଭୁଲାଇ ଦେବ । ଯେତେ ଦୂରରେ ଥିଲେ ବି ସେ ତା’ର ଅତି ନିକଟରେ । ଶୟନ, ସ୍ୱପ୍ନ, ଜାଗରଣରେ ସେ ତା’ ପାଖକୁ ଆସେ । ତା’ର ଅଭିମାନ ନାହିଁ–ଅବହେଳା ନାହିଁ । ସେ ତା’ର ଜନ୍ମ ଜନ୍ମାନ୍ତରର ନୀହାର ।

 

ପ୍ରଥମେ ତାରି କୁମାରୀ ଜୀବନରେ ସେଇ ଆସିଥିଲା; କେତେ ବର୍ଣ୍ଣର ଇନ୍ଦ୍ରଧନୁ ଖେଳାଇ ରୂପର ତରଙ୍ଗ ଉଠାଇ । ତାକୁ ମୁଗ୍‍ଧ କରିଥିଲା । ତାରି କୋଳରେ ରହି ପ୍ରଥମେ ସାଗରୀକା ଶୁଣିଥିଲା ଜୀବନର–ସଙ୍ଗୀତ । ଆଜି ସେ ବହୁ ଦିନ ପରେ ପୁଣି ସ୍ୱପ୍ନରେ ଆସିଥିଲା–ସେ ଆସିବ–ନିଶ୍ଚୟ ଆସିବ । ତା’ର ମନ ମନ୍ଦିରର ଦ୍ୱାର ସାଗରୀକା ପାଇଁ ନିତ୍ୟ-ଉନ୍ମୁକ୍ତ ନିତ୍ୟ ଅବାରିତ । ସେ ବାଟ ଭୁଲି ଯାଇଥିଲା–ଖୋଜି ଖୋଜି ପୁଣି ପାଇଛି । ଆଉ ଭୁଲିବି ନାହିଁ–ଆଉ ଭୁଲ୍ କରିବି ନାହିଁ ।

 

ଆଜି ପ୍ରଥମ ଥର ପାଇଁ ସାଗରୀକା ଦେଖିଲା ଏ ପୃଥିବୀ କେଡ଼େ ସୁନ୍ଦର, କେଡ଼େ ପବିତ୍ର, ଶାନ୍ତ ଆଉ ସରଳ । ଏ ଜୀବନରେ ଦୁଃଖ ଆସେ ପୁଣି ଚାଲିଯାଏ–ବିରହର ଶେଷ ହୁଏ ମିଳନରେ–ସ୍ରଷ୍ଟାର ଏଇ ନିତ୍ୟ–ମଧୁର ସଙ୍ଗୀତ ତା’ର କାନରେ ବାଜିଲା–

 

ତା’ ଆଖିରୁ ଝରିଲା ଅଶ୍ରୁ–ଦୁଃଖରେ ନୁହେଁ, ବିଫଳତାରେ ନୁହେଁ–ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତର ଚରମ–ଗୌରବରେ... ।

Image